ଖେଳଦେଶ- ବିଦେଶ

ଆଇପିଏଲ୍‌ ପ୍ଲେ ଅଫ୍‌ରେ ମୁମ୍ବାଇ

ଆଇପିଏଲ୍‌ ପ୍ଲେ ଅଫ୍‌ରେ ମୁମ୍ବାଇ

ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଚମତ୍କାର ପ୍ରଦର୍ଶନର ଗୌରବମୟ ଗାଥା ଯୋଡ଼ି ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫୯ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଛି ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ/ଭୁବନେଶ୍ୱର୨୨-୦୫-୨୦୨୫(ଏସ .ଏମ ) : ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଚମତ୍କାର ପ୍ରଦର୍ଶନର ଗୌରବମୟ ଗାଥା ଯୋଡ଼ି ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫୯ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଛି ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ। ତା’ସହିତ ନାଟକୀୟ ଢଙ୍ଗରେ ଏକାଦଶ ଥର ପାଇଁ ଆଇପିଏଲ୍‌ ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି। ବୁଧବାର ମନ୍ଥର ପାଳିକୁ ଧମାକାଦାର ଢଙ୍ଗରେ ଶେଷ କରି ୧୮୧ ରନ୍‌ର ଆହ୍ବାନଭରା ଲକ୍ଷ୍ୟ ଦେଇଥିଲା ମୁମ୍ବାଇ। ପରେ ଦିଲ୍ଲୀକୁ ନିଜ ଶାଣିତ ବୋଲିଂରେ ଘାଇଲା କରି କେବଳ ୧୨୧ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲା। ଫଳରେ ତ୍ରୟୋଦଶ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ହାସଲ କରି ଚଳିତ ଋତୁରେ ପ୍ରଥମ ଚାରି ଦଳ ମଧ୍ୟ‌ରେ ରହିବା ପକ୍କା କରିଥିଲା। ଏବେ ଚତୁର୍ଥ ସ୍ଥାନରେ ଥିଲେ ମଧ୍ୟ ହାତରେ ଆଉ ଗୋଟିଏ ମ୍ୟାଚ୍ ଥିବାରୁ ମୁମ୍ବାଇ ପାଇଁ ଶୀର୍ଷ ଦୁଇ ସ୍ଥାନରେ ରହିବା ପଥ ଉନ୍ମୁକ୍ତ ରହିଛି। ଦିଲ୍ଲୀ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ତ୍ରୟୋଦଶ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରି ପ୍ଲେ ଅଫ୍ ଦୌଡ଼ରେ ରହିବାର ଶେଷ ସୁଯୋଗ ହାତଛଡ଼ା କରିଛି।ପୂର୍ବରୁ ଅସୁସ୍ଥତା ପାଇଁ ନିୟମିତ ଅଧିନାୟକ ଅକ୍ଷର ପଟେଲଙ୍କ ଅନୁପସ୍ଥିତିରେ ଫାଫ୍ ଡୁ’ପ୍ଲେସିସ୍ ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦିଲ୍ଲୀ ବୋଲର୍‌ମାନେ ମଧ୍ୟ ତାଙ୍କ ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖି ନିୟମିତ ବ୍ୟବଧାନରେ ୱିକେଟ୍ କରାୟତ୍ତ କରିଥିଲେ। ଏପରିକି ମୁମ୍ବାଇକୁ ଆଶାଜନକ ଭାବେ ରନ୍ ଗତି ବଢ଼ାଇବାର ବେଶି ସୁଯୋଗ ଦେଇ ନଥିଲେ। ଘରୋଇ ପରିବେଶରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା (୫) ବିଫଳ ହେବା କିନ୍ତୁ ପ୍ରଶଂସକଙ୍କୁ ସବୁଠୁ ବେଶି ନିରାଶ କରିଥିଲା। ତେବେ ସୂର୍ଯ୍ୟକୁମାର ଯାଦବ ୭୩* (୪୩ ବଲ୍) ରନ୍‌ର ଲଢ଼ୁଆ ପାଳି ଖେଳି ସବୁକିଛି ଓଲଟ ପାଲଟ କରି ଦେଇଥିଲେ। ଶେଷ ଆଡ଼କୁ ନମନ ଧୀର (୨୪* ରନ୍, ୮ବଲ୍) ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ଉଭୟ ଶେଷ ଦୁଇ ଓଭରରେ ଛକା, ଚୌକା ବର୍ଷା କରି ୪୮ ରନ୍ ଅମଳ କରିଥିଲେ। ଫଳରେ ଏକଦା ଦେଢ଼ଶହ ରନ୍ କରିବାକୁ ସଂଘର୍ଷ କରୁଥିବା ମୁମ୍ବାଇ ୫ ୱିକେଟ୍ ବିନିମୟରେ ୧୮୦ ରନ୍‌ର ଆହ୍ବାନଭରା ସ୍କୋର୍ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର୍: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୦/୫ (ସୂର୍ଯ୍ୟକୁମାର ଯାଦବ ୭୩*, ତିଳକ ବର୍ମା ୨୭, ରିୟାନ ରିକେଲଟନ୍ ୨୫, ନମନ ଧୀର ୨୪*)। ଦିଲ୍ଲୀ କ୍ୟାପିଟାଲ୍‌ସ ୧୮.୨ ଓଭରରେ ୧୨୧ (ସମୀର ରିଜ୍‌ଭି ୩୯, ବିପ୍ରଜ ନିଗମ ୨୦, ମିଚଲ ସାଣ୍ଟନର୍ ୩/୧୧, ଯଶପ୍ରୀତ୍ ବୁମ୍‌ରା ୩/୧୨, ୱିଲ୍ ଜ୍ୟାକ୍ସ ୧/୧୬)।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *