TOP STORIESଦେଶ- ବିଦେଶ

ୱକଫ୍‌ ଆଇନ ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ

ୱକଫ୍‌ ଆଇନ ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ

ନୂଆ ୱକଫ୍‌ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ‌ହୋଇଥିବା ଏକାଧିକ ଆବେଦନ ଉପରେ ଆଜି ପ୍ରଧାନ ବିଚାରପତି ବି. ଆର୍‌ ଗୱାଇ ଏବଂ ଜଷ୍ଟିସ ଏଜି ମସିହଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି।ମାମଲା ଗୁରୁତର ନଥିଲେ ହସ୍ତକ୍ଷେପ କରାଯିବନି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧.୦୫.୨୦୨୫(ଏସ .ଏମ ) : ନୂଆ ୱକଫ୍‌ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ‌ହୋଇଥିବା ଏକାଧିକ ଆବେଦନ ଉପରେ ଆଜି ପ୍ରଧାନ ବିଚାରପତି ବି. ଆର୍‌ ଗୱାଇ ଏବଂ ଜଷ୍ଟିସ ଏଜି ମସିହଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ପ୍ରଧାନ ବିଚାରପତି ଗୱାଇ ୱକଫ୍‌ ଆଇନ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପ୍ରଧାନ ବିଚାରପତି ଗୱାଇ କହିଛନ୍ତି, ସଂସଦ ଦ୍ବାରା ଗୃହୀତ ଆଇନକୁ ସାମ୍ବିଧାନିକ ବି‌ବେଚନା କରାଯାଏ। ସ୍ପଷ୍ଟ ଏବଂ ଅତି ଗୁରୁତର ସମସ୍ୟା ନଥିଲେ କୋର୍ଟ ଆଇନରେ ହସ୍ତକ୍ଷେପ କରନ୍ତି ନାହିଁ। ଉଲ୍ଲେଖ‌ଯୋଗ୍ୟ ‌ଯେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ୩ଟି ପ୍ରମୁଖ ପ୍ରସଙ୍ଗକୁ ଚିହ୍ନଟ କରିଥିଲେ। ସେଗୁଡ଼ିକ ହେଉଛି ‘ୱକଫ୍‌ ବାଏ ୟୁଜର, ୱକଫ୍‌ ପରିଷଦ ଓ ରାଜ୍ୟ ୱକଫ୍‌ ‌ବୋର୍ଡକୁ ଅଣମୁସଲମାନ ସଦସ୍ୟ ମନୋନୟନ ଏବଂ ସରକାରୀ ଜମିକୁ ୱକଫ୍‌ ସମ୍ପତ୍ତି ଭାବେ ଚିହ୍ନଟ କରିବା। ତେବେ କେନ୍ଦ୍ର ସରକାର କୋର୍ଟଙ୍କୁ ଆଶ୍ବସ୍ତ କରି କହିଥିଲେ ଯେ ମାମଲା ଫଏସଲା‌ ନହେବା ପର୍ଯ୍ୟନ୍ତ ସରକାର ଏହି ପ୍ରସଙ୍ଗରେ ଆଗକୁ ବଢ଼ିବେନି। ଆଜି ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ କେନ୍ଦ୍ର ସରକାର କୋର୍ଟଙ୍କ ଦ୍ବାରା ଚିହ୍ନଟ ୩ଟି ପ୍ରସଙ୍ଗ ଉପରେ ଜବାବ ରଖି ସାରିଛନ୍ତି। କିନ୍ତୁ ଆବେଦନକାରୀମାନଙ୍କ ଲିଖିତ ଅଭିଯୋଗ ଏବେ ଅନ୍ୟାନ୍ୟ ପ୍ରସଙ୍ଗକୁ ପରିବର୍ଦ୍ଧିତ ହୋଇଛି। କିନ୍ତୁ ଏହି ୩ଟି ପ୍ରସଙ୍ଗରେ ହିଁ ମାମଲାକୁ ସୀମିତ ରଖାଯାଉ ବୋଲି ମେହଟା କୋର୍ଟଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଙ୍ଘଭି ଏହ‌ାକୁ ବିରୋଧ କରିଥିଲେ। ସିଙ୍ଘଭି ଯୁକ୍ତି ରଖିଥିଲେ ଯେ ତତ୍କାଳୀନ ପ୍ରଧାନ ବିଚାରପତି ସଂଜୀବ ଖାନ୍ନା କହିଥିଲେ ‌ଯେ ଆମେ ମାମଲାର ଶୁଣାଣି କରିବୁ ଏବଂ କିଭଳି ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରିହେବ ତାହା ଦେଖିବୁ। ଏବେ ଆମକୁ ଏହି ୩ଟି ପ୍ରସଙ୍ଗରେ ସୀମିତ ରହିବାପାଇଁ କୁହାଯାଇପାରିବନି ବୋଲି ସିଙ୍ଘଭି କହିଛନ୍ତି। ଅନ୍ୟପକ୍ଷେ ସିବଲ କହିଛନ୍ତି, ୱକଫ୍‌ ଜମି ନିୟନ୍ତ୍ରଣକୁ ନେବା ଏହି ଆଇନର ଉଦ୍ଦେଶ୍ୟ।ଆଇନଟି ଏଭଳି ପ୍ରସ୍ତୁତ ହୋଇଛି ଯେ ବିନା କୌଣସି ପ୍ରକ୍ରିୟାରେ ୱକଫ୍‌ ସମ୍ପତ୍ତିକୁ ହଡ଼ପ କରିହେବ। ସେହିପରି ଅତି କମ୍‌ରେ ୫ ବର୍ଷ ଇସଲାମ ଧର୍ମ ଅବଲମ୍ବନ କରିଥିବା ବ୍ୟକ୍ତି ହିଁ ‌କେବଳ ୱକଫ୍‌ ଗଠନ କରିପାରିବା ପ୍ରସଙ୍ଗକୁ ‌ସେ ବିରୋଧ କରିଛନ୍ତି। ସେ କହିଛନ୍ତି, ଯଦି ମୁଁ ମୋ ମୃତ୍ୟୁଶଯ୍ୟାରେ ଥିବି ଏବଂ ୱକଫ୍‌ ଗଠନ କରିବାକୁ ଚାହିବି ତେବେ ମୋତେ ମୁସଲିମ ଧର୍ମ ଅବଲମ୍ବନ କରୁଥିବା ପ୍ରମାଣ ଦେବାକୁ ପଡ଼ିବ। ଏହା ଅସାମ୍ବିଧାନିକ ବୋଲି ସିବଲ କହିଛନ୍ତି। ୱକଫ୍‌ ସମ୍ପତ୍ତିକୁ ହଡ଼ପ କରିବା ୱକଫ୍‌ ଆଇନର ଲକ୍ଷ୍ୟ ବୋଲି ସିବଲ ପୁଣିଥ‌ରେ ଦାବି ଦୋହରାଇବାରୁ ପ୍ରଧାନ ବିଚାରପତି କହିଥିଲେ, ‘ସଂସଦ ଦ୍ବାରା ଗୃହୀତ ବିଲ୍‌ ଆଇନରେ ପରିଣତ ହେଲେ ଏହା ସାମ୍ବିଧାନିକ ହୋଇଥାଏ। ଅତି ଗୁରୁତର ସମସ୍ୟା ନଥିଲେ କୋର୍ଟ ହସ୍ତକ୍ଷେପ କରିପାରିବେନି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଅଧିକ କିଛି କହିବାକୁ ଚାହୁନାହୁଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *