ରାଜ୍ୟ

କାଳ ହେଲା କାଳବୈଶାଖୀ

କାଳ ହେଲା କାଳବୈଶାଖୀ

ଶୁକ୍ରବାର ପୂର୍ବାହ୍ଣରେ ହଠାତ୍‌ ମାଡ଼ିଆସିଲା କାଳବୈଶାଖୀଜନିତ ମେଘପବନ। ଛାତ ଉପରେ ଶୁଖୁଥିବା ଲୁଗାପଟା ଉଡ଼ିଗଲା। ଏତିକିବେଳେ ପିଲାଟି ଲୁଗାପଟା ଆଣିବା ପାଇଁ ପାଚେରି ଡେଉଁଥିଲା। କିନ୍ତୁ ପବନର ଶକ୍ତ ଧକ୍କାରେ ପିଲାଟି ଭାରସାମ୍ୟ ହରାଇ ପାଚେରିରେ ଲାଗିଥିବା ମୁନିଆ ଲୁହାରଡ୍‌ ଉପରେ ପଡ଼ିଗଲା।

ଭୁବନେଶ୍ୱର ୧୯.୦୪.୨୦୨୫ (ଏସ.ଏମ ) : ଶୁକ୍ରବାର ପୂର୍ବାହ୍ଣରେ ହଠାତ୍‌ ମାଡ଼ିଆସିଲା କାଳବୈଶାଖୀଜନିତ ମେଘପବନ। ଛାତ ଉପରେ ଶୁଖୁଥିବା ଲୁଗାପଟା ଉଡ଼ିଗଲା। ଏତିକିବେଳେ ପିଲାଟି ଲୁଗାପଟା ଆଣିବା ପାଇଁ ପାଚେରି ଡେଉଁଥିଲା। କିନ୍ତୁ ପବନର ଶକ୍ତ ଧକ୍କାରେ ପିଲାଟି ଭାରସାମ୍ୟ ହରାଇଲା। ଫଳରେ ଆରପଟକୁ ଡେଇଁବା ପୂର୍ବରୁ ପାଚେରିରେ ଲାଗିଥିବା ମୁନିଆ ଲୁହାରଡ୍‌ ଉପରେ ପଡ଼ିଗଲା। ମୁନିଆ ରଡ୍‌ ପିଲାଟିର କାଖରେ ଗଳି କାନ୍ଧରେ ଫୁଟି ବାହାରିଗଲା। ସୌଭାଗ୍ୟକୁ ଠିକ୍‌ ସମୟରେ ଅଗ୍ନିଶମବାହିନୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାରୁ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି। ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ଆଜି ଏହି ଅଘଟଣ ଘଟିଛି। ୧୩ ବର୍ଷୀୟ ନାବାଳକ ସୋହନ ଦିଗାଲଙ୍କ ପାଇଁ ଆଜି କାଳବୈଶାଖୀ ଏମିତି କାଳ ହୋଇ ଆସିଥିଲା। ନୂଆପଲ୍ଲୀ ଅଞ୍ଚଳର ଅଭିଜିତ୍‌ ତ୍ରିପାଠୀଙ୍କ ଘରେ କନ୍ଧମାଳର ବେଞ୍ଜାମିନ୍‌ ଦିଗାଲ୍‌ ଘରୋଇ ସହାୟକ ଭାବେ କାର୍ଯ୍ୟ କରନ୍ତି। ସେ ସପରିବାର ଶ୍ରୀ ତ୍ରିପାଠୀଙ୍କ କ୍ୟାମ୍ପସ୍‌ରେ ରହୁଥିଲେ। କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବେଗରେ ପବନ ବହିବାରୁ ଛାତରେ ଶୁଖୁଥିବା କିଛି ଲୁଗାପଟା ଉଡ଼ିଯାଇ ପଡ଼ୋଶୀଙ୍କ କ୍ୟାମ୍ପସ୍‌ରେ ପଡ଼ିଥିଲା। ସୋହନ ପାଚେରି ଡେଇଁ ଲୁଗାପଟା ଆଣିବାକୁ ଚେଷ୍ଟା କରିଥିଲେ। ଉକ୍ତ ପାଚେରି ଉପରେ ସୁରକ୍ଷା ପାଇଁ ମୁନିଆ ରଡ୍‌ ଲାଗିଥିଲା। ସୋହନ ପାଚେରି ଡେଉଁଥିବା ବେଳେ ଝଲକାଏ ଜୋର୍‌ ପବନ ଧକ୍କାରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଫଳରେ ଏକ ମୁନିଆ ରଡ୍‌ ତାଙ୍କ କାଖରେ ଗଳି କାନ୍ଧବାଟେ ବାହାରି ପଡ଼ିଥିଲା। ସୋହନ ସେମିତି ଅବସ୍ଥାରେ ହିଁ ପାଚେରିରେ ଲାଗି ରହିଥିଲେ। ତାଙ୍କ ଚିତ୍କାର ଶୁଣି ‌ବାପା ବେଞ୍ଜାମିନ୍‌ ଓ ଶ୍ରୀ ତ୍ରିପାଠୀ ଧାଇଁ ଆସିଥିଲେ। ମାତ୍ର ରଡ୍‌ଟି ଏମିତି ପଶି ରହିଥିଲା ଯେ ସୋହନଙ୍କୁ ଉଦ୍ଧାର କରିବା ସମ୍ଭବ ନଥିଲା। ଶ୍ରୀ ତ୍ରିପାଠୀ ତୁରନ୍ତ ଅଗ୍ନିଶମବାହିନୀକୁ ଫୋନ୍‌ କରିଥିଲେ। ଭାଗ୍ୟକୁ ଲୋକସେବା ଭବନର ଦମକଳବାହିନୀ ନିକଟରେ ଗଛ କଟା କାମରେ ଲାଗିଥିଲା। ଉକ୍ତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କଟର୍‌ରେ ରଡ୍‌କୁ ତଳପଟୁ କାଟିଥିଲେ ଏବଂ ସୋହନଙ୍କୁ ଭୁବନେଶ୍ବର ଏମ୍‌ସକୁ ନେଇଯାଇଥିଲେ। ଏମ୍‌ସ ଡାକ୍ତରୀ ଟିମ୍‌ ସ‌ଙ୍ଗେସଙ୍ଗେ ଅସ୍ତ୍ରୋପଚାର କରି ସୋହନଙ୍କ କାଖରୁ ରଡ୍‌ ବାହାର କରିଥିଲେ। ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ଏବେ ସୋହନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *