ଦେଶ- ବିଦେଶରାଜ୍ୟ

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ

ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି…

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି। ଜନ୍ମବେଦୀକୁ ବୁଲେଇ ନେବାକୁ ବିଶ୍ୱକର୍ମା ସେବକ ଗଢ଼ିଦେବେ ତିନି ରଥ। ବଡ଼ ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ଆରମ୍ଭ ହେବ ରଥ ନିର୍ମାଣ ପର୍ବ।

(ବିଜୟ କୁମାରପଣ୍ଡା )

ବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି। ଜନ୍ମବେଦୀକୁ ବୁଲେଇ ନେବାକୁ ବିଶ୍ୱକର୍ମା ସେବକ ଗଢ଼ିଦେବେ ତିନି ରଥ। ବଡ଼ ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ଆରମ୍ଭ ହେବ ରଥ ନିର୍ମାଣ ପର୍ବ। ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞପୂର୍ବକ ରଥ ନିର୍ମାଣ ଅନୁକୂଳ କରାଯିବ। ତିନି ରଥର ମୁଖ୍ୟ ବିଶ୍ବକର୍ମାଙ୍କ ସମେତ ଅନ୍ୟ ସେବକମାନେ ରଥ ନିର୍ମାଣ ପାଇଁ ଶାଢ଼ି ବନ୍ଧାଇ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ। ରଥ ନିର୍ମାଣ ଭଳି ଶୁଭକାର୍ଯ୍ୟ ପୂର୍ବରୁ ଯଜ୍ଞ କରାଯିବ। ଅସ୍ଥାୟୀ ଯଜ୍ଞଶାଳାରେ ୩ଟି ଧଉରା କାଠ ରଖାଯାଇ ଶାସ୍ତ୍ର ମତେ ହୋମଯଜ୍ଞ କରାଯିବ। ନୃସିଂହଙ୍କ ମନ୍ତ୍ରରେ ଯଜ୍ଞ ଆହୁତି ଦିଆଯିବା ପରେ ରଥ କାର୍ଯ୍ୟ ଆରମ୍ଭ ହେବ। ପୂର୍ବରୁ ସ୍ବତନ୍ତ୍ର ମଣି ବିମାନରେ ଚଳନ୍ତି ପ୍ରତିମା ବିଜେ କରିବେ। ମଦନମୋହନ, ଶ୍ରୀଦେବୀ, ଭୂଦେବୀ ମଣି ବିମାନରେ ଚାପ ଖେଳିବାକୁ ଯିବା ପୂର୍ବରୁ କିଛି ସମୟ ଅପେକ୍ଷା କରି ରଥ କାଠ ଆଡ଼କୁ ମୁହଁ କରି ରହିବାର ବିଧି ରହିଛି। ରାମ-କୃଷ୍ଣ ପାଲିଙ୍କିରେ ଏବଂ ପଞ୍ଚ ମହାଦେବ ଶ୍ରୀଜମ୍ବେଶ୍ବର, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ବର ଓ ଶ୍ରୀନୀଳକଣ୍ଠେଶ୍ବର ରଥଖଳା ନିକଟରେ ରଥ କାଠ ଅନୁକୂଳ ପର୍ଯ୍ୟନ୍ତ ରହିବେ। ତିନି ବାଡ଼ର ପୂଜାପଣ୍ଡା ସେବକମାନେ ୩ ରଥର ଆଜ୍ଞାମାଳ ଶ୍ରୀମନ୍ଦିରରୁ ଯଜ୍ଞସ୍ଥଳକୁ ଆଣି ବିଜେ କରିବେ। ପୂର୍ବରୁ ଯଜ୍ଞସ୍ଥଳରେ ରଖାଯାଇଥିବା ତିନି ଧଉରା କାଠରେ ଖଣ୍ଡୁଆ ସହ ଆଜ୍ଞାମାଳ ଲାଗି କରାଯିବ। ଦେଉଳ ପୁରୋହିତ ରଥଖଳାରେ ଥିବା ୩ ଧଉରା କାଠକୁ ସୁନା କୁରାଢ଼ିରେ ସ୍ପର୍ଶ କରି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ। ପରେ ତିନି ରଥର ମୁଖ୍ୟ ମହାରଣା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ରଖାଯାଇଥିବା ଉଦ୍ଦିଷ୍ଟ କାଠରେ ନଡ଼ିଆ ବାଡ଼େଇବେ। କୁରାଢ଼ିରେ ଛେଦନ କରି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ। ରଥ ସଂହିତା ଅନୁକରଣପୂର୍ବକ ସରସ୍ବତୀ ପୂଜାରେ ରଥ କାଠ ଅନୁକୂଳ ଏବଂ ଶ୍ରୀରାମ ନବମୀରେ ରଥ କାଠ ଚିରଟ ଆରମ୍ଭ ହୋଇଥାଏ। ଅକ୍ଷୟ ତୃତୀୟାରେ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଏ। ଭଉଁରୀରେ ରଥ ଚକଡେରା ଆରମ୍ଭ ହୋଇ ଶୀତଳ ଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ।

ଶ୍ରୀମନ୍ଦିର ଭିତରେ ହୋଇଥିଲା ରଥ ନିର୍ମାଣ ଅନୁକୂଳ…
୨୦୨୦ ମସିହାରେ ରଥ ଅନୁକୂଳରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। କୋଭିଡ୍‌ କଟକଣା ପାଇଁ ଉକ୍ତ ବର୍ଷ ଅକ୍ଷୟ ତୃତୀୟାରେ ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ଶ୍ରୀମନ୍ଦିର ‌ପରିସରରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ବାହାର ବେଢ଼ାରେ ଚାହାଣି ମଣ୍ଡପ ଓ ସ୍ନାନମଣ୍ଡପ ମଧ୍ୟଭାଗରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଏଥି ପାଇଁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ପୂର୍ବଦିନ ଭୋଇ ସେବକମାନେ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର ବେଢ଼ାକୁ ନେଇଥିଲେ। ଏଥିପାଇଁ ସ୍ବତନ୍ତ୍ର ‌ବ୍ୟବସ୍ଥା ହୋଇଥିଲା। ସଂପୃକ୍ତ ସେବାୟତ ସଂଖ୍ୟାକୁ ସୀମିତ କରାଯାଇଥିଲା। ରଥଯାତ୍ରା ଓ ଚନ୍ଦନ ଯାତ୍ରାକୁ ନେଇ ଦିନତମାମ ତର୍ଜମା ପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ପରମ୍ପରା ଭଙ୍ଗ ନ କରିବାକୁ ପରାମର୍ଶ ଦେଇଥିଲେ। ବାହାରେ ନ ହେଲେ ବି ମହାପ୍ରଭୁଙ୍କ ବିଧି ଶ୍ରୀମନ୍ଦିର ଭିତରେ ଅନୁପାଳନ କରିବାକୁ କହିଥିଲେ।

ରଥ ପାଇଁ ତିନି କୁରାଢ଼ି…

 ଶାସ୍ତ୍ରୀୟ ମତ ବିଧିରେ ରଥ ନିର୍ମିତ ହୋଇଥାଏ। ରଥ ନିର୍ମାଣ ପାଇଁ କୁରାଢ଼ିଠୁ ନେଇ ଅନ୍ୟ ଅସ୍ତ୍ରର ବ୍ୟବହାର କରାଯାଏ। ଅକ୍ଷୟ ତୃତୀୟାରେ କାଠରେ ଚୋଟ ଅର୍ଥାତ ସ୍ପର୍ଶ କରି ଅନୁକୂଳ କରାଯାଏ। ରଥ ନିର୍ମାଣ ପାଇଁ ପୂଜା ହେଉଥିବା ତିନିଟି ଅସନ କାଠ ପାଇଁ ୩ଟି କୁରାଢ଼ି ପ୍ରସ୍ତୁତ କରାଯାଇଥାଏ। ଏହି ତିନିଟି କାଠରେ ବାସ୍ତବରେ କାଠ କଟାଯାଏ ନାହିଁ। ବରଂ ବିଧି ପାଳନ ଉଦ୍ଦେଶ୍ୟରେ ୩ଟି ଛୋଟ କୁରାଢ଼ି ପ୍ରସ୍ତୁତ କରାଯାଏ। ବଡ଼ବାଡ଼ ତଥା ତାଳଧ୍ବଜ ରଥର ମୁଖ୍ୟ କମାର ସେବକ ଜଗନ୍ନାଥ ମହାରଣା ଏହି କୁରାଢ଼ି ପ୍ରସ୍ତୁତ କରିଆସୁଛନ୍ତି। ଶୁଦ୍ଧପୂତ ଭାବେ ସେ କୁରାଢ଼ି ପ୍ରସ୍ତୁତ କରନ୍ତି। କୁରାଢ଼ି ଆକାରରେ କ୍ଷୁଦ୍ର ହୋଇଥିଲେ ହେଁ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ। ଅକ୍ଷୟ ତୃତୀୟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ସେ ଏହି କୁରାଢ଼ି ପ୍ରଦାନ କରିଥାଆନ୍ତି।୨୦୦୮ ମସିହାରେ ଶାଢ଼ି ବନ୍ଧାଇବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପାଇଁ ତିନି କୁରାଢ଼ି ପ୍ରସ୍ତୁତ କରିଆସୁଛନ୍ତି। ମହାପ୍ରଭୁଙ୍କ ରଥ ନିର୍ମାଣ ସେବାରେ ତାଙ୍କ ହାତ ନିର୍ମିତ କୁରାଢ଼ି ପ୍ରଥମ ସ୍ପର୍ଶ ପାଉଥିବାରୁ ଏହା ତାଙ୍କୁ ଖୁବ୍‌ ଆତ୍ମସନ୍ତୋଷ ଦିଏ। ଏଥିପାଇଁ ସେ କେବେ ପାରିଶ୍ରମିକ ଦାବି କରିନାହାନ୍ତି କି ଏଥିପାଇଁ ଆଶା ବି କରିନାହାନ୍ତି ବୋଲି କହିଛନ୍ତି। ସାମାନ୍ୟ ଭକ୍ତଟିଏ ଭଳି ସେ କୁରାଢ଼ି ତିଆରି କରିଆସୁଛନ୍ତି। ଅକ୍ଷୟ ତୃତୀୟା ପରେ ଅଗ୍ନିପୂଜା ହୋଇ ଦୋଳବେଦି ଭିତରେ କମାର ସେବା ଆରମ୍ଭ ହେବ। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *