ନନ୍ଦନକାନନରେ ହଇଚଇ: ସପ୍ତାହକରେ ମଲେଣି ୫ କୁମ୍ଭୀର, ୨ ଧଳା ମୟୂର
ନନ୍ଦନକାନନରେ ହଇଚଇ: ସପ୍ତାହକରେ ମଲେଣି ୫ କୁମ୍ଭୀର, ୨ ଧଳା ମୟୂର
ଭୁବନେଶ୍ୱର ୦୨-୦୨-୨୦୨୬(ଏସ,ଏମ ) : ବାରଙ୍ଗ ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏଠାରେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଥିବା ବନ୍ୟପ୍ରାଣୀ ଅକାଳରେ ମରିଯାଉଥିବା ଦେଖାଯାଉଛି। ସପ୍ତାହକ ଭିତରେ ଏଠାରେ ୫ଟି ବଉଳା କୁମ୍ଭୀର, ୨ଟି ବିରଳ ଧଳା ମୟୂର ଓ ଗୋଟିଏ ଗୁରାଣ୍ଡିର ଅକାଳ ମୃତ୍ୟୁ ନଜରକୁ ଆସିଛି। ହଠାତ୍ ଦେଖାଦେଇଥିବା ଏଭଳି ଅଘଟଣ, ଏଠାରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ଚରମ ଅବହେଳାର ନିଦର୍ଶନ ବୋଲି ପରିବେଶବିତ୍ ଓ ପଶୁପ୍ରେମୀମାନେ ଅଭିଯୋଗ ଉଠାଇଲେଣି। ପାଞ୍ଚ ପାଞ୍ଚଟି ବଉଳା କୁମ୍ଭୀରଙ୍କ ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି ଏବଂ କୁମ୍ଭୀର ରହୁଥିବା ଜଳଭଣ୍ଡାରର ଶୋଧନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ଖବର ଅନୁସାରେ ସପ୍ତାହକ ଭିତରେ ନନ୍ଦନକାନନରେ ୫ଟି ଲୁଣାଜଳ ବଉଳା କୁମ୍ଭୀର, ୨ଟି ବିରଳ ଧଳା ମୟୂର ଓ ଗୋଟିଏ ଗୁରାଣ୍ଡିକୁ ମିଶାଇ ମୋଟ ୮ଟି ପ୍ରାଣୀଙ୍କର ମୃତ୍ୟୁ ହୋଇଛି। ୩ଟି ଅଣ୍ଡିରା ଓ ୨ଟି ମାଈ କୁମ୍ଭୀରଙ୍କ ମୃତ୍ୟୁ ହୋଇଛି। ସମସ୍ତଙ୍କର ବୟସ ପ୍ରାୟ ୮ ବର୍ଷ ଓ ଲମ୍ବ ମଧ୍ୟ ୮ ଫୁଟ୍ରୁ ଅଧିକ। ଏବେ ଏହି ପ୍ରଜାତିର ମୋଟ ୨୬ଟି କୁମ୍ଭୀର ଜୀବିତ ଅଛନ୍ତି। ଲଗାତାର କୁମ୍ଭୀର ମରିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଓୟୁଏଟି ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଥିଲେ। ତେଣୁ ଶୁକ୍ରବାର ଦିନ ଓୟୁଏଟି ବିଶେଷଜ୍ଞ ଡା. ଆଦିତ୍ୟ ଆଚାର୍ଯ୍ୟ ନନ୍ଦନକାନନ ଆସି କୁମ୍ଭୀରଙ୍କ ଶବ ବ୍ୟବଚ୍ଛେଦ କରାଇବା ସହ ପରୀକ୍ଷା ପାଇଁ ରକ୍ତ ଓ ମାଂସ ନମୁନା ସଂଗ୍ରହ କରିଛନ୍ତି। ରିପୋର୍ଟ ମିଳିବା ପରେ କୁମ୍ଭୀର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି। କୁମ୍ଭୀରମାନେ ସଂକ୍ରମଣର ଶିକାର ହୋଇ ମରିଛନ୍ତି ବୋଲି ଲକ୍ଷଣରୁ ସନ୍ଦେହ କରାଯାଉଛି। ତେଣୁ ତ୍ବରିତ ପଦକ୍ଷେପ ଭାବେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁମ୍ଭୀରମାନଙ୍କୁ ସଂକ୍ରମଣ ମୁକ୍ତ କରିବା ପାଇଁ ପ୍ରତିଷେଧକ ଟିକା ଦିଆଯାଇଛି।
ସେହିଭଳି କୁମ୍ଭୀର ରହୁଥିବା ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ ଠିକ୍ ଏଭଳି ଅଘଟଣ ଦେଖାଦେଇଥିଲା। ସଂକ୍ରମଣ ଯୋଗୁ ଲଗାତାର ଘଡ଼ିଆଳ କୁମ୍ଭୀରଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ସଂକ୍ରମଣ ରୋକିବାକୁ ଜଳ ନିଷ୍କାସନ ଓ ପଙ୍କ ଉଦ୍ଧାର କରାଯାଇଥିଲା। ତେଣୁ ଏଥର ବି କୁମ୍ଭୀରଙ୍କ ଖୁଆଡ଼ର ପଙ୍କ ଉଦ୍ଧାର କରାଯିବ ବୋଲି ଯୋଜନା କରାଯାଇଛି। ଏତିକିବେଳେ ନନ୍ଦନକାନନରେ ୨ଟି ବିରଳ ଧଳା ମୟୂର ଓ ଗୋଟିଏ ଗୁରାଣ୍ଡିର ମୃତ୍ୟୁ କର୍ତ୍ତୃପକ୍ଷଙ୍କୁ ଅଡ଼ୁଆରେ ପକାଇଛି। ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ ନାରାୟଣ କହିଛନ୍ତି ଯେ କୁମ୍ଭୀର ମୃତ୍ୟୁର କାରଣ ଜାଣିବାକୁ ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ବିହିତ ପଦକ୍ଷେପ ନିଆଯିବ।
