ଦୋକାନୀଙ୍କ ତୁଳନାରେ ଭେଣ୍ଡିଂଜୋନ୍ ସଂଖ୍ୟା କମ୍: ବଢ଼ୁଛି ଉଠାଦୋକାନ, ସ୍ଥାୟୀ ସମାଧାନ ନାହିଁ
ଦୋକାନୀଙ୍କ ତୁଳନାରେ ଭେଣ୍ଡିଂଜୋନ୍ ସଂଖ୍ୟା କମ୍
ବଢ଼ୁଛି ଉଠାଦୋକାନ, ସ୍ଥାୟୀ ସମାଧାନ ନାହିଁ
ଭୁବନେଶ୍ୱର ୦୬-୦୫-୨୦୨୫(ଏସ .ଏମ ) : ସହର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ତାଳଦେଇ ଭୁବନେଶ୍ବର ଉପକଣ୍ଠରେ ଆପାର୍ଟମେଣ୍ଟ, ଶିକ୍ଷାନୁଷ୍ଠାନ, ମେଡିକାଲ୍ ଗଢ଼ି ଉଠିଲାଣି। ପାତ୍ରପଡ଼ା, କଳିଙ୍ଗନଗର ଆଦି ଅଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇବାକୁ ଯାଇ ଗୋଟିକ ପରେ ଗୋଟିଏ ଗଢ଼ିଉଠୁଛି ଉଠାଦୋକାନ। ରାସ୍ତାକଡ଼ରେ ଥିବା ଖାଲି ସରକାରୀ ଜମିରେ କ୍ୟାବିନ୍ଟିଏ ପକାଇ ଆରମ୍ଭ ହୋଇଯାଉଛି ବ୍ୟବସାୟ। ଏହାରି ଭିତରେ ଉଠାଦୋକାନୀମାନଙ୍କୁ ବାରମ୍ବାର ପ୍ରଶାସନ ପକ୍ଷରୁ ଉଚ୍ଛେଦର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ୁଛି। କିଛି ଦିନ ପରେ ପୁଣି କ୍ୟାବିନ୍ ଖୋଲିଯାଉଛି। ହେଲେ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ।
ଏସମ୍ପର୍କରେ ପୂର୍ବରୁ ବିଏମ୍ସି ବୈଠକରେ ୪୯ନମ୍ବର ୱାର୍ଡ କର୍ପୋରେଟର ସଞ୍ଜୁକ୍ତା ସୁନ୍ଦରାୟ ଉଠାଦୋକାନୀମାନଙ୍କ ଥଇଥାନ ଲାଗି ପ୍ରଶ୍ନ କରିଥିଲେ। ଶନିମନ୍ଦିର ପାର୍ଶ୍ବ ଓ ଆଳୁଗଦି ନିକଟରେ ବିଏମ୍ସି ପକ୍ଷରୁ ସ୍ଥାନ ନିରୂପଣ କରାଯାଇ ଭେଣ୍ଡିଂଜୋନ୍ ନିର୍ମାଣ ଲାଗି ପ୍ରସ୍ତାବ ଦେଇଥିଲେ। ତେବେ ଏହି ସ୍ଥାନରେ ନେବର୍ହୁଡ୍ ମାର୍କେଟ୍ ନିର୍ମାଣ ଲାଗି ବିଏମ୍ସି ପକ୍ଷରୁ ଆଞ୍ଚଳିକ ଅଧିକାରୀ ଓ ନିର୍ବାହୀଯନ୍ତ୍ରୀଙ୍କୁ ସ୍ଥିତି ଅନୁଧ୍ୟାନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।