ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ହସିନାଙ୍କ ବିରୋଧରେ ଗଣହତ୍ୟା ଅଭିଯୋଗ

ହସିନାଙ୍କ ବିରୋଧରେ ଗଣହତ୍ୟା ଅଭିଯୋଗ

ମାନବତା ବିରୋଧୀ ଅପରାଧରେ ମୃତ୍ୟୁଦଣ୍ଡ ମିଳିପାରେ, ଆଇସିଟିରେ ଦାୟର ହେଲା ଅଭିଯୋଗ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୦୬-୨୦୨୫(ଏସ .ଏମ ) : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବିକତା ବିରୋଧୀ ଅପରାଧ ଅଭିଯୋଗ ଦାୟର ହୋଇଛି। ହସିନା ସିଧାସଳଖ ଗଣହତ୍ୟା ଅପରାଧରେ ସଂପୃକ୍ତ ବୋଲି ଦର୍ଶାଇ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିଟି)ରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ଗତବର୍ଷ ଜୁଲାଇ ମାସରେ ବିଦ୍ରୋହ ସମୟରେ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ବର୍ବରତାକୁ ନେଇ ଏଭଳି ଅଭିଯୋଗ ହୋଇଛି। ହସିନାଙ୍କ ସହିତ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜମାନ ଖାନ୍ କମଲ ଏବଂ ପୂର୍ବତନ ଆଇଜି ଚୌଧୁରୀ ମାମୁନ୍‌ଙ୍କୁ ମଧ୍ୟ ସହ-ଅଭିଯୁକ୍ତ ଦର୍ଶାଯାଇଥିବା ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି। ବାଂଲାଦେଶ ଟେଲିଭିଜନରେ ଏହି ମକଦ୍ଦମା ଶୁଣାଣିର ସିଧା ପ୍ରସାରଣ କରାଯାଉଛି। ଆଇସିଟିର ମୁଖ୍ୟ ଓକିଲ ତାଜୁଲ ଇସଲାମ ରବିବାର ଟ୍ରିବ୍ୟୁନାଲରେ ଆନୁଷ୍ଠାନିକ ଭାବେ ଅଭିଯୋଗ ଉପସ୍ଥାପନ କରିଥିଲେ। ଗତବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ସମଗ୍ର ଦେଶରେ ଘଟିଥିବା ଗଣହତ୍ୟା ପାଇଁ ହସିନା ମୁଖ୍ୟତଃ ଦାୟୀ ବୋଲି ଆବେଦନରେ ଦର୍ଶାଯାଇଛି। ମେ’ ୧୨ ତାରିଖରେ ତଦନ୍ତକାରୀମାନେ ଏକ ରିପୋର୍ଟ ଦାଖଲ କରି କହିଥିଲେ ଯେ ହସିନା ଏହି ହତ୍ୟାକାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହସିନା ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିବ ବୋଲି କୁହାଯାଉଛି।

କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପୂର୍ବରୁ ଆଇସିଟିରେ ଆଉ ଦୁଇଟି ମାମଲାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ହେଉଛି ଆୱାମୀ ଲିଗ୍ ଶାସନ କାଳରେ ନିଖୋଜ ଏବଂ ବିଚାରବିହୀନ ହତ୍ୟାକାଣ୍ଡ ଏବଂ ଅନ୍ୟଟି ୨୦୧୩ରେ ମୋତିଝିଲର ଶାପଲା ଛତରଠାରେ ହେଫାଜତ-ଏ-ଇସଲାମ ରାଲି ସମୟରେ ହୋଇଥିବା ହତ୍ୟାକାଣ୍ଡ ସହିତ ଜଡ଼ିତ। ଏହି ହତ୍ୟାକାଣ୍ଡ ପାଇଁ ହସିନାଙ୍କୁ ଦାୟୀ କରି କୋର୍ଟରେ କେତେକ ଦସ୍ତାବିଜ ଉପସ୍ଥାପନ କରାଯାଇଛି। ତଦନ୍ତ ରିପୋର୍ଟକୁ ଉଦାହରଣ ଦେଇ ଆଇସିଟିର ମୁଖ୍ୟ ଓକିଲ ତାଜୁଲ ଇସଲାମ ମେ ୧୨ରେ କହିଥିଲେ ଯେ ହସିନା ସମସ୍ତ ରାଷ୍ଟ୍ରୀୟ ବାହିନୀ, ତାଙ୍କ ଦଳ ଏବଂ ଏହାର ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଗଣହତ୍ୟା ଓ ଅନ୍ୟ ବର୍ବର ହିଂସା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସିଧାସଳଖ ଦାୟୀ। ରିପୋର୍ଟ ଅନୁଯାୟୀ ବିଦ୍ରୋହ ସମୟରେ ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୫ ହଜାରରୁ ଅଧିକ ଆହତ ହୋଇଥିଲେ। ଏହା ସହିତ ଅଗଣିତ ଲୋକଙ୍କୁ ନିର୍ଯାତନା ଓ ଅମାନବୀୟ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *