ଦେଶ- ବିଦେଶ

ଭାରତ ପାଇଁ ବଡ଼ ବିପଦ ଚୀନ୍‌

ଭାରତ ପାଇଁ ବଡ଼ ବିପଦ ଚୀନ୍‌

ଆମେରିକାର ଗୁଇନ୍ଦା ରିପୋର୍ଟ

ୱାସିଂଟନ/ନୂଆଦିଲ୍ଲୀ ୨୬-୦୫-୨୦୨୫(ଏସ .ଏମ ) : ଚୀନ୍‌ର ବିସ୍ତାରବାଦୀ ନୀତି ଏବଂ ଭାରତ ପ୍ରତି ରଣନୈତିକ ଚ୍ୟାଲେଞ୍ଜକୁ ନେଇ ଆମେରିକାର ଗୁଇନ୍ଦା ରିପୋର୍ଟ ପୁଣି ଥରେ ଚିନ୍ତା ପ୍ରକଟ କରିଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିରକ୍ଷା ନୀତି ଭାରତର ବୈଶ୍ବିକ ନେତୃତ୍ୱକୁ ସୁଦୃଢ଼ କରିବା, ଚୀନ୍‌ର ମୁକାବିଲା କରିବା ଏବଂ ଭାରତର ସାମରିକ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି । ଭାରତ ଚୀନ୍‌କୁ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁଥିବା ବେଳେ ଚୀନ୍‌ର ବିସ୍ତାରବାଦୀତ ନୀତି ଭାରତ ପାଇଁ ଏକ ବିଶାଳ ଚ୍ୟାଲେଂଜ ହୋଇଛି। ରିପୋର୍ଟ ଅନୁଯାୟୀ, ମ୍ୟାମାର, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦେଶରେ ଚୀନ୍ ନିଜର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍‌ଏ)ର ସାମରିକ ଘାଟି ସ୍ଥାପନ କରିବାକୁ ଯୋଜନା ଉପରେ ବିଚାର କରୁଛି। ଯଦି ଏପରି ହୁଏ ତେବେ ଏହା ଭାରତ ପାଇଁ ଏକ ଗମ୍ଭୀର ରଣନୈତିକ ବିପଦ ହୋଇପାରେ କାରଣ ଏହି ଦେଶଗୁଡ଼ିକ ଭାରତର ପ୍ରତ୍ୟକ୍ଷ ସମୁଦ୍ର ଏବଂ ସ୍ଥଳ ସୀମା ନିକଟରେ ଅଛନ୍ତି । ଚୀନ୍ ଭାରତ ମହାସାଗରରେ ନିଜର ପ୍ରଭାବ ବଢ଼ାଇବାକୁ ଚାହୁଛି।ସାମରିକ ଅଭ୍ୟାସ, ପ୍ରଶିକ୍ଷଣ, ଅସ୍ତ୍ରଶସ୍ତ୍ର ବିକ୍ରୟ ଏବଂ ସୂଚନା ଆଦାନ ପ୍ରଦାନ ସମେତ ଚୀନ୍‌ର ପ୍ରଭାବକୁ ସନ୍ତୁଳିତ କରିବା ଏବଂ ନିଜର ବିଶ୍ୱସ୍ତରୀୟ ନେତୃତ୍ୱ ଭୂମିକାକୁ ସୁଦୃଢ଼ କରିବା ପାଇଁ ଭାରତ ଅହରହ ପ୍ରୟାସ କରୁଥିଲେ ମଧ୍ୟ ଚୀନ୍‌ର ଶକ୍ତି ଓ ସାମର୍ଥ୍ୟ ଭାରତ ପାଇଁ ବଡ଼ ଆହ୍ବାନ ହୋଇଛି। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଅକ୍ଟୋବର ୨୦୨୪ ଶେଷରେ ଭାରତ ଏବଂ ଚୀନ୍ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର ଦୁଇଟି ବିବାଦୀୟ ଅଞ୍ଚଳରୁ ହଟିବାକୁ ରାଜି ହୋଇଥିଲେ। ଯଦିଓ ଏହି ପଦକ୍ଷେପ ଦ୍ୱାରା ସୀମାରେ ଉତ୍ତେଜନା କିଛି ମାତ୍ରାରେ ହ୍ରାସ ପାଇଛି, ତଥାପି ସୀମା ବିବାଦର ସମାଧାନ ହୋଇପାରିନାହିଁ। ସୂଚନାଯୋଗ୍ୟ, ୨୦୨୦ମସିହାରେ ଗଲୱାଲ ଅଞ୍ଚଳରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା।

ଭାରତ ଚାରିପଟେ ବିସ୍ତାର କରୁଛି ସାମରିକ ନେଟୱର୍କ

ଚଳିତ ବର୍ଷ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାପରେ ମେ ୭ରୁ ୧୦ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ରାଉଣ୍ଡ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ‘ଆତ୍ମଘାତୀ ଯୁଦ୍ଧାସ୍ତ୍ର’(ଆତ୍ମଘାତୀ ଡ୍ରୋନ୍) ଆକ୍ରମଣ ହୋଇଥିଲା । ସୀମାରେ ମଧ୍ୟ ପ୍ରବଳ ଗୁଳିବିନିମୟ ହୋଇଥିଲା। ମେ’ ୧୦ ସୁଦ୍ଧା ଉଭୟ ପକ୍ଷ ମଧ୍ୟରେ ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା। ବିଶେଷଜ୍ଞଙ୍କ ମତରେ ଚୀନ୍‌-ପାକିସ୍ତାନ ମେଣ୍ଟ ଭାରତ ପାଇଁ ରଣନୈତିକ ବିପଦ ସୃଷ୍ଟି କରିଛି। ଗୋଟିଏ ପଟେ ଏଲ୍‌ଏସି ଉପରେ ଚୀନ୍‌ର ଚାପ ଓ ଅନ୍ୟପଟେ ପାକିସ୍ତାନର ପରମାଣୁ ଓ ସୀମାପାର ନୀତି ଉତ୍ତେଜନା ବଢ଼ାଉଛି ।

ଭାରତ ନିଜର ଅର୍ଥନୈତିକ ଓ ପ୍ରତିରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ରୁଷ୍ ସହ ସମ୍ପର୍କ ବଜାୟ ରଖିବାକୁ ଚାହୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ଯଦିଓ ମୋଦୀ ସରକାର ରୁଷ୍‌ଠାରୁ ସାମରିକ ଉପକରଣର ନୂତନ କ୍ରୟ ହ୍ରାସ କରିଛି, ତଥାପି ଭାରତକୁ ରୁଷ୍‌ନିର୍ମିତ ଟ୍ୟାଙ୍କ ଏବଂ ଲଢୁଆ ବିମାନର ବିପୁଳ ଭଣ୍ଡାର ବଜାୟ ରଖିବା ପାଇଁ ରୁଷ୍‌ର ସ୍ପେୟାର ପାର୍ଟସ ଉପରେ ନିର୍ଭର କରିବାକୁ ପଡିବ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *