ଅପରାଧରାଜ୍ୟ

ଜମି ଦଖଲରୁ ସାଙ୍ଗକୁ ଗୁଳି, ଅଭିଯୁକ୍ତ ଗିରଫ

ଜମି ଦଖଲରୁ ସାଙ୍ଗକୁ ଗୁଳି, ଅଭିଯୁକ୍ତ ଗିରଫ

ବିଲ୍‌ଡର ପାଇଁ ଜମି ଦଖଲ କରିବାକୁ ଯାଇ ସାଙ୍ଗକୁ ଗୁଳି କରିଛି ସାଙ୍ଗ। ବୁଧବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦକା ଥାନା ପାଣିଓରା ଗାଁରେ। ସାଙ୍ଗ ବିଶ୍ବଜିତ୍ ସାହୁର ଗୁଳିମାଡ଼ରେ ପୂର୍ଣ୍ଣଚନ୍ଦ୍ର ନାୟକ ଆହତ ହୋଇଛନ୍ତି।

ଭୁବନେଶ୍ୱର ୦୯-୦୫-୨୦୨୫( ଏସ.ଏମ ) : ବିଲ୍‌ଡର ପାଇଁ ଜମି ଦଖଲ କରିବାକୁ ଯାଇ ସାଙ୍ଗକୁ ଗୁଳି କରିଛି ସାଙ୍ଗ। ବୁଧବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦକା ଥାନା ପାଣିଓରା ଗାଁରେ। ସାଙ୍ଗ ବିଶ୍ବଜିତ୍ ସାହୁର ଗୁଳିମାଡ଼ରେ ପୂର୍ଣ୍ଣଚନ୍ଦ୍ର ନାୟକ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ପୁର୍ଣ୍ଣଚନ୍ଦ୍ରଙ୍କୁ ଏମ୍‌ସରୁ ସ୍ଥାନାନ୍ତର କରାଯାଇଛି ଏବଂ ସେ ଏବେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ମାମଲାରେ ଚନ୍ଦକା ଥାନା ପୁଲିସ ବିଶ୍ବଜିତ୍‌(୨୮)କୁ ଗିରଫ କରିଛି। ତା’ଠାରୁ ଗୋଟିଏ ବନ୍ଧୁକ ଓ ୨ରାଉଣ୍ଡ ଗୁଳି ଜବତ କରାଯାଇଛି। ସେହିଭଳି ଗୁଳିକାଣ୍ଡ ଘଟିଥିବା ସ୍ଥାନରୁ ପୁଲିସ ଗୋଟିଏ ଖୋକା ଜବତ କରିଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ବିଶ୍ବଜିତ୍‌ ଓ ପୂର୍ଣ୍ଣଚନ୍ଦ୍ର ଦୁଇ ସାଙ୍ଗ। ସେମାନେ ସ୍ଥାନୀୟ ଅଞ୍ଚଳରେ ଜମିବାଡ଼ି ବ୍ୟବସାୟରେ ବ୍ରୋକର୍‌ ଭାବେ କାମ କରୁଥିଲେ। ବିଶେଷକରି ବିଲ୍‌ଡରଙ୍କୁ ଜମି କିଣାବିକାରେ ସହଯୋଗ କରୁଥିଲେ ଏବଂ କମିସନ ବାଣ୍ଟି ନେଉଥିଲେ। କିନ୍ତୁ ଅର୍ଥ ହିଁ ଅନର୍ଥର ମୂଳ କାରଣ। ପ୍ରଚୁର ଅର୍ଥ ଆଗରେ ବନ୍ଧୁତା ପାଲଟିଥିଲା ତୁଚ୍ଛ। ଏକ ଜମି ଦଖଲକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହି କାରବାରରୁ ଦୂରେଇ ରହିବାକୁ ବିଶ୍ବଜିତ୍‌ ବାରମ୍ବାର ପୂର୍ଣ୍ଣଚନ୍ଦ୍ରକୁ ଧମକ ଦେଇଆସୁଥିଲା। କିନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କ ବିରୋଧ ଯୋଗୁ ବିଶ୍ବଜିତ୍ ଜମି ଦଖଲ ନେବାରେ ସଫଳ ହୋଇନଥିଲା। ବୁଧବାର ରାତି ପାଖାପାଖି ସାଢ଼େ ୧୦ଟା ସମୟରେ ବିଶ୍ବଜିତ୍‌ ବନ୍ଧୁକ ଧରି ପୂର୍ଣ୍ଣଚନ୍ଦ୍ରଙ୍କ ଘରକୁ ଯାଇଥିଲା। ଉଭୟଙ୍କ ମଧ୍ୟରେ ପୁଣି ଜମି ଦଖଲକୁ ନେଇ କଥା କଟାକଟି ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ପଛକୁ ନ ହଟିବାରୁ ବିଶ୍ବଜିତ୍‌ ରାଗିଯାଇ ହଠାତ୍‌ ଅଣ୍ଟାରୁ ବନ୍ଧୁକ ବାହାର କରି ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ଛାତିରେ ଗୁଳି ପଶି ପିଠି ପଟେ ବାହାରିଯାଇଥିଲା। ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ର ଟଳି ପଡ଼ିଥିଲେ। ଗୁଳିକାଣ୍ଡ ଶୁଣି ଗାଁ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ଫେରାର ହେବାକୁ ବସିଥିବା ବିଶ୍ବଜିତ୍‌କୁ ମାଡ଼ି ବସିଥିଲେ। ପରିବାର ଲୋକେ ପୂର୍ଣ୍ଣଚନ୍ଦ୍ରକୁ ହସ୍ପିଟାଲ୍‌ ନେଇଥିଲେ। ଏପଟେ ଗାଁ ଲୋକଙ୍କଠାରୁ ଖବର ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳକୁ ଆସି ବିଶ୍ବଜିତ୍‌କୁ ଗିରଫ କରିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *