ଅପରାଧରାଜ୍ୟସମସ୍ୟା ଭିତ୍ତିକ ଖବର

କଲ୍ୟାଣସିଂହପୁର ପରେ ନାରାୟଣପାଟଣା: ପୁଣି ବଳଦ ସାଜିଲେ ପ୍ରେମୀଯୁଗଳ

କଲ୍ୟାଣସିଂହପୁର ପରେ ନାରାୟଣପାଟଣା: ପୁଣି ବଳଦ ସାଜିଲେ ପ୍ରେମୀଯୁଗଳ

ପ୍ରେମ ପାଇଁ ପୁଣି ନିର୍ଯାତନା। ଦଣ୍ଡ ସ୍ବରୂପ ପ୍ରେମୀଯୁଗଳଙ୍କୁ ବଳଦ ସାଜିବାକୁ ପଡ଼ିଲା। ପରମ୍ପରାର ଦ୍ବାହି ଦେଇ ଗାଁ ଇଷ୍ଟଦେବୀଙ୍କ ଆଗରେ ଉଭୟଙ୍କ କାନ୍ଧରେ ଲଙ୍ଗଳ, ଜୁଆଳି ଲଗାଇ ଚାଷ କରାଗଲା

ନାରାୟଣପାଟଣା/ଭୁବନେଶ୍ୱର୧୪-୦୭-୨୦୨୫( ଏସ .ଏମ ) : ପ୍ରେମ ପାଇଁ ପୁଣି ନିର୍ଯାତନା। ଦଣ୍ଡ ସ୍ବରୂପ ପ୍ରେମୀଯୁଗଳଙ୍କୁ ବଳଦ ସାଜିବାକୁ ପଡ଼ିଲା। ପରମ୍ପରାର ଦ୍ବାହି ଦେଇ ଗାଁ ଇଷ୍ଟଦେବୀଙ୍କ ଆଗରେ ଉଭୟଙ୍କ କାନ୍ଧରେ ଲଙ୍ଗଳ, ଜୁଆଳି ଲଗାଇ ଚାଷ କରାଗଲା। ସର୍ବସମ୍ମୁଖରେ ଏପରି ଶାରୀରିକ ଦଣ୍ଡ ଭୋଗିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତ ପେଦାଇଟିକି ଗାଁର ନରେନ୍ଦ୍ର ପିଡ଼ିକା (୨୨) ଓ ନାଡ଼ିମିଟିକି ଗାଁର ଯୁବତୀ ଆଶନ୍ତି ପିଡ଼ିକା। ଆଜିର କୃତ୍ରିମ ବୁଦ୍ଧିମତା (ଏଆଇ) ଯୁଗରେ ଅନ୍ଧବିଶ୍ବାସ, କୁତ୍ସିତ ପରମ୍ପରା ଏବେ ବି ଜନମାନସରେ ଉଜ୍ଜୀବିତ ରହିଛି, ଏହି ଘଟଣା ଜ୍ବଳନ୍ତ ଦୃଷ୍ଟାନ୍ତ। ସୂଚନାଯୋଗ୍ୟ, ତିନିଦିନ ତଳେ କଞ୍ଜାମଯୋଡ଼ି ଗାଁରେ ଏକ ପ୍ରେମୀଯୁଗଳଙ୍କୁ ଗାଁ ଲୋକେ ପରମ୍ପରା ନାଁରେ ସାତବେଣ୍ଟିଆ କରିବା ସହ ଲଙ୍ଗଳ, ଜୁଆଳି ବାନ୍ଧି ହଳ ବୁଲାଇଥିଲେ।
ରଥଯାତ୍ରା ସମୟରେ ନରେନ୍ଦ୍ର ଓ ଆଶନ୍ତି ପରସ୍ପରକୁ ଭଲ ପାଇବା ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ ଦୁହେଁ ବିବାହ ପାଇଁ ନିଷ୍ପତ୍ତି ନେଇ ଗାଁ ଛାଡ଼ି ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ। ସେଠାରେ କିଛି ଦିନ ରହିବା ପରେ ଘରକୁ ଫେରିଥିଲେ। ହେଲେ ପରିବାର ଲୋକ ସେମାନଙ୍କ ପ୍ରେମକୁ ସ୍ବୀକୃତି ଦେଇନଥିଲେ। ଗାଁରେ ପ୍ରବେଶ ଉପରେ କଟକଣା ଲଗାଇଥିଲେ। ଦୁଇ ଗାଁର ଭଦ୍ରଲୋକ ଓ ପ୍ରେମୀଯୁଗଳଙ୍କ ସମ୍ପର୍କୀୟଙ୍କୁ ନେଇ ରବିବାର ଅପରାହ୍ନରେ ବୈଠକ ବସିଥିଲା। ଆଦିବାସୀ ପରମ୍ପରା ଅନୁସାରେ ଧରଣୀ ପେନୁ ତଥା ଗାଁ ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦୁହିଁଙ୍କ ବେକରେ ହଳ-ଲଙ୍ଗଳ ଯୋଚିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହା ପରେ ପ୍ରେମିକ-ପ୍ରେମିକାଙ୍କ ବେକରେ ହଳ-ଲଙ୍ଗଳକୁ ରଶିରେ ବାନ୍ଧି ‌ଇଷ୍ଟଦେବୀଙ୍କ ଆଗରେ ସାତଘେରା ବୁଲା ଯାଇଥିଲା।
ଏହି ଘଟଣା ପରେ ନରେନ୍ଦ୍ର ପ୍ରେମିକା ଆଶନ୍ତିକୁ ଧରି ନିଜ ଘରକୁ ଫେରିଛନ୍ତି। ଖବର ପାଇ ନାରାୟଣପାଟଣା ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସରପଞ୍ଚ ସୁରେନ୍ଦ୍ର ପାଙ୍ଗି, ୱାର୍ଡସଭ୍ୟ ଗୁମ୍ଫା ହୁଇକା ସହ ପୁଲିସ ଆଲୋଚନା କରିବା ପରେ ମନ୍ଦିର ଦିଶାରୀ (ପୂଜକ) ସମେତ ୫ରୁ ଊର୍ଦ୍ଧ୍ବ ଲୋକଙ୍କୁ ଅଟକ ରଖିଛି। ପ୍ରେମିକ ନରେନ୍ଦ୍ର ପିଡ଼ିକାଙ୍କ ସମ୍ପର୍କୀୟ ଭାଇ ସନ୍ତୋଷ ପିଡ଼ିକା କହିଛନ୍ତି, ଆମେ ଆଦିବାସୀ ପରମ୍ପରା ସମାଜରେ ରହୁଛୁ। ପୂର୍ବ ପୁରୁଷର ପ୍ରଥା ମାନିବାକୁ ବାଧ୍ୟ। ତେଣୁ ମୋ ଭାଇକୁ ଏପରି କରିବାକୁ ପଡ଼ିଲା। ନଚେତ୍‌ ଗାଁରେ ସେ ପ୍ରବେଶ କରି ପାରି ନଥାନ୍ତା। ଅନ୍ୟପଟେ ୱାର୍ଡସଭ୍ୟ ଗୁମ୍ଫା ହୁଇକା କହିଛନ୍ତି, ଏହା କୌଣସି କଙ୍ଗାରୁ କୋର୍ଟ ନୁହେଁ, ଏହା ଆଦିବାସୀ ପରମ୍ପରା। ବିବାହକୁ ସ୍ବୀକୃତି ଦେବା ପାଇଁ ପ୍ରେମୀଯୁଗଳଙ୍କୁ ଗାଁ ଦାଣ୍ଡରେ ଥିବା ଇଷ୍ଟଦେବୀଙ୍କ ନିକଟରେ ବଳଦ ହୋଇ ସାତଘେରା ବୁଲିବାକୁ ପଡ଼ିଲା। ଯାହା ଗାଁରେ ଶାନ୍ତି ବଜାୟ ରଖିବା ସହିତ ଭଲ ଫସଲ ଅମଳ କରିବାରେ ସହାୟକ ହେବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *