ଶୁଖିଗଲାଣି କୁଆଖାଇ, ଦୟା: ନଦୀପଥ ଖନନ ଓ ଜଳଧାରଣ କ୍ଷମତା ବୃଦ୍ଧି ଚିନ୍ତା ନାହିଁ
ଶୁଖିଗଲାଣି କୁଆଖାଇ, ଦୟା: ନଦୀପଥ ଖନନ ଓ ଜଳଧାରଣ କ୍ଷମତା ବୃଦ୍ଧି ଚିନ୍ତା ନାହିଁ
- ଶୁଖିଗଲାଣି ମହାନଦୀର ଶାଖା ନଦୀ କୁଆଖାଇ।
- ଯେହେତୁ ଉପରମୁଣ୍ଡରୁ ଜଳପ୍ରବାହ ବନ୍ଦ ରହିଛି, ତେଣୁ କୁଆଖାଇରେ ବି ଆଉ ପାଣି ନାହିଁ।
- ଫଳସ୍ବରୂପ କୁଆଖାଇର ଶାଖା ନଦୀ ଦୟା, କୁଶଭଦ୍ରା ବି ଶୁଖିଲା ପଡ଼ିଛି।
ଭୁବନେଶ୍ୱର ୨୨-୦୧-୨୦୨୬(ଏସ.ଏମ ) : ଶୁଖିଗଲାଣି ମହାନଦୀର ଶାଖା ନଦୀ କୁଆଖାଇ। ଯେହେତୁ ଉପରମୁଣ୍ଡରୁ ଜଳପ୍ରବାହ ବନ୍ଦ ରହିଛି, ତେଣୁ କୁଆଖାଇରେ ବି ଆଉ ପାଣି ନାହିଁ। ଫଳସ୍ବରୂପ କୁଆଖାଇର ଶାଖା ନଦୀ ଦୟା, କୁଶଭଦ୍ରା ବି ଶୁଖିଲା ପଡ଼ିଛି। ଯୁଆଡ଼େ ଦେଖିଲେ କେବଳ ବାଲିଚର ହିଁ ଦୃଶ୍ୟମାନ ହେଉଛି। ନଦୀନାଳ ଶୁଖିଲା ପଡ଼ିଥିବାରୁ ଚାଷବାସ ତ ଗୁରୁତର ପ୍ରଭାବିତ ହେଲାଣି, ସେପଟେ କୁଆଖାଇ, ଦୟା ଭଳି ନଦୀର ଏଭଳି ସ୍ଥିତି ଭବିଷ୍ୟତରେ ଗୁରୁତର ପାନୀୟ ଜଳ ସଂକଟକୁ ଦର୍ଶାଉଛି। କୁଆଖାଇର ଜଳାଭାବ ପ୍ରଭାବ ରାଜଧାନୀରେ ଏବେଠୁ ଅନୁଭବ ହେଲାଣି। ପାଣି ଅଣ୍ଟୁନଥିବାରୁ ପାନୀୟ ଜଳସଂକଟ ଚିନ୍ତାର କାରଣ ପାଲଟିଛି।
ତଥାପି ଜଳସଂପଦ ବିଭାଗ ଓ ଅନ୍ୟ ସଂପୃକ୍ତ ବିଭାଗ ନିଘୋଡ଼ ନିଦ୍ରାରେ। କୁଆଖାଇର ଜଳଧାରଣା କ୍ଷମତା ବୃଦ୍ଧି ପାଇଁ ନଦୀ ଖନନ ସହ ଅନ୍ୟାନ୍ୟ ବିକଳ୍ପ ରାସ୍ତା ବାଛିବା ଅତ୍ୟାବଶ୍ୟକ ହୋଇପଡ଼ିଥିବାବେଳେ ଏ ଦିଗରେ ମାନସମନ୍ଥନ କରାଯାଉନି। ଏଣୁ ବର୍ଷତମାମ ଏହା ଶୁଖିଲା ପଡ଼ୁଛି। ବର୍ଷାଦିନେ ଯାହା ବି ପାଣି ନଦୀ ଦେଇ ପ୍ରବାହିତ ହେଉଛି, ତାହା ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। କୁଆଖାଇ ବହୁବର୍ଷ ଧରି ରାଜଧାନୀ ଭୁବନେଶ୍ବରର ପାନୀୟ ଜଳ ଆବଶ୍ୟକତା ପୂରଣ କରି ଆସୁଛି। ଜଳସଂକଟ କାରଣରୁ ୧୫ରୁ ଅଧିକ ବର୍ଷ ଧରି କୁଆଖାଇରେ ବାଲିବନ୍ଧ ବାନ୍ଧିବାକୁ ପଡ଼ୁଛି। ତଥାପି ବି ପାଣି ଅଣ୍ଟୁନି। ୬୫.୫୦ ଏମ୍ଏଲ୍ଡି ନିଅଣ୍ଟ ପାନୀୟ ଜଳ ଭରଣା ପାଇଁ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେପଟେ ପାନୀୟ ଜଳଯୋଗାଣ ପାଇଁ କୁଆଖାଇରେ ପାଣି ଯୋଗାଣ ସ୍ଥଳରେ ସର୍ବନିମ୍ନ ୩୮ ଫୁଟ ଉଚ୍ଚସ୍ତର ଜଳ ଜମା ହେବା ଆବଶ୍ୟକ। ତାହା ବି ସମ୍ଭବ ହେଉନି। କାନପୁରଠାରେ ଥିବା ବ୍ୟାରେଜ ଖୋଲି ପାଣି ଜମା କରିବା ପରେ ଯାଇ ପାନୀୟ ଜଳଯୋଗାଣ ସମ୍ଭବ ହେଉଛି। ଏହା ଆଗାମୀ ଭବିଷ୍ୟତ ପିଢ଼ି ପାଇଁ ସତର୍କଘଣ୍ଟି ହୋଇଥିବାବେଳେ ଜଳସଂପଦ ବିଭାଗ ଏ ଦିଗରେ ଗଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି।
କୁଆଖାଇର ଜଳପ୍ରବାହ କଥା ଦେଖିଲେ, ଏହା ନରାଜଠାରୁ ଦକ୍ଷିଣପାର୍ଶ୍ବରେ ମହାନଦୀରୁ ବାହାରି ଭୁବନେଶ୍ବର ଦେଇ ପ୍ରବାହିତ ହୋଇ ବାଲିଅନ୍ତା ଗନ୍ଦରପୁରଠାରେ ଏହାର ଶାଖା ନଦୀ କୁଶଭଦ୍ରାକୁ ଜନ୍ମ ଦେଇଛି। ଯାହା ପୁରୀ ଜିଲ୍ଲାର ନିମାପଡ଼ା ଓ ଗୋପ ବ୍ଲକ ଦେଇ ପ୍ରବାହିତ ହୋଇ ଲିଆଖିଆ ଦେଇ ଯାଇ ସମୁଦ୍ରରେ ମିଶିଛି। ସେହିଭଳି ସରଦେଇପୁରଠାରେ କୁଶଭଦ୍ରାରୁ ଦୟା ଜନ୍ମ ନେଇଛି। ଯାହା ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଦେଇ ପ୍ରବାହିତ ହୋଇଛି। କୁଶଭଦ୍ରା ଦକ୍ଷିଣ-ପଶ୍ଚିମ ପାର୍ଶ୍ବରେ ପ୍ରବାହିତ ହୋଇ ଯାଇ ସମୁଦ୍ରରେ ମିଶିଥିବାବେଳେ ଦୟା ଉତ୍ତର-ପୂର୍ବ ହୋଇ ବ୍ରହ୍ମଗିରିଠାରେ ଚିଲିକା ଦେଇ ଯାଇ ସମୁଦ୍ରରେ ମିଶିଛି।
କୁଆଖାଇର ଆବଶ୍ୟକତା କଥା ଦେଖିଲେ, ରାଜଧାନୀବାସୀଙ୍କ ଶୋଷ ମେଣ୍ଟାଇବାରେ ଏହା ପ୍ରମୁଖ ଭୂମିକା ନେଇ ଆସିଛି। ଚାଷ କ୍ଷେତକୁ ଜଳସେଚନରେ ବି ଏହାର ପାଣି ବ୍ୟବହାର କରାଯାଉଥିଲା। କିନ୍ତୁ ଆଉ କୁଆଖାଇ ଚାଷବାସର ଆବଶ୍ୟକତା ମେଣ୍ଟାଇପାରୁନି। ପଳାଶୁଣି ନିକଟରେ କୁଆଖାଇରେ ପମ୍ପିଂ କରି ଅଶୁଦ୍ଧ ପାଣିକୁ ବିଭିନ୍ନ ପାନୀୟ ଜଳ ବିଶୋଧନ ପ୍ରକଳ୍ପକୁ ପଠାଯାଉଛି। ଭୁବନେଶ୍ବରରେ ୬ ବିଶୋଧନ ପ୍ରକଳ୍ପରୁ ଚନ୍ଦ୍ରଶେଖରପୁର, ପଳାଶୁଣି ସମେତ ୩ ବିଶୋଧନ ପ୍ରକଳ୍ପକୁ ଏଠାରୁ ପାଣି ଯାଉଛି। ରାଜଧାନୀକୁ ପାନୀୟ ଜଳର ସର୍ବାଧିକ ଆବଶ୍ୟକତା କୁଆଖାଇ ମେଣ୍ଟାଉଛି। ଦୟା ଓ କୁଶଭଦ୍ରା କଥା ଦେଖିଲେ, ଏହା ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବନରେଖା ଥିଲା। କିନ୍ତୁ ଯେହେତୁ କୁଆଖାଇ ଶୁଖିଲା ପଡ଼ିଛି, ଏଣୁ ଦୟା, କୁଆଖାଇରେ ବି ଜଳପ୍ରବାହ ନାହିଁ। ଯୁଆଡ଼େ ଚାହିଁଲେ ନଦୀପଥ ଶୁଖିଲା ପଡ଼ିଛି। କୁଆଖାଇରେ ବର୍ଷାଜଳକୁ ଅଟକାଇବା ପାଇଁ ପାଣ୍ଡରାଠାରେ ଦୁଇବର୍ଷ ତଳେ ଏକ ବ୍ୟାରେଜ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଅଦ୍ୟାବଧି ଏହା ପୂର୍ଣ୍ଣରୂପ ନେଇପାରିନି।

