ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଜଗତସିଂହପୁର
ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଜଗତସିଂହପୁର
ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ବିଜେପିର ରାଜେନ୍ଦ୍ର ବିଶୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୧୩ କାଉନସିଲର। ୧୫ ନମ୍ବର ଵାର୍ଡର ବିଜେଡି କାଉନସିଲର ମନୋଜ ମହାନ୍ତିଙ୍କ ନେତୃତ୍ବରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି।
ଜଗତସିଂହପୁର/ଭୁବନେଶ୍ୱର ୧୬.୦୪.୨୦୨୫(ଏସ .ଏମ ) : ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ବିଜେପିର ରାଜେନ୍ଦ୍ର ବିଶୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୧୩ କାଉନସିଲର। ୧୫ ନମ୍ବର ଵାର୍ଡର ବିଜେଡି କାଉନସିଲର ମନୋଜ ମହାନ୍ତିଙ୍କ ନେତୃତ୍ବରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ସେଥିରୁ ୧୧ ଜଣ ବିଜେଡି ଓ ୨ ଜଣ ବିଜେପି ବିଧାୟକ ଅମରେନ୍ଦ୍ର ଦାସଙ୍କ ସମର୍ଥିତ କାଉନସିଲର ରହିଛନ୍ତି। ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ବିଜେପି ବିଧାୟକଙ୍କ ସମର୍ଥିତ ସ୍ବାଧୀନ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିବା ଘଟଣା ଜଗତସିଂହପୁର ରାଜନୀତିକୁ ସରଗରମ କରିଛି। ଅନ୍ୟପଟେ ଅନାସ୍ଥା ସମ୍ପର୍କରେ ବିଜେଡି ଓ ବିଜେପିର ବରିଷ୍ଠ ନେତୃବୃନ୍ଦ ଟେର୍ ନପାଇବା ଅଧିକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଉପାଧ୍ୟକ୍ଷ ଶ୍ରୀ ବିଶୋଇ ହେଉଛନ୍ତି ବିଜେପିର ବରିଷ୍ଠ ନେତା ସତ୍ୟବ୍ରତ ମହାପାତ୍ରଙ୍କ ସମର୍ଥକ। ବିଜେଡିରୁ ଆସି ଅମରେନ୍ଦ୍ର ବିଜେପିରେ ସାମିଲ ହୋଇ ବିଧାୟକ ନିର୍ବାଚିତ ହୋଇଥିଲେ ବି ନିଜର ଆନୁଗତ୍ୟ ବଦଳାଇ ପାରି ନଥିବା କୁହାଯାଉଛି। ଏଭଳି ସ୍ଥିତିରେ ପୁରୁଣା ସଂପର୍କରେ ଏବେ ବିଜେଡି କାଉନସିଲରମାନଙ୍କୁ ଅମରେନ୍ଦ୍ର ନିଜ ପଟକୁ ନେଇ ସେମାନଙ୍କ ଭିତରୁ ଜଣକୁ ଉପାଧ୍ୟକ୍ଷ କରିବା ଯୋଜନାରେ ଥିବା କୁହାଯାଉଛି।ବିଜେଡିର ୧୦ କାଉନସିଲର ମନୋଜ ମହାନ୍ତି, ଦୀପ୍ତିରଞ୍ଜନ ସାହୁ, ଅନାମ ଚରଣ ସେଠୀ, ପ୍ରଭାତୀ ସାହୁ, ମେନକା ବେହେରା, ଜୟନ୍ତୀ ମାହାଳି, କିରଣକାନ୍ତି ଦାସ, ସୋନାଲି ସିଂହ, ସୁମନ୍ତ ସେଠୀ, ରୋଜାଲିନ ଦାସ, ସ୍ବାଧୀନ କାଉନସିଲର ଗୋଲାମ ଅଲ୍ଲୀ ଖାନ୍, ଦେବାଶିଷ ସ୍ବାଇଁ ଓ ମିଲି ସେଠୀ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କୁ ଭେଟି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଦାୟିତ୍ବ ଗ୍ରହଣ କରିବା ତିନି ବର୍ଷ ପୂରି ଯାଇଥିବା ବେଳେ ଦାୟିତ୍ବରେ ଅବହେଳା ଓ ଵାର୍ଡପ୍ରତି ପକ୍ଷପାତିତା କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଙ୍କ ଅସହଯୋଗ, ଏକପାଖିଆ ନିଷ୍ପତ୍ତି, ଉନ୍ନତିରେ ବାଧକ ହେଉଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ପ୍ରାୟ ୬ ମାସ ହେଲା ଶ୍ରୀ ବିଶୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଜିଦ୍ ଧରିଥିଲେ ବିଜେଡି କାଉନସିଲର। କିନ୍ତୁ ଦଳର ନେତାମାନେ ଏହାକୁ ଗୁରୁତ୍ବ ଦେଇ ନ ଥିଲେ। ଫଳସ୍ବରୂପ ବିଜେଡି ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ରେ ସମସ୍ତ କାଉନସିଲର ଅନୁପସ୍ଥିତ ରହିଥିଲେ। ଏକାଠି ହୋଇ ପୁରୀର ଏକ ହୋଟେଲ୍ରେ ମେଳି କରିଥିଲେ। ଭୁବନେଶ୍ବରରେ ଚିରଞ୍ଜୀବଙ୍କ ବାସଭବନରେ ପ୍ରଶାନ୍ତ ମୁଦୁଲିଙ୍କ ଉପସ୍ଥିତିରେ କାଉନସିଲରମାନେ ଏକାଠି ହୋଇଥିବା ବେଳେ ଉପାଧ୍ୟକ୍ଷଙ୍କ ବିରୋଧରେ ୧୫ ଦିନ ଭିତରେ ଅନାସ୍ଥା ଆଣିବା ପାଇଁ ଚିରଞ୍ଜୀବ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପାଳନ କରିପାରି ନ ଥିଲେ ଚିରଞ୍ଜୀବ। ଶେଷରେ ବିଜେଡି କାଉନସିଲରମାନେ ଏକାଠି ହୋଇ ଅନାସ୍ଥା ଆଣିଥିବା ବେଳେ ଏହା ବିଧାୟକ ଅମରେନ୍ଦ୍ର ଦାସଙ୍କର ମାଷ୍ଟରଷ୍ଟ୍ରୋକ୍ ବୋଲି ଆଲୋଚନା ହେଉଛି।