ଜୀବନର ଯମ ଜୁନମାସ…
ଜୀବନର ଯମ ଜୁନମାସ…
ଅଭିଶପ୍ତ ମାସରେ କେବେ ଟ୍ରେନ ତ କେବେ ବିମାନ ଦୁର୍ଘଟଣା… ବାହାନଗାରେ ୨୯୬, ଅହମଦାବାଦରେ ୨୬୫
ନୂଆଦିଲ୍ଲୀ/ଭୁବନେଶ୍ୱର ୧୩-୦୬-୨୦୨୫(ଏସ.ଏମ ) : ସେଦିନ ଥିଲା ଶୁକ୍ରବାର, ଗତକାଲି ଥିଲା ଗୁରୁବାର । ସେଦିନ ତାରିଖ ଥିଲା ୨ ଜୁନ ୨୦୨୩ ଆଉ ଗତକାଲି ଥିଲା ୧୨ ଜୁନ ୨୦୨୫ । ସେବେ ବାହାନଗାରେ ଦୁର୍ଘଟଣା ହୋଇଥିଲା ଟ୍ରେନ୍, ଏବେ ଅହମଦାବାଦରେ ବିମାନ ଦୁର୍ଘଟଣା । ବାହାନଗା କରମଣ୍ଡଳ ଦୁର୍ଘଟଣାରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିଲା ଆଉ ଏବେ ବିମାନ ଦୁର୍ଘଟଣା ୨୬୫ ଜଣଙ୍କ ମୃତ୍ୟୁ ହେଲାଣି… ମୃତ୍ୟୁ ସଂଖ୍ୟା ବି ବଢିପାରେ ବୋଲି ଆଶଙ୍କା କରାଯାଉଛି । ୨୦୨୩ରୁ ୨୦୨୫- ଦୁଇ ବର୍ଷରେ ଦୁଇ ଦୁଇଟି ଛାତିଥରା ଦୁର୍ଘଟଣାରେ ଖାଲି ଦେଶ ନୁହେଁ ବରଂ ପୂରା ବିଶ୍ବ ସ୍ତବ୍ଦ ହୋଇଛି ।
ନିରୀହ ଜୀବନ କେବେ ଟ୍ରେନ୍ ଚକ ତଳେ ଚାଲିଯାଇଛି ତ କେବେ ବିମାନ ଦୁର୍ଘଟଣାର ଭୟଙ୍କର ବିସ୍ଫୋରଣ ଜଳିପୋଡି ଯାଇଛି… ଓଃ କି ଯନ୍ତ୍ରଣାଦାୟକ । ଆଜି ଯେତେବେଳେ ଅହମଦାବା ବିମାନ ଦୁର୍ଘଟଣାର ଗୋଟେ ପରେ ଗୋଟେ କରୁଣ କାହାଣୀ ସାମ୍ନାକୁ ଆସୁଛି ଠିକ୍ ସେତେବେଳେ ମନେପଡିଯାଇଛି ୨୦୨୩ର ବାହାନଗା ଟ୍ରେନ୍ ଦୁର୍ଘଟଣା କଥା । ଯାହା ଥିଲା ଶତାବ୍ଦୀର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ।ଜୁନ ୨, ୨୦୨୩, ସମୟ ସଂଧ୍ଯା ୭ଟା, ଶୁକ୍ରବାର ଟ୍ରେନ ଯାତ୍ରୀଙ୍କ ପାଇଁ ଯେମିତି କାଳ ପାଲଟିଥିଲା ଠିକ୍ ସେମିତି ଜୁନ ୧୨, ୨୦୨୩, ସମୟ ଦିନ ୧ଟା ୧୭, ଗୁରୁବାର ବି ବିମାନ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ସେବେ କରମଣ୍ଡଳ ସାଜିଥିଲା ଲୌହ ଦାନବ ଆଉ ଏବେ ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ସାଜିଛି ମୃତ୍ୟୁର ବିମାନ ।ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୬ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଅହମଦାବାଦ ବିମାନ ଦୁର୍ଘଟଣାରେ ଏଯାଏଁ ଯାଇଛି ୨୬୫ ଜଣଙ୍କ ଜୀବନ । ଯେଉଁଥିରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ବିମାନରେ ଥିବା ଜଣେ ବ୍ୟକ୍ତି ହିଁ ମୃତ୍ୟୁର ଫାଶରୁ ମୁକୁଳି ଆସିଛନ୍ତି ।
ଇତି ମଧ୍ଯରେ ଗତ ଜୁନ ୨ ତାରିଖରେ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ବର୍ଷ ପୂରିଛି । ଦିନ ସିନା ଯାଇଛି କିନ୍ତୁ ସେ କ୍ଷତ ଚିହ୍ନ ରହିଛି । ସେଦିନର ଅଶୁଭ ଶୁକ୍ରବାର ଆଉ ଆଜି ଭିତରେ ବହୁତ କିଛି ବଦଳି ଯାଇଛି । ଅସଜଡ଼ା ଟ୍ରାକ ସଜାଡ଼ି ହୋଇଛି । ଧାରଣା ଉପରେ କରମଣ୍ଡଳ ପୁଣି ଗଡୁଛି । ହେଲେ ସେଦିନ ଅନେକ ସ୍ୱପ୍ନ ଆଉ ସମ୍ଭାବନା ନେଇ ଘରୁ ବାହାରି ଆସିଥିବା ପାଦ ଗୁଡ଼ିକ ଆଉ ଘରକୁ ଫେରିନଥିଲେ । ବାହାନଗା ଠାରେ ଘଟିଥିବା ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । ଅନେକଙ୍କ ସ୍ବପ୍ନ ଉଜାଡି ଦେଇଥିଲା । କିଏ ଘରକୁ ଫେରୁଥିଲା ତ କିଏ ଚାକିରି କରିବାକୁ ଯାଉଥିଲା । କିଏ ବହୁଦିନ ପରେ ମାଆ କୋଳକୁ ଫେରୁଥିଲା ପୁଣି କିଏ ପ୍ରେମିକାକୁ ଭେଟିବାକୁ ଯାଉଥିଲା । ଅନେକ ସ୍ବପ୍ନ ଓ ଆଶା ନେଇ ଛୁକଛୁକ୍ ହୋଇ ଆଗକୁ ବଢୁଥିବା କରମଣ୍ଡଳ ଯେ ଏ ସବୁ ସ୍ବପ୍ନ ଉପରେ ଚକା ଚଢାଇ କାଟି ଦେବ କେହି ଭାବିନଥିଲେ । ଠିକ୍ ଯେମିତି ଗତକାଲିର ବିମାନ ଦୁର୍ଘଟଣାରେ ୨୬୫ ଜୀବନ ସହ ଜଳିଯାଇଛି ଅନେକ ସ୍ବପ୍ନ, ସମ୍ଭାବନା, ଆଶା, ଆକାଂକ୍ଷା, ଅଭିଳାଶା ଆଉ କାହାକୁ ପାଇବାର ଇଚ୍ଛା- ମାଟିରୁ ଆକାଶକୁ ଉଠୁଉଠୁ ହିଁ ମୃତ୍ୟୁ କବଳିତ କରିନେବା ପରେ ଅଧା ଆକାଶରେ ହିଁ ରହିଗଲେ ଏସବୁ ଇଚ୍ଛା ଓ ଆଶାମାନେ । ବିମାନ ଦୁର୍ଘଟଣା ପାଇଁ ବାପାଟି ତା ପୁଅକୁ ଭେଟି ପାରିଲାନି, ସ୍ବାମୀଟି ତା ସ୍ତ୍ରୀକୁ ପାଇପାରିଲାନି, ବିମାନ ଚଳାଉଥିବା ପାଇଲଟ ଓ କ୍ରିୟୁମାନେ ଚାକିରି କରିବାକୁ ଅଫେରା ରାଇଜକୁ ଚାଲିଗଲେ । ଘରକୁ ଫେରିବାର ଠିକଣା ହଜେଇଦେଲା ସମୟ… ଓଃ ଏସବୁ କଥା ଲେଖିଲା ବେଳେ ଛାତି କୋରି ହେଇଯାଉଛି ।
