ଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଇରାନ ଇସ୍ରାଏଲ ଯୁଦ୍ଧ

ଇରାନ ଇସ୍ରାଏଲ ଯୁଦ୍ଧ

କ୍ଲଷ୍ଟର୍‌ ବୋମା ମାଡ଼କଲା ଇରାନ, ଏକକାଳୀନ ୬୦ ଯୁଦ୍ଧ ବିମାନରୁ ଇସ୍ରାଏଲର ଆକ୍ରମଣ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧-୦୬-୨୦୨୫(ଏସ .ଏମ ) : ସ୍ରାଏଲ-ଇରାନ ଯୁଦ୍ଧ ଅଷ୍ଟମ ଦିନରେ ଅତି ଭୀଷଣ ରୂପ ନେଇଛି। ଶୁକ୍ରବାର ଉଭୟ ଦେଶ ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ବିନିମୟ କରିଛନ୍ତି। ଇରାନର ଆଣବିକ ଭିତ୍ତିଭୂମି ଓ ଅନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ବୋମାମାଡ଼ କରିଛି। ତେହେରାନ ଏହାର ଜବାବରେ ପ୍ରଥମ ଥର ପାଇଁ କ୍ଲଷ୍ଟର ବୋମାରେ ସଜ୍ଜିତ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହା କି ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। କ୍ଲଷ୍ଟର ବୋମା ମାଡ଼ରେ ଏକ ହସ୍ପିଟାଲ ସମେତ ଅନେକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଏଭଳି ବର୍ବର ଆକ୍ରମଣ ପାଇଁ ଇରାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ଆମେରିକା ଇରାନ ଉପରେ ଆକ୍ରମଣ କରିବ କି ନାହିଁ ତାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ମଧ୍ୟରେ ସ୍ଥିର କରିବେ ବୋଲି ହ୍ୱାଇଟ୍ ହାଉସ୍ କରିବା ପରେ ଏହାକୁ ନେଇ ଇସ୍ରାଏଲରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଆମେରିକାରୁ ସାମରିକ ସହାୟତା ମିଳିବାରେ ବିଳମ୍ବ ହେଲେ ଇସ୍ରାଏଲ ଅତି ଭୟାନକ ସ୍ଥିତିର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି। ଇରାନ ମାତ୍ର ଦୁଇ ସପ୍ତାହ ମଧ୍ୟରେ ପରମାଣୁ ଅସ୍ତ୍ର ଉତ୍ପାଦନ କରିବାକୁ ସକ୍ଷମ ହେବ ବୋଲି ହ୍ୱାଇଟ୍ ହାଉସ୍ କହିବା ପରେ ଇସ୍ରାଏଲ ଆଜି ୬୦ଟି ଯୁଦ୍ଧ ବିମାନ ଦ୍ବାରା ଆକ୍ରମଣ ଜାରି ରଖିଛି।

ଇରାନର ସାମରିକ ପ୍ରତିଷ୍ଠାନରେ ଇସ୍ରାଏଲର ବୋମାମାଡ଼ ଜାରି
ଏକକାଳୀନ ୬୦ ଯୁଦ୍ଧ ବିମାନରୁ ଇସ୍ରାଏଲର ଆକ୍ରମଣ
ତେଲ୍‌ ଅଭିଭ୍‌ରେ ବି ଧ୍ବଂସଲୀଳା
ନୂଆ ଗୁଇନ୍ଦା ମୁଖ୍ୟ ନିଯୁକ୍ତ କଲା ଇରାନ
ଆକ୍ରମଣ ଭୟରେ କତରରୁ ୪୦ ବିମାନ ସ୍ଥାନାନ୍ତର କଲା ଆମେରିକା

ଅନ୍ୟପକ୍ଷରେ ଇସ୍ରାଏଲ ନିକ୍ଷେପ କରିଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ଇସ୍ରାଏଲ ଅଟକାଇବାରେ ଅସମର୍ଥ ହେବାରୁ ତେଲ୍‌ ଅଭିଭ୍‌ରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଇରାନର ସାମରିକ ଓ ପରମାଣୁ ସ୍ଥଳ ଉପରେ ଆକ୍ରମଣ ଜାରି ରଖିଛି ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ଭିତ୍ତିଭୂମିକୁ ଟାର୍ଗେଟ୍ କରିଛି। ଏହା ପୂର୍ବରୁ ଇରାନ ଦକ୍ଷିଣ ଇସ୍ରାଏଲର ଏକ ମେଡିକାଲ କୋଠା ଉପରେ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି କରିଥିଲା। ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ଆକ୍ରମଣରେ ୭୧ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାମାନ୍ୟ ଆହତ ହୋଇଛନ୍ତି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କାରୋଲିନ୍ ଲିଭିଟ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାର୍ତ୍ତାକୁ ଉଦ୍ଧାର କରି କହିଛନ୍ତି ଯେ ନିକଟ ଭବିଷ୍ୟତରେ ଇରାନ ସହ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ସେ ଦୁଇ ସପ୍ତାହ ସ୍ଥଗିତ ରଖିଛନ୍ତି। ରୁଷ୍‌ ଓ ଚୀନ୍‌ର ଚେତାବନୀ ପରେ ଟ୍ରମ୍ପ ଏବେ ତାଙ୍କ ରଣନୀତିରେ ପରିବର୍ତ୍ତନ କରିଥିବା କୁହାଯାଉଛି।

ଇରାନ ନିଜର ଇସ୍‌ଲାମିକ ରିଭୋଲ୍ୟୁସନରୀ ଗାର୍ଡସ କର୍ପସ (ଆଇଆର୍‌ଜିସି)ର ନୂଆ ଗୁଇନ୍ଦା ମୁଖ୍ୟ ନିଯୁକ୍ତ କରିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ ବ୍ରିଗେଡିୟର ଜେନେରାଲ ମାଜିଦ ଖାଦାମିଙ୍କୁ ଆଇଆର୍‌ଜିସି କମାଣ୍ଡର ମେଜର ଜେନେରାଲ ମହମ୍ମଦ ପାକପୁର ନୂଆ ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ସେ ମହମ୍ମଦ କାଜେମିଙ୍କ ସ୍ଥାନ ନେଇଛନ୍ତି, ଯିଏ କି ରବିବାର ଇସ୍ରାଏଲର ଆକ୍ରମଣରେ ଅନ୍ୟ ଦୁଇ ରିଭୋଲ୍ୟୁସନାରୀ ଗାର୍ଡ ଅଧିକାରୀ ହାସନ ମୋହଘେଗ ଓ ମୋହସେନ ବାଘେରୀଙ୍କ ସହ ନିହତ ହୋଇଥିଲେ। ଉତ୍ତେଜନା ବଢ଼ୁଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ କତରସ୍ଥିତ ଏକ ପ୍ରମୁଖ ଆମେରିକୀୟ ଏୟାରବେସ୍‌ରୁ ପ୍ରାୟ ୪୦ଟି ଆମେରିକୀୟ ସାମରିକ ବିମାନ ସ୍ଥାନାନ୍ତର କରାଯାଇଛି, ଯାହା ସମ୍ଭାବ୍ୟ ଇରାନ ଆକ୍ରମଣରୁ ଆମେରିକୀୟ ସମ୍ପତ୍ତିକୁ ରକ୍ଷା କରିବା ପାଇଁ ଏକ ପ୍ରାରମ୍ଭିକ ପଦକ୍ଷେପ ବୋଲି ଜଣାପଡିଛି।

ଭାରତୀୟଙ୍କୁ ଉଦ୍ଧାର ପାଇଁ ଆକାଶ ସୀମା ଖୋଲିଲା ଇରାନ, ୧ ହଜାର ଭାରତୀୟ ଦିଲ୍ଲୀ ପହଞ୍ଚିବେ

ନୂଆଦିଲ୍ଲୀ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଇରାନ ଆଜି ଏହାର ବାୟୁସୀମାକୁ ‌କେବଳ ଭାରତୀୟ ବିମାନ ପାଇଁ ଖୋଲିଛି। ଇସ୍ରାଏଲ-ଇରାନ ଯୁଦ୍ଧ ଉତ୍ତେଜନା ଘନଉଥିବା ବେଳେ ଏଭଳି ଏକ ସଙ୍କଟ ସମୟରେ ଇରାନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବାପାଇଁ ଇରାନ ଏହାର ବାୟୁସୀମାକୁ ପୁଣିଥରେ ଭାରତ ପାଇଁ ଖୋଲିଛି। ଇରାନରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାପାଇଁ ଭାରତ ସରକାର ଆରମ୍ଭ କରିଥିବା ଅପରେସନ ସିନ୍ଧୁ ଅଧୀନରେ ମଶହଦରୁ ପ୍ରାୟ ୧ ହଜାର ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବ ସ୍ବତନ୍ତ୍ର ବିମାନ । ୩ଟି ବିମାନରେ ଭାରତୀୟଙ୍କୁ ଅଣାଯିବ। ଭାରତ ଅପରେସନ୍‌ ସିନ୍ଧୁ ଆରମ୍ଭ କରିବାର ୨ ଦିନ ପରେ ଇରାନ ନିଜର ବାୟୁସୀମା କେବଳ ଭାରତୀୟ ବିମାନ ପାଇଁ ଖୋଲିବା ଭାରତ ପାଇଁ ଏକ କୂଟନୈତିକ ସଫଳତା ବୋଲି କୁହାଯାଉଛି। ଇରାନରୁ ଭାରତୀୟଙ୍କୁ ଉଦ୍ଧାର ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ୧୧୦ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉତ୍ତର ଇରାନରୁ ଉଦ୍ଧାର କରି ଆର୍ମେନିଆ ସୀମାକୁ ପଠାଯାଇଥିଲା। ଛାତ୍ରମାନେ ଏହାପରେ ଆର୍ମେନିଆ ରାଜଧାନୀ ୟେରେଭାନ୍‌ରୁ ସ୍ବତନ୍ତ୍ର ବିମାନ‌ରେ ଜୁନ୍‌ ୧୮ ତାରିଖ‌ରେ ସୁରକ୍ଷିତ ଭାବେ ଦିଲ୍ଲୀ ପହଞ୍ଚିଥିଲେ। ଇରାନ‌ରେ ଏବେ ପ୍ରାୟ ୧୦ ହଜାର ଭାରତୀୟ ଅଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *