ଔଷଧୀୟ ଜ୍ଞାନକେନ୍ଦ୍ର କାର୍ଯ୍ୟକ୍ଷମ ହେଉନି ପ୍ରକ୍ରିୟାକରଣ ୟୁନିଟ୍
ଔଷଧୀୟ ଜ୍ଞାନକେନ୍ଦ୍ର କାର୍ଯ୍ୟକ୍ଷମ ହେଉନି ପ୍ରକ୍ରିୟାକରଣ ୟୁନିଟ୍
ଦେଢ଼ ଦଶନ୍ଧି ପରେ ବି ଔଷଧୀୟ ଜ୍ଞାନକେନ୍ଦ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି। ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବା ବେଳେ ରୋଜଗାରର ଯେଉଁ ବାଟ ଅଛି ତାକୁ ଖୋଲିବା ପାଇଁ ବନବିଭାଗ ଆଗ୍ରହ….
ଭୁବନେଶ୍ୱର ୧୭-୧୦-୨୦୨୫(ଏସ.ଏମ. ) : ଦେଢ଼ ଦଶନ୍ଧି ପରେ ବି ଔଷଧୀୟ ଜ୍ଞାନକେନ୍ଦ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି। ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବା ବେଳେ ରୋଜଗାରର ଯେଉଁ ବାଟ ଅଛି ତାକୁ ଖୋଲିବା ପାଇଁ ବନବିଭାଗ ଆଗ୍ରହ ପ୍ରକାଶ କରୁନାହିଁ। ଏପଟେ କର୍ମଚାରୀଙ୍କ ଦରମା ନେଇ ଅନିୟମିତତା ଓ ଛଟେଇ କେନ୍ଦ୍ରକୁ ପ୍ରଭାବିତ କରୁଛି। ଚେର, ଫଳ, ପତ୍ର, ଫୁଲ ଓ ଛାଲିରୁ ଔଷଧୀୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ଯେଉଁ ପ୍ରକ୍ରିୟାକରଣ ୟୁନିଟ୍ସ୍ଥାପନ ହେବା କଥା ୪ ବର୍ଷ ହେବ ତାହା କେବଳ ଏକ ‘କୋଠା’ରେ ସୀମିତ ରହିଛି। କେବେ ଯନ୍ତ୍ରପାତି ଲାଗିବ, ଔଷଧ ପ୍ରସ୍ତୁତ ହେବ, ପ୍ରଥମେ ୩୦ ଗୁଣା ଆୟ ବଢ଼ାଇ ଆୟ-ବ୍ୟୟ ସମତୁଲ ହେବ, ପରେ ଅଧିକ ଆୟ କରି କେନ୍ଦ୍ର ଆତ୍ମନିର୍ଭରଶୀଳ ହେବ? ଏହି କେନ୍ଦ୍ର ପାଇଁ ଏ ସବୁ ଏବେ ସ୍ବପ୍ନ ଭଳି ହୋଇଛି।
୨୦୨୧ ମସିହାରେ ପ୍ରକ୍ରିୟାକରଣ ୟୁନିଟ୍ର ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ ଏଯାବତ୍ପୂର୍ଣ୍ଣାଙ୍ଗ ହୋଇନାହିଁ। ଏବେ କେବଳ କେନ୍ଦ୍ରରେ ଚାରା ବିକ୍ରି ଓ ପ୍ରବେଶ ଶୁଳ୍ପ ବାବଦରେ ଯାହା ରୋଜଗାର ହେଉଛି। ହାରାହାରି ହିସାବ କଲେ ଚାରା ବିକ୍ରିରୁ ମାସକୁ ୨୦ ହଜାର ଟଙ୍କା ରୋଜଗାର ହେଉଛି। ଏଠାରେ ଦୈନିକ ୫୦ ଜଣ କର୍ମଚାରୀ କାମ କରୁଛନ୍ତି। ଦରମା, ଗାଡ଼ି ଭଡ଼ା, ନୂଆ ପ୍ରଜାତିର ଔଷଧୀୟ ଗଛ ଓ ବିଦ୍ୟୁତ୍ ବିଲ୍୨୦ ହଜାର ଟଙ୍କା। ଏମିତି ମିଶାଇ କେନ୍ଦ୍ରର ମାସିକ ଖର୍ଚ୍ଚ ୬ଲକ୍ଷ ଛୁଇଁ ଯାଉଛି। ପ୍ରବେଶ ଶୁଳ୍କ ବାବଦରେ ଜଣକା ମାତ୍ର ୫ଟଙ୍କା ଆଦାୟ ହେଉଥିବାରୁ ମାସକୁ କେବଳ ୫ ହଜାର ଟଙ୍କା ଆୟ ହେଉଛି। ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା ରହିଛି। ପ୍ରଚାର ପ୍ରସାର ଅଭାବରୁ ଲୋକେ ଏହି କେନ୍ଦ୍ର ସମ୍ପର୍କରେ ଜାଣିପାରୁ ନଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁନାହିଁ। ବ୍ୟାଟେରି ଗାଡ଼ି ଆଉ କାମ କରୁନି। ଚାରା ବିକ୍ରୟ କରିବାକୁ କେନ୍ଦ୍ର ପରିସରରେ ଖୋଲିବାକୁ ଥିବା କିଓସ୍କ ମଧ୍ୟ ଆଜି ପର୍ଯ୍ୟନ୍ତ ତିଆରି ହୋଇପାରି ନାହିଁ। ଜଳପ୍ରପାତ ଓ ଜଳଫୁଆରା କାର୍ଯ୍ୟକ୍ଷମ ହେଉନାହିଁ। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଜ୍ଞାନକେନ୍ଦ୍ରକୁ ସ୍ବୟଂଚାଳିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ପ୍ରକ୍ରିୟାକରଣ ୟୁନିଟ୍କାମ ଶେଷ ହେବା ଉପରେ ରହିଛି। ନାସିକ୍ରୁ ସମସ୍ତ ଯନ୍ତ୍ରପାତି ଆସି ଲାଗିବ। ଏହାପରେ ବନ ବିଭାଗର ବିଭିନ୍ନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହାର କାର୍ଯ୍ୟ ଆରମ୍ଭ ହେବ।