ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
ରଥାରୁଢ଼ ଶ୍ରୀଜିଉଙ୍କ ଅପେକ୍ଷାରେ ଶ୍ରଦ୍ଧାଳୁ
ପୁରୀ୦୫-୦୭-୨୦୨୫(ଏସ.ଏମ ) : ଆଜି ପବିତ୍ର ବାହୁଡ଼ା ଯାତ୍ରା। ଶ୍ରୀଜିଉମାନେ ଶ୍ରୀମନ୍ଦିର ଅଭିମୁଖେ ଫେରିଆସିବେ। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିବେ। ଏଥି ପାଇଁ ବଡ଼ଦାଣ୍ଡ ପୁଣି ଥରେ ଜନସମୁଦ୍ର ଆରମ୍ଭ ହୋଇଯାଇଛି। ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। ଆଡ଼ପ ମଣ୍ଡପରେ ନବମୀ ଅବସରରେ ଶୁକ୍ରବାର ଦିନସାରା ଶ୍ରୀଜିଉମାନଙ୍କୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି। ମୁଣ୍ଡିଆ ମାରି ମନର କଥା କହିଥିଲେ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ କରାଯାଇଥିବା ବେଳେ ନୀତିକୁ ଶୃଙ୍ଖଳିତ କରାଯାଇଛି। ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ନୀତିକାନ୍ତି ମୁତାବକ, ଠିଆ ପହୁଡ଼ ହୋଇଥିବାରୁ ୫ ତାରିଖ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବ।ସକାଳ ୭ଟାରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ, ସାଢ଼େ ୨ଟା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବାହୁଡ଼ା ଯାତ୍ରାରେ ଶୃଙ୍ଖଳା ପାଇଁ ୨୦୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ହେବେ। ଭକ୍ତଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ଟ୍ରାଫିକ ରୁଟ୍ ନିର୍ଦ୍ଧାରିତ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଚାରିଚକିଆ ଓ ଦୁଇଚକିଆ ଯାନ ରଖିବା ପାଇଁ ସ୍ବତନ୍ତ୍ର ସ୍ଥାନ ସ୍ଥିରୀକୃତ ହୋଇଛି।
ଶ୍ରୀମସ୍ତକରେ ଟାହିଆ ପିନ୍ଧି ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି ହଳଧର…
ଚକ୍ରରାଜ ପ୍ରଭୁ ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ..
ଯୋଗମାୟା_ଦେବୀ_ସୁଭଦ୍ରାଙ୍କ_ପହଣ୍ଡି
ଶ୍ରୀମସ୍ତକରେ ଟାହିଆ ପିନ୍ଧି, ଘଣ୍ଟ, କାହାଳି ତାଳେ ତାଳେ ମହାପ୍ରଭୁ ଭାବବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ…
ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଓ ଶ୍ରୀ ରାମ କୃଷ୍ଣ ରଥକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ…
ଶରଧାବାଲିରେ ପହଣ୍ଡି ପରେ ତିନି ରଥରେ ଚାଲିଛି ଛେରାପହଁରା ସେବା.. ସୁନାର ଖଡ଼ିକା ଧରି ଛେରାପହଁରା କରୁଛନ୍ତି ଗଜପତି ମହାରାଜା..