ସୁନ୍ଦରପଦା ବିସ୍ଫୋରଣ, ଏନ୍ଆଇଏର ତନାଘନା
ସୁନ୍ଦରପଦା ବିସ୍ଫୋରଣ, ଏନ୍ଆଇଏର ତନାଘନା
ବୋମାଭିଡ଼ା ବେଳେ ସୁନ୍ଦରପଦାରେ ବିସ୍ଫୋରଣ ଘଟଣାର ତଦନ୍ତରୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ଜଟଣୀ ଅଞ୍ଚଳରେ ହେବାକୁ ଥିବା ଏକ ରାଜନୈତିକ ସଭାକୁ ଟାର୍ଗେଟ୍ କରା….
ଭୁବନେଶ୍ୱର ୨୯-୦୧-୨୦୨୬ (ଏସ .ଏମ ) : ବୋମାଭିଡ଼ା ବେଳେ ସୁନ୍ଦରପଦାରେ ବିସ୍ଫୋରଣ ଘଟଣାର ତଦନ୍ତରୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ଜଟଣୀ ଅଞ୍ଚଳରେ ହେବାକୁ ଥିବା ଏକ ରାଜନୈତିକ ସଭାକୁ ଟାର୍ଗେଟ୍ କରା ଯାଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। ସଭାରେ ବୋମାମାଡ଼ ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଯୁବନେତାଙ୍କ ସହ କୁଖ୍ୟାତ ଅପରାଧୀ ସେହେନ୍ୱାଜ୍ ମଲ୍ଲିକର ଡିଲ୍ ହୋଇଥିଲା ବୋଲି ଏହି ସୂତ୍ର କହୁଛି। ତେବେ ଯୁବନେତା କେଉଁ ଦଳର ଓ କେତେ ଟଙ୍କାର ଡିଲ୍ କରିଥିଲେ, କେଉଁ ରାଜନେତା ସଭାରେ ଟାର୍ଗେଟ୍ରେ ଥିଲେ, ଏ ସବୁ ପଛରେ କେତେ ସତ୍ୟତା ରହିଛି ତାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପଟେ ବିଭିନ୍ନ କାରଣରୁ ଏନ୍ଆଇଏ ଏହି ବିସ୍ଫୋରଣ ଘଟଣାରେ ଆଜି ନିଜଆଡ଼ୁ ମୁଣ୍ଡ ପୂରାଇବା ସହିତ ତନାଘନା କରିଛି। ଆଗକୁ ରାଷ୍ଟ୍ରପତିଙ୍କ ଗସ୍ତଥିବାରୁ ଏନ୍ଆଇଏ ଟିମ୍ ଏହାକୁ ଗୁରୁତ୍ବର ସହ ନେଇଛି। ଆଜି ଏନ୍ଆଇଏର ଏକ ସ୍ବତନ୍ତ୍ର ଟିମ୍ ବିସ୍ଫୋରଣ ସ୍ଥଳକୁ ଯାଇ ବିଭିନ୍ନ ଦିଗରୁ ତଦନ୍ତ କରିଛି। ୨ ଘଣ୍ଟାକାଳ ଏନ୍ଆଇଏ ଟିମ୍ର ତନାଘନା ପରେ ଉକ୍ତ ଘରକୁ ପୁଲିସ ସିଲ୍ କରିଛି।
ଏହାଛଡ଼ା ଆଉ ଏକ ଦିଗ ମଧ୍ୟ ପଦାକୁ ଆସିଛି। ପାଖାପାଖି ୧୫ ଦିନ ତଳେ ବୋଲଗଡ଼ ଅରଖପଲ୍ଲୀ ଅଞ୍ଚଳରେ ସେହେନ୍ୱାଜ୍ର ଭାଇକୁ କିଛି ସ୍ଥାନୀୟ ଯୁବକ ଖଣ୍ଡାରେ ହାଣିଥିଲେ। ଯାହାକୁ ନେଇ ସେହେନ୍ୱାଜ୍ ପ୍ରତିଶୋଧ ନେବାକୁ ରକ୍ତଚାଉଳ ଚୋବାଉଥିଲା। ଭାଇ ଆକ୍ରମଣକାରୀଙ୍କ ଉପରେ ସେମାନେ ବୋମାମାଡ଼ କରିଥା’ନ୍ତେ। ଏଭଳି ଦୁଇଟି ସୂତ୍ର ଆଧାରରେ ପୁଲିସ ଖୋଳତାଡ଼ କରିଛି। ପଞ୍ଚମ ମହଲାରେ ବିସ୍ଫୋରଣ ଘଟିଥିବା ଘରମାଲିକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ଜଣାପଡ଼ିଛି, ପାଖାପାଖି ବର୍ଷେ ହେବ ସେହେନ୍ୱାଜ୍ ସେହି କୋଠାରେ ଭଡ଼ାରେ ରହୁଥିଲା। ହେଲେ ତା’ର ଅପରାଧିକ ଦିଗ ସମ୍ପର୍କରେ ମାଲିକଟେର୍ ପାଇ ନଥିଲେ ବୋଲି କହିଛନ୍ତି। ବିଏନ୍ଏସ୍ ଧାରା ୧୮୦ରେ ବୟାନ ରେକର୍ଡ଼ ପରେ ତାଙ୍କୁ ପୁଲିସ ନୋଟିସ୍ ଦେଇ ଛାଡ଼ିଛି। ୧୦ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରି ବୟାନ ରେକର୍ଡ଼ କରିଛି। ଅନ୍ୟପଟେ ବିସ୍ଫୋରଣରେ ଗୁରୁତର ସେହେନ୍ୱାଜ୍ଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କ ସହଯୋଗୀ ଅମିୟର ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସିନାହିଁ। ହେଲେ ଚିକିତ୍ସାଧୀନ ସେହେନ୍ୱାଜ୍ଙ୍କ ମା’ ଓ ବାନ୍ଧବୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।ପ୍ରକାଶ ଥାଉ କି, ଗତ ୨୭ ତାରିଖ ଅପରାହ୍ଣ ପାଖାପାଖି ସାଢ଼େ ୨ଟା ବେଳେ ସେହେନ୍ୱାଜ, ତାଙ୍କ ମା’, ବାନ୍ଧବୀ ଏବଂ ଅମିୟ ମିଶି ଆଜାଦ୍ନଗର ଅଞ୍ଚଳରେ ଥିବା ଏକ କୋଠାର ୫ମ ମହଲାରେ ବୋମା ଭିଡୁଥିଲେ। ଏହି ସମୟରେ ବିସ୍ଫୋରଣ ଯୋଗୁଁ ସେହେନ୍ୱାଜ୍ ଓ ସହଯୋଗୀ ଅମିୟ ଗୁରୁତର ହୋଇଥିବା ବେଳେ ତାଙ୍କ ମା’ ଓ ବାନ୍ଧବୀ ମଧ୍ୟ ଆହତ ହୋଇଥିଲେ।
