ଦେଶ- ବିଦେଶରାଜ୍ୟ

ମଧୁ ବାବୁଙ୍କ ଜନ୍ମପୀଠର ବିକାଶ ପାଇଁ ଅଧିକ ଅର୍ଥର ବ୍ୟବସ୍ଥା କରାଯିବ: ‘ଉତ୍କଳ ଟ୍ୟାନେରି ସ୍ମୃତିରେ ହେବ କୀର୍ତ୍ତିସ୍ତମ୍ଭ’

‘ଉତ୍କଳ ଟ୍ୟାନେରି ସ୍ମୃତିରେ ହେବ କୀର୍ତ୍ତିସ୍ତମ୍ଭ’

ମଧୁ ବାବୁଙ୍କ ଜନ୍ମପୀଠର ବିକାଶ ପାଇଁ ଅଧିକ ଅର୍ଥର ବ୍ୟବସ୍ଥା କରାଯିବ

କଟକ/ଭୁବନେଶ୍ୱର ୨୯-୦୪-୨୦୨୫ (ଏସ,ଏମ ) :ଧୁ ବାବୁ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା। ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ସେ ଜାଗ୍ରତ କରିଥିଲେ। ମଧୁ ବାବୁଙ୍କ ଦେହାବସାନ ପରେ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇ ତାଙ୍କର ସ୍ୱପ୍ନ ସାକାର ହୋଇଥିଲା।ଭୁବନେଶ୍ବର: ମଧୁ ବାବୁ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା। ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ସେ ଜାଗ୍ରତ କରିଥିଲେ। ମଧୁ ବାବୁଙ୍କ ଦେହାବସାନ ପରେ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇ ତାଙ୍କର ସ୍ୱପ୍ନ ସାକାର ହୋଇଥିଲା। ୨୦୩୬ରେ ଗଠନ ହେବ ସମୃଦ୍ଧ ଓଡ଼ିଶା। ସେତେବେଳେ ମଧୁବାବୁଙ୍କ ଆଉ ଏକ ସ୍ୱପ୍ନ ସାକାର ହେବ। ତାହା ହିଁ ହେବ ଉତ୍କଳ ଗୌରବଙ୍କ ପ୍ରତି ଓଡ଼ିଆ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଲେ, ଯେଉଁ ଅସ୍ମିତା ପାଇଁ ଆଜି ଆମେ ଗୌରବ ଅନୁଭବ କରୁଛୁ ତା’ର ମୂଳ ଉଦ୍ୟୋକ୍ତା ହେଉଛନ୍ତି ମଧୁ ବାବୁ। ସେ ଥିଲେ ସ୍ୱାଭିମାନୀ ପୁରୁଷ, ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ। ଉତ୍କଳ ସମ୍ମିଳନୀ ଦ୍ବାରା ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, କୁଟୀର ଶିଳ୍ପର ବିକାଶ ସହିତ କୃଷି, ବାଣିଜ୍ୟ, ଶିକ୍ଷା ସଂସ୍କୃତି ଆଦି କ୍ଷେତ୍ରରେ ନୂତନ ଜାଗରଣ ସୃଷ୍ଟି କରିପାରିଥିଲେ। ପୂର୍ବ ସରକାର କେବଳ ଲୋକ ଦେଖାଣିଆ କାମ କରୁଥିଲେ। ଚଳିତ ବର୍ଷ ରାଜ୍ୟ ସରକାର ଉତ୍କଳ ଦିବସକୁ ମଧୁ ବାବୁଙ୍କ ଜନ୍ମମାଟି ସତ୍ୟଭାମାପୁରରେ ପାଳନ କରି ପୂଜ୍ୟପୂଜା ପରମ୍ପରାକୁ ଏକ ନୂଆ ସ୍ତରକୁ ଆଣିଛନ୍ତି। ମଧୁ ବାବୁଙ୍କ ଜନ୍ମପୀଠକୁ ଓଡ଼ିଆ ଜାତୀୟତାର କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ କାମ ଆରମ୍ଭ ହୋଇଛି। ଜନ୍ମପୀଠର ବିକାଶ ପାଇଁ ୨୧ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ମତିପୀଠ ଓ ଜନ୍ମପୀଠର ବିକାଶ ପାଇଁ ଆହୁରି ଅଧିକ ଟଙ୍କା ବିନିଯୋଗ କରାଯିବ। ଏଥିପାଇଁ ଆଉ ଥରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମଧୁବାବୁଙ୍କ ସ୍ମୃତି ସହିତ ଜଡ଼ିତ ଉତ୍କଳ ଟ୍ୟାନେରିକୁ ଏକ କୀର୍ତ୍ତିସ୍ତମ୍ଭ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ମଧୁ ବାବୁଙ୍କୁ ସ୍ମରଣ କରିବା ଅର୍ଥ ହେଉଛି ଓଡିଆ ଅସ୍ମିତା ଜାଗରଣକୁ ସ୍ମରଣ କରିବା। ଓଡ଼ିଆ ମାଟିରେ ଜନ୍ମ ନେଇଥିବା ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ବ ହେଉଛନ୍ତି ଉତ୍କଳଗୌରବ ମଧୁସୂଦନ। ଓଡ଼ିଆ ଅସ୍ତିତ୍ବ ରକ୍ଷା ପାଇଁ ସେ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥିଲେ। ଓକିଲାତି ପାଠକୁ ସେ ନିୟୋଜିତ କରିଥିଲେ ଅନ୍ୟାୟ ବିରୋଧରେ ଲଢ଼େଇ କରିବା ପାଇଁ। ଉତ୍କଳ ଟ୍ୟାନେରି, ଓଡ଼ିଶା ଆର୍ଟଓୟାର ଓ ଉତ୍କଳ ସମ୍ମିଳନୀ ହେଉଛି ମଧୁବାବୁଙ୍କ ଜୀବନର ତିନିଟି କୀର୍ତ୍ତିସ୍ତମ୍ଭ। ଅନ୍ୟତମ ଅତିଥି ତଥା ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଓ ଏକାମ୍ର ବିଧାୟକ ବାବୁ ସିଂହ ମଧୁବାବୁଙ୍କ କୀର୍ତ୍ତି ଓ ଅସ୍ମିତାକୁ ଆଗାମୀ ପିଢ଼ି ନିକଟରେ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ମତ ଦେଇଥି‌ଲେ। ସଭା ପରେ ଭୁବନେଶ୍ବର ଲାବଣ୍ୟ ଥିଏଟର୍‌ ପକ୍ଷରୁ ମଧୁବାବୁଙ୍କ ଅବଦାନ ସଂପର୍କିତ ନାଟକ ‘ନିଶୀଥ ସୂର୍ଯ୍ୟ’ ପରିବେଷଣ କରାଯାଇଥିଲା। ନାଟକର କଳାକାର ଓ ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିଲା ବେଳେ ବିଭାଗୀୟ ନିର୍ଦ୍ଦେଶକ ଦେବପ୍ରସାଦ ଦାଶ ଧନ୍ୟବାଦ ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *