LatestNewsPoliticsଅପରାଧଘଟଣା ଦୁର୍ଘଟଣାରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଗୋପାଳପୁର ଗଣଦୁଷ୍କର୍ମ ମାମଲା

ଗୋପାଳପୁର ଗଣଦୁଷ୍କର୍ମ ମାମଲା…

ଅଭିଯୁକ୍ତଙ୍କ ମୋବାଇଲ୍‌ରେ ରହିଛି ପ୍ରମାଣ, ଗୋଟିଏ ଦିନ ପାଇଁ ରିମାଣ୍ଡରେ ଗଲେ ୧୦ ଅଭିଯୁକ୍ତ

ଭୁବନେଶ୍ବର/ବ୍ରହ୍ମପୁର ୨୪-୦୬-୨୦୨୫(ଏସ.ଏମ. ) :  ଗୋପାଳପୁର ଗଣଦୁଷ୍କର୍ମ ମାମଲାକୁ କ୍ରାଇମ୍‌ବ୍ରାଞ୍ଚ୍‌ର ସିଏଡବ୍ଲ୍ୟୁ (କ୍ରାଇମ୍‌ ଏଗେନ୍‌ଷ୍ଟ ଓମେନ୍) ଟିମ୍‌ ତଦନ୍ତ କରୁଛି। ଗଣଦୁଷ୍କର୍ମ ମାମଲାରେ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ ପ୍ରମାଣ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଡିଜି ବିନୟତୋଷ ମିଶ୍ର କହିଛନ୍ତି।  ଶ୍ରୀ ମିଶ୍ର କହିଛନ୍ତି,  ସିସିଟିଭି ଓ ମୋବାଇଲ୍‌ରେ ବଳିଷ୍ଠ ପ୍ରମାଣ ରହିଛି। ମୋବାଇଲ୍‌ରେ ଦୁଷ୍କର୍ମ ଘଟଣାର ଭିଡିଓ ରହିଛି କି ନାହିଁ ତାହାର ଯାଞ୍ଚ ପାଇଁ ରାଜ୍ୟ ଫରେନ୍‌ସିକ୍‌ ବିଭାଗକୁ ପଠାଇଛି କ୍ରାଇମ୍‌ବ୍ରାଞ୍ଚ। ଡିଜିଟାଲ ପ୍ରମାଣ ହିସାବରେ ଅଭିଯୁକ୍ତମାନଙ୍କ ଘଟଣା ଘଟିବା ପୂର୍ବର, ଘଟଣା ଘଟିବା ପରର ଫୁଟେଜ୍‌ ସଂଗ୍ରହ ହୋଇଛି। ଏହାଛଡ଼ା ଘଟଣା ଘଟିବା ପୂର୍ବରୁ ଓ ଘଟଣା ଘଟିବା ଭିତରେ ଦେଢ଼ ଘଣ୍ଟାର ବ୍ୟବଧାନ ରହିଥିଲା ବେଳେ ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ଉପସ୍ଥିତି ନେଇ ଡିଜିଟାଲ ପ୍ରମାଣ ମିଳିଛି। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ  ତଦନ୍ତକୁ ଅଧିକ ତ୍ବରାନ୍ବିତ କରାଯିବା ସହ ଅଭିଯୁକ୍ତମାନେ କିପରି ଦଣ୍ଡ ପାଇବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଅଭିଯୁକ୍ତମାନଙ୍କ ଡିଏନ୍‌ଏ ପ୍ରୋଫାଇଲିଂ ଓ ଡିଜିଟାଲ୍‌ ପ୍ରମାଣ  ରିପୋର୍ଟ ଯେତେଶୀଘ୍ର ଫେରେନ୍‌ସିକ୍‌ ଟିମ୍ ଦାଖଲ କରିବ, ସେତେ ଶୀଘ୍ର ଏହି ସଙ୍ଗୀନ ମାମଲାର ଚାର୍ଜସିଟ୍‌ ଦାଖଲ କରାଯାଇ ଶୁଣାଣି ଆରମ୍ଭ ହେବ ବୋଲି ଡିଜି ଶ୍ରୀ ମିଶ୍ର କହିଛନ୍ତି। ମାମଲାରେ ୧୦ଜଣ ଅଭିଯୁକ୍ତଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

ଅପର ପକ୍ଷରେ ଏହି ଗଣଦୁଷ୍କର୍ମ ମାମଲାରେ ଏନ୍‌ଏଚ୍‌ଆର୍‌ସି ନିଜଆଡ଼ୁ ମାମଲାକୁ ଗ୍ରହଣ କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦୁଇ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଉକ୍ତ ରିପୋର୍ଟରେ ଗଣଦୁଷ୍କର୍ମ ମାମଲାର ତଦନ୍ତ ରିପୋର୍ଟ, ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ସହ ପୀଡ଼ିତାଙ୍କୁ କ୍ଷତିପୂରଣ କିମ୍ବା କାଉନ୍‌ସେଲିଂ ଯଦି ଦିଆଯାଇଛି ଏହାର ତଥ୍ୟ ଦେବାକୁ କୁହାଯାଇଛି। ସୂଚନା‌ଯୋଗ୍ୟ ଯେ ପୂର୍ବରୁ ଜାତୀୟ ମହିଳା କମିସନ ନିଜଆଡ଼ୁ ମାମଲାକୁ ଗ୍ରହଣ କରିଥିଲେ। ଦୁଇ ଦିନ ପୂର୍ବେ ଏଆଇସିସିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ବ୍ରହ୍ମପୁର ଏସ୍‌ପିଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ପ୍ରକାଶ ଥାଉକି, ଗତ ୧୫ ତାରିଖ ରାତିରେ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବା ଜଣେ କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ପୁଲିସ ୧୦ ଜଣଙ୍କୁ ଗିରଫ କରିଥିଲା। ଏଥିରେ ୪ଜଣ ନାବାଳକ ରହିଥିବାରୁ ସେମାନଙ୍କୁ ପୁଲିସ ଜେଜେବିରେ ହାଜର କରିଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିକଟରେ ଅଭିଯୁକ୍ତମାନଙ୍କର ଟିଆଇ ପରେଡ୍‌ ହୋଇଥିଲା ବେଳେ ସମସ୍ତ ୧୦ଜଣଙ୍କୁ ପୀଡ଼ିତା ଚିହ୍ନଟ କରିଥିଲେ। ଏହି ଗଣଦୁଷ୍କର୍ମ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚର ସିଏଡବ୍ଲ୍ୟୁ ଜାରି ରଖିଛି। ପୀଡ଼ିତା ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି। ତେଣୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ତଦନ୍ତକାରୀ ଟିମ୍‌ର ନେତୃତ୍ବ ନେଉଥିବା ଆଇଜି ଏସ୍‌ ସାଇନିଙ୍କ ଖୋଳତାଡ଼ ଜାରି ରହିଛି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *