ଅପରାଧରାଜ୍ୟ

ହ୍ବାଟସ୍‌ଆପ୍‌ରେ ଫସାଇଲେ, ଟେଲିଗ୍ରାମ୍‌ରେ ଲୁଟିଲେ: ପୁଞ୍ଜି ନିବେଶ ନାଁରେ ୭.୭ଲକ୍ଷ ଟଙ୍କା ଠକେଇ

ହ୍ବାଟସ୍‌ଆପ୍‌ରେ ଫସାଇଲେ, ଟେଲିଗ୍ରାମ୍‌ରେ ଲୁଟିଲେ: ପୁଞ୍ଜି ନିବେଶ ନାଁରେ ୭.୭ଲକ୍ଷ ଟଙ୍କା ଠକେଇ

ପ୍ରଥମେ ହ୍ବାଟସ୍‌ଆପ୍‌ ମେସେଜ୍‌ରେ ଚାକିରି ଦେବାକୁ କହି ଫସାଇଲେ। ପରେ ପୁଞ୍ଜିନିବେଶ ନାଁରେ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଜଏନ୍‌ କରି ୭.୭ଲକ୍ଷ ଟଙ୍କା ଲୁଟିନେଲେ। ଏଭଳି ଏକ ସାଇବର୍‌ ଲୁଟେରା ଗ୍ୟାଙ୍ଗ୍‌କୁ ସାଇବର ଥାନା ପୁଲିସ ଠାବ କରିଛି।

ଭୁବନେଶ୍ୱର ୦୯.୦୫.୨୦୨୫(ଏସ .ଏମ ) : ପ୍ରଥମେ ହ୍ବାଟସ୍‌ଆପ୍‌ ମେସେଜ୍‌ରେ ଚାକିରି ଦେବାକୁ କହି ଫସାଇଲେ। ପରେ ପୁଞ୍ଜିନିବେଶ ନାଁରେ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଜଏନ୍‌ କରି ୭.୭ଲକ୍ଷ ଟଙ୍କା ଲୁଟିନେଲେ। ଏଭଳି ଏକ ସାଇବର୍‌ ଲୁଟେରା ଗ୍ୟାଙ୍ଗ୍‌କୁ ସାଇବର ଥାନା ପୁଲିସ ଠାବ କରିଛି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଶରଣକୁଳ ଡିମିସର ଅଞ୍ଚଳର ରାକେଶ ସ୍ବାଇଁ(୧୮), ବବୁଲ୍‌ ସ୍ବାଇଁ(୧୯) ଓ ଶିଖରପୁର ଅଞ୍ଚଳର ମିଥୁନ ବିଶ୍ବାଳ ଓରଫ ରଶ୍ମିରଂଜନ(୨୧)। ପୁଲିସ ସେମାନଙ୍କ ନିକଟରୁ ୩ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଏଟିଏମ୍‌ କାର୍ଡ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେହିପରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ଅଚଳ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।

ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନ‌ୀରେ ଡିସିପି ଶ୍ରୀ ମୀନା କହିଛନ୍ତି ଯେ ଗତ ମାର୍ଚ୍ଚ ୧୯ ତାରିଖରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ର ଡାଟାଏଣ୍ଟ୍ରି ଅପରେଟର୍‌ ସତ୍ୟରଂଜନ ଶତପଥୀଙ୍କ ହ୍ବାଟସ୍‌ଆପ୍‌କୁ ଏକ ଅଜଣା ନମ୍ବରରୁ ମେସେଜ୍‌ ଆସିଥିଲା। ଯେଉଁଥିରେ ତାଙ୍କୁ ପାର୍ଟ ଟାଇମ୍‌ ଜବ୍‌ ଅଫର କରାଯାଇଥିଲା। ପାର୍ଟ ଟାଇମ୍‌ ଚାକିରି ହୋଇଥିବାରୁ ସତ୍ୟରଂଜନ ଯୋଗାଯୋଗ କରିଥିଲେ। ଏହାପରେ ସାଇବର ଠକ ସେମାନଙ୍କୁ ହ୍ବାଟ୍‌ସଆପ୍‌ରେ ଲିଙ୍କ ପଠାଇଥିଲେ। ଲିଙ୍କରେ କ୍ଲିକ୍‌ କରିବା ପରେ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଜଏନ୍‌ କରାଯାଇଥିଲା। ଏହାପରେ ସେଠାରେ ତାଙ୍କୁ କିଛିଟା କାର୍ଯ୍ୟ ଦିଆଯାଇଥିଲା। ଧୀରେ ଧୀରେ ଫସାଇବା ପରେ ତାଙ୍କୁ ପୁଞ୍ଜିନିବେଶ ପାଇଁ ଠକ ପ୍ରବର୍ତ୍ତାଇଥିଲେ। ପୁଞ୍ଜି ନିବେଶ କଲେ ମାସକ ମଧ୍ୟରେ ୩ ଗୁଣ ଅର୍ଥ ମିଳିବ ବୋଲି ଲୋଭ ଦେଖାଇଥିଲେ।

ପୁଞ୍ଜି ନିବେଶ ନାଁରେ ୭.୭ଲକ୍ଷ ଟଙ୍କା ଠକେଇ
୩ ସାଇବର ଠକଙ୍କୁ ବାନ୍ଧିଲା ପୁଲିସ
ରୢାକେଟ୍‌ରେ ୧୦ରୁ ଅଧିକ ସାମିଲ୍‌

ସତ୍ୟରଂଜନ ପ୍ରଥମେ ୫୦ହଜାର ଟଙ୍କା ନିବେଶ କରିଥିଲେ। ଏମିତି ବିଭିନ୍ନ ପର୍ଯ୍ୟାୟରେ ୭.୭ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଟଙ୍କା ଉଠାଇପାରିନଥିଲେ। ଟଙ୍କା ନଉଠିବାରୁ ସେମାନଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେମାନେ ଆହୁରି ଅଧିକ ଟଙ୍କା ଜମା କରିବାକୁ କହିଥିଲେ। ନଚେତ୍‌ ଆକାଉଣ୍ଟ ବ୍ଲକ୍‌ ହୋଇଯିବ ବୋଲି କହିଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ। ଏନେଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ସତ୍ୟରଂଜନଙ୍କ ଆକାଉଣ୍ଟରୁ ରାକେଶ ଆକାଉଣ୍ଟକୁ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଥିଲେ। ଏସ୍‌ଆଇ ଶୁଭଶ୍ରୀ ନାୟକ ନେତୃତ୍ବରେ ପୁଲିସର ଏକ ଟିମ୍‌ ନୟାଗଡ଼ରେ ଚଢ଼ଉ କରି ରାକେଶକୁ ଗିରଫ କରିଥିଲା। ତା ନାଁରେ ଠକ ମ୍ୟୁଲ୍‌ ଆକାଉଣ୍ଟ ଖୋଲି ଅର୍ଥକାରବାର କରିଥିବା ଜଣାପଡ଼ିଥିଲା। ରାକେଶଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ମାଷ୍ଟରମାଇଣ୍ଡ ମିଥୁନ୍‌ ଓ ଏଜେଣ୍ଟ ବବୁଲକୁ ଗିରଫ କରିଥିଲା। ସେମାନଙ୍କୁ ସାଇବର ଥାନା ଆଣି ଜେରା ପରେ ଆହୁରି ଅନେକ ତଥ୍ୟ ପୁଲିସ ହାତରେ ଲାଗିଥିଲା। ଏମାନଙ୍କ ଗ୍ୟାଙ୍ଗରେ ୧୦ରୁ ଅଧିକ ସାମିଲ୍‌ ଅଛନ୍ତି। ସେମାନଙ୍କ ପାଖରେ ହଜାର ହଜାର ମ୍ୟୁଲ୍‌ ଆକାଉଣ୍ଟ ରହିଛି। ତେଣୁ ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି। ଅନ୍ୟପଟେ ଆଜି ସମସ୍ତ ୩ ଠକଙ୍କୁ ପୁଲିସ କୋର୍ଟଚାଲାଣ କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *