LatestNewsଅପରାଧଦେଶ- ବିଦେଶରାଜ୍ୟ

ବିମାନବନ୍ଦରରୁ ଆଫଗାନୀ ନାଗରିକ ଗିରଫ ମାମଲା

ବିମାନବନ୍ଦରରୁ ଆଫଗାନୀ ନାଗରିକ ଗିରଫ ମାମଲା

କଟକରେ ଖୋଳତାଡ଼ କରୁଛି ଏନ୍‌ଆଇଏ

ଭୁବନେଶ୍ବର/କଟକ ୨୩-୦୬-୨୦୨୫(ଏସ.ଏମ. ) :ତକାଲି ଭୁବନେଶ୍ବର ବିମାନବନ୍ଦରରୁ ଗିରଫ ହୋଇଥିବା ଆଫାଗାନିସ୍ତାନ ନାଗରିକ ମହମ୍ମଦ ୟୁସୁଫ୍‌ ଓରଫ୍‌ ୟାହା ଖାନ୍‌କୁ ନେଇ ଜୋର୍‌ଦାର ଖୋଳତାଡ଼ ଆରମ୍ଭ ହୋଇଛି। ୨୦୧୮ମସିହାରେ ଭାରତ ଆସି କଟକରେ ରହୁଥିବା ୟୁସୁଫ୍‌ କିଭଳି ଭାରତୀୟ ପାସ୍‌ପୋର୍ଟ ହାତେଇଲା ଏବଂ ଏହା ପଛରେ ତା’ର କି ଉଦ୍ଦେଶ୍ୟ ରହିଛି, ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଓ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଏହାର ଖୋଳତାଡ଼ କରୁଛି। ଅଭିଯୁକ୍ତ ୟୁସୁଫ୍‌ କଟକ ଠିକଣାରେ ପାସ୍‌‌ପୋର୍ଟ ହାସଲ କରିଥିବାରୁ ଏନ୍‌ଆଇଏ କଟକରେ ଡେରା ପକାଇଥିବା ଜଣାପଡ଼ିଛି।

ମହମ୍ମଦ ୟୁସୁଫ୍‌ କଟକର ପୁରୀଘାଟ ଥାନା ପେଟିନ୍‌ସାହିରେ ଏକ ଘରେ ଭଡ଼ାରେ ରହୁଥିଲା। ଜାଲିଆତି କରି ସମସ୍ତ ଭାରତୀୟ ପରିଚୟପତ୍ର ହାତେଇ ନେଇଥିଲା ବୋଲି ଜଣାପଡ଼ିଛି। ପୁରୀଘାଟ ଥାନା ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିବା ପରେ ଉକ୍ତ କୋଠାରେ ରହୁଥିବା ଆଲମ୍ ଖାନ୍, ଶେର୍‌ ଖାନ୍ ଓ ଆମିର୍ ଖାନ୍ ବି ସାମନାକୁ ଆସିଛନ୍ତି। ଏମାନେ ସମସ୍ତେ ଭିନ୍ନ ଭିନ୍ନ ବଖରାରେ ରହୁଥିଲେ। ଏହି ଘରେ ରହୁଥିବା ସମସ୍ତେ ଆଫଗାନିସ୍ତାନର ବାସିନ୍ଦା। ପୁରୀଘାଟ ଥାନା ପୁଲିସ ଏହି ତିନି ଜଣଙ୍କୁ ଥାନାକୁ ଡାକି ଆଧାରକାର୍ଡ, ପାନ୍ କାର୍ଡ, ଭୋଟର ପରିଚୟପତ୍ର, ପାସ୍‌ପୋର୍ଟ, ଗ୍ୟାସ୍ ବିଲ୍ ଇତ୍ୟାଦି ଯାଞ୍ଚ କରିଛି। ଏମାନେ ସମସ୍ତେ କଟକରେ ରହି ଡ୍ରାଏ ଫ୍ରୁଟ୍‌, ଶାଢ଼ି, କେଶର ବିକ୍ରି କରୁଛନ୍ତି। ପୂର୍ବ ପୁରୁଷ କଟକରେ ରହିଆସୁଥିଲେ। ସେହି କ୍ରମରେ ଏହି ତିନି ଜଣ ମଧ୍ୟ କଟକରେ ରହିଆସୁଛନ୍ତି। ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ଯାଞ୍ଚ କରୁଛି। ସେଭଳି କୌଣସି ସନ୍ଦେହଜନକ ଗତିବିଧି ସାମନାକୁ ଆସିଲେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତକୁ ପାସ୍‌ପୋର୍ଟ ମିଳିବା ନେଇ ତନାଘନା
ଆଉ ତିନି ଆଫଗାନୀ ନାଗରିକଙ୍କୁ ଜେରା

ୟୁସୁଫ୍‌କୁ କିପରି ପାସ୍‌ପୋର୍ଟ ମିଳିଲା, ତାହାର ସବୁ ଦିଗକୁ ତଦନ୍ତ କରୁଛି ଏନ୍‌ଆଇଏ। ପାସ୍‌‌ପୋର୍ଟ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇଥାଏ। ଆଧାରକାର୍ଡ, ଭୋଟର ପରିଚୟପତ୍ର, ବ୍ୟାଙ୍କ୍‌ ପାସ୍‌ବୁକ୍‌, ମାଟ୍ରିକ୍‌ କିମ୍ବା ଅଣ୍ଡର ମାଟ୍ରିକ୍‌ ପ୍ରାମାଣପତ୍ର ଯାଞ୍ଚ କରାଯାଏ। ସେହିଭଳି ସ୍ଥାନୀୟ ଥାନା ପୁଲିସ ଆବେଦନକାରୀ ଜଣକ ଭାରତୀୟ କି ନୁହେଁ, ତାଙ୍କର କିଛି ଆପରାଧିକ ପୃଷ୍ଠଭୂମି ରହିଛି କି ନାହିଁ, ତାଙ୍କ ବିରୋଧରେ କୌଣସି ମାମଲାରେ ଚାର୍ଜସିଟ୍‌ ହୋଇଛି କି ନାହିଁ ଇତ୍ୟାଦି ପ୍ରସଙ୍ଗରେ ତଦନ୍ତ କରନ୍ତି ଏବଂ ପାସ୍‌ପୋର୍ଟ ଅଫିସ୍‌କୁ ଗୋପନୀୟ ରିପୋର୍ଟ ଦିଅନ୍ତି। ଏତେସବୁ କଟକଣା ସତ୍ତ୍ବେ ଅଭିଯୁକ୍ତ ୟୁସୁଫ୍‌ କଟକ ଠିକଣାରେ ପାସ୍‌‌ପୋର୍ଟ ହାସଲ କରିଛି। ତେଣୁ ଥାନାଠାରୁ ଆରମ୍ଭ କରି କଟକ ଡିଆଇବି ଓ ସ୍ପେସାଲ୍‌ ବ୍ରା଼ଞ୍ଚ ପର୍ଯ୍ୟନ୍ତ କିଭଳି ଯାଞ୍ଚ କରାଯାଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ସେ ଭୋଟର କାର୍ଡ ହାତେଇବା ପଛରେ କିଏ ତାଙ୍କୁ ସହାୟତା କଲା, ସେନେଇ ଯାଞ୍ଚ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ୟୁସୁଫ୍‌ ୨୦୧୮ମସିହାରେ ଆଫାଗାନିସ୍ତାନ ପାସ୍‌ପୋର୍ଟ ବଳରେ ଭାରତ ଆସିଥିଲା। କିନ୍ତୁ କଟକରେ ରହିବା ପରେ ନିଜକୁ ୟାହା ଖାନ୍‌ ବୋଲି ପରିଚୟ ଦେଇ ଭାରତୀୟ ପାସ୍‌ପୋର୍ଟ ହାସଲ କରିଥିଲେ। ଏହି ନକଲି ପାସ୍‌‌ପୋର୍ଟ ବଳରେ ସେ ଦୁବାଇ ଦେଇ ବାରମ୍ବାର ଆଫଗାନିସ୍ତାନ ଯା’ଆସ କରୁଥିଲେ। ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି ହେବା ପରେ ବି ସେ ଧରାଛୁଆଁ ଦେଉନଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *