ରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଲାଗୁହେବ ତ ଲିଙ୍ଗରାଜ ସ୍ବତନ୍ତ୍ର ଆଇନ!

ଲାଗୁହେବ ତ ଲିଙ୍ଗରାଜ ସ୍ବତନ୍ତ୍ର ଆଇନ!

ଖୁବ୍‌ଶୀଘ୍ର ଲାଗୁ ହେବ ‘ଲିଙ୍ଗରାଜ ସ୍ବତନ୍ତ୍ର ଆଇନ’। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏମିତି ଗଣମାଧ୍ୟମ ଆଗରେ ଉତ୍ତର ରଖୁଛନ୍ତି ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ନେତୃତ୍ବ। ହେଲେ‌ ସେହି ‘ଖୁବ୍‌ ଶୀଘ୍ର’ ସମୟ ଟି କେବେ?

ଭୁବନେଶ୍ବର୧୩-୦୭-୨୦୨୫(ଏସ .ଏମ ) : ଖୁବ୍‌ଶୀଘ୍ର ଲାଗୁ ହେବ ‘ଲିଙ୍ଗରାଜ ସ୍ବତନ୍ତ୍ର ଆଇନ’। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏମିତି ଗଣମାଧ୍ୟମ ଆଗରେ ଉତ୍ତର ରଖୁଛନ୍ତି ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ନେତୃତ୍ବ। ହେଲେ‌ ସେହି ‘ଖୁବ୍‌ ଶୀଘ୍ର’ ସମୟ ଟି କେବେ? ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଜ୍ଞିନ୍‌ ସରକାର ଥିବା ବେଳେ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ କାହିଁକି ଲାଗୁ ହୋଇ ପାରୁନାହିଁ? ଦିନେ କି ଦୁଇ ଦିନ ନୁହେଁ ୨ ବର୍ଷ ହେବ କେନ୍ଦ୍ର ସରକାରଙ୍କ ପ୍ରଶ୍ନର ଉତ୍ତର ଦେଇ ପାରୁନାହିଁ ରାଜ୍ୟ। ଫଳରେ କେନ୍ଦ୍ର ସରକାରଙ୍କ ଅନୁମତି ମିଳୁନାହିଁ କି ସ୍ବତନ୍ତ୍ର ଆଇନ ଲାଗୁ ହୋଇପାରୁନାହିଁ। ପୁରୀ ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଲାଗୁ କରିବା ପାଇଁ ଦଶନ୍ଧି ଧରି ଦାବି ହୋଇଆସୁଥିଲା। ୨୦୨୦ ଡିସେମ୍ବର ୨ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ ଲାଗୁ ହେବା ନେଇ ଘୋଷଣା କରିଥିଲେ। ୨୦୨୧ ନଭେମ୍ବର ୨୪ରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଲିଙ୍ଗରାଜ ସ୍ବତନ୍ତ୍ର ଆଇନ ଅଧ୍ୟାଦେଶ ଜାରି କରିବାକୁ ଆଇନ ବିଭାଗ ତତ୍‌କାଳୀନ ରାଜ୍ୟପାଳଙ୍କ ଦସ୍ତଖତ ପାଇଁ ପଠାଇଥିଲେ। କିନ୍ତୁ ରାଜ୍ୟପାଳ ଉକ୍ତ ଅଧ୍ୟାଦେଶ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ମରାମର୍ଶ ମାଗିଦେଲେ। ଏହାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଟଣାଓଟରା ଚାଲିଲା । ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶ ବିଧାନସଭାର କ୍ଷମତା ପରିସରଭୁକ୍ତ ନୁହେଁ ଏବଂ ଏହା ‘ଆମ୍‌ସାର ଆଇନ’କୁ ବିରୋଧାଚରଣ କରୁଛି କହି ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇଲେ। ଅଧ୍ୟାଦେଶରେ ଏକାଧିକ ଧାରା ଯୋଡ଼ିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଲେ। ଏମିତି ତିନିଥର କେନ୍ଦ୍ର ଆପତ୍ତି ଉଠାଇଲା ଏବଂ ରାଜ୍ୟ ସରକାର ଚିଠି ଯୋଗେ ଉତ୍ତର ଦେଇଥିଲେ। ତେବେ ୨୦୨୩ ମସିହା ଜୁନ୍‌ ମାସରେ ୭ଟି ପ୍ରସ୍ତାବ ଉପରେ ଉତ୍ତର ରଖିବାକୁ ପୁଣି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସେଥିମଧ୍ୟରେ ଲିଙ୍ଗରାଜ ମନ୍ଦିରରେ କୌଣସି ଭିଆଇପି ଦର୍ଶନର ବ୍ୟବସ୍ଥା ରହିବ ନାହିଁ। ଯେକେହି ହେଲେ ମଧ୍ୟ ସାଧାରଣ ଦର୍ଶନ ବ୍ୟବସ୍ଥାରେ ଦର୍ଶନ କରିବେ। ମନ୍ଦିର ପରିସରରେ କୌଣସି ଦୋକାନ ଖୋଲା ଯିବନାହିଁ। ଯେ କୌଣସି ମରାମତି ହେଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ପଡ଼ିବ। ଏହି ତିନିଟି ଦାବି ସହ ଅନ୍ୟ ଚାରିଟି ଦାବି ଉପରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଉତ୍ତର ଦେଇନାହାନ୍ତି।

ଗତ ନିର୍ବାଚନ ସମୟରେ ଏ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କେନ୍ଦ୍ରରେ ବିଜେପି ସରକାର ଲିଙ୍ଗରାଜଙ୍କ ଆଇନକୁ କରାଇ ଦେଉନଥିବା କହି ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି। ସାଧାରଣ ନିର୍ବାଚନ ପରେ ଓଡ଼ିଶା ରାଜନୀତି ଚିତ୍ର ବଦଳିଲା। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିଲା। ଏହା ଭିତରେ ଡବଲ୍‌ ଇଞ୍ଜିନ୍‌ ସରକାରକୁ ଗୋଟିଏ ବର୍ଷ ବିତିଯାଇଛି। ହେଲେ ଏଯାଏ ଲିଙ୍ଗରାଜ ଆଇନ ଲାଗୁ ହୋଇପାରୁନାହିଁ। ସୂଚନାନୁସାରେ ୬ ମାସ ତଳେ ଏନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ମୁଖ୍ୟଶାସନ ସଚିବଙ୍କ ସହ ଆଇନମନ୍ତ୍ରୀ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ରହି ଆଲୋଚନା କରିଥିଲେ। କେନ୍ଦ୍ର ଆପତ୍ତି ଉଠାଇଥିବା ବିଷୟ ଉପରେ ଉତ୍ତର ଦେବାକୁ ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିଲା। ତୁରନ୍ତ କେନ୍ଦ୍ରକୁ ଉତ୍ତର ‌ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଗଲା ନାହିଁ। ଏବେବି ଆଇନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ୍‌ ପଡ଼ି ରହିଛି। ଏଣେ ମନ୍ଦିର ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଛି। ଏଠି ସ୍ଥାୟୀ ପ୍ରଶାସନିକ ଅଧିକାରୀ ନାହାନ୍ତି। ଆବଶ୍ୟକ ଲୋକ ବଳ ନାହିଁ କି ମନ୍ଦିର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ନଷ୍ଟ ହେଉଛି। ମନ୍ଦିର ନୀତିକାନ୍ତିଠାରୁ ଆରମ୍ଭ କରି ପର୍ବପର୍ବାଣୀ ଠିକ୍‌ ସମୟରେ ହୋଇପାରୁନାହିଁ। ଏସବୁ ପ୍ରସଙ୍ଗରେ ସ୍ବତନ୍ତ୍ର ଆଇନ ନଥିବା ଦର୍ଶାଇ ଖସିଯିବାକୁ ଉଦ୍ୟମ କରୁଛି ମନ୍ଦିର ପ୍ରଶାସନ। ଅନ୍ୟପଟେ ଆଇନ ଆସିବ ଆସିବ କହି ସରକାର ସମୟ ଗଡ଼ାଉଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *