ରାଜ୍ୟ

ଚାପରେ ଗ୍ରାମୀଣ ଅର୍ଥନୀତି

ଚାପରେ ଗ୍ରାମୀଣ ଅର୍ଥନୀତି

ଗାଁରେ ବିକ୍ରି ହେଉଥିବା ଦୁଇ ପ୍ରକାର ପ୍ରମୁଖ ଗାଡ଼ି ଯଥା ବାଇକ୍ ଓ ସ୍କୁଟର ଭଳି ଦୁଇଚକିଆ ଯାନ ଏବଂ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଛି। ଗ୍ରାମୀଣ ଅର୍ଥନୀତି ମୁଖ୍ୟତଃ ଚାଷ ଉପ‌ରେ ନିର୍ଭରଶୀଳ

ଭୁବନେଶ୍ବର ୦୬-୦୫-୨୦୨୫(ଏସ .ଏମ ) : ରାଜ୍ୟର ଗ୍ରାମୀଣ ଅର୍ଥନୀତି ଚାପ ଦେଇ ଗତି କରୁଛି। ଗାଡ଼ି ବିକ୍ରି ତଥ୍ୟ ଏଭଳି କିଛି ଇଙ୍ଗିତ କରୁଛି। ଗାଁରେ ବିକ୍ରି ହେଉଥିବା ଦୁଇ ପ୍ରକାର ପ୍ରମୁଖ ଗାଡ଼ି ଯଥା ବାଇକ୍ ଓ ସ୍କୁଟର ଭଳି ଦୁଇଚକିଆ ଯାନ ଏବଂ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଛି। ଗ୍ରାମୀଣ ଅର୍ଥନୀତି ମୁଖ୍ୟତଃ ଚାଷ ଉପ‌ରେ ନିର୍ଭରଶୀଳ। ଏହି କ୍ଷେତ୍ରର ପ୍ରଦର୍ଶନ ପ୍ରଭାବିତ ହୋଇଥିବାରୁ ଗାଡ଼ି କିଣିବା ଲାଗି ଲୋକମାନଙ୍କ ପାଖରେ ଆବଶ୍ୟକ ପାଣ୍ଠି ନଥିବା ଅନୁମାନ କରାଯାଉଛି। ଫେଡେରେସନ୍ ଅଫ୍ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏନ୍ସ (ଏଫ୍ଏଡିଏ) ତଥ୍ୟ ଅନୁସାରେ ଏପ୍ରିଲ୍‌ରେ ରାଜ୍ୟରେ ୭୦,୭୯୨ଟି ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ଏପ୍ରିଲ୍‌ରେ ହୋଇଥିବା ୭୧,୩୭୩ ଗାଡ଼ି ବିକ୍ରି ତୁଳନାରେ ତାହା ହେଉଛି ୦.୮୧ ପ୍ରତିଶତ କମ୍। ତିନି ଚକିଆ ଗାଡ଼ି ଓ କାର୍‌କୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରି ଗତ ଏପ୍ରିଲ୍‌ରେ କମିଛି। ଏଫ୍‌ଏଡିଏ ତଥ୍ୟ ଅନୁଯାୟୀ ରାଜ୍ୟରେ କାର୍‌ ବିକ୍ରି ୧୨.୧୯ ପ୍ରତିଶତ ବୃଦ୍ଧି ପାଇ ୭୦୨୦ ହୋଇଛି। ତିନିଚକିଆ ଯାନ ବିକ୍ରି ୯.୭୯ ପ୍ରତିଶତ ବୃଦ୍ଧି ପାଇ ୧୯୦୬ ହୋଇଛି। ତେବେ ଦୁଇଚକିଆ ଗାଡ଼ି ଓ ଟ୍ରାକ୍ଟର ବିକ୍ରି ହ୍ରାସ ପାଇବା, ଗ୍ରାମୀଣ ଅର୍ଥନୀତି ଉପରେ ଥିବା ଚାପକୁ ଦର୍ଶାଉଛି। ଦୁଇଚକିଆ ବିକ୍ରି ୫୭,୪୮୫କୁ ଖସିଆସିଛି। ସେହିପରି ଟ୍ରାକ୍ଟର ବିକ୍ରି ୧.୫୬ ପ୍ରତିଶତ ହ୍ରାସ ପାଇ ୧୨୬୫କୁ ହ୍ରାସ ପାଇଛି। ବାଣିଜ୍ୟିକ ଯାନ ବିକ୍ରି ସର୍ବାଧିକ ୨୧.୨୩ ପ୍ରତିଶତ ହ୍ରାସ ପାଇ ୩୧୧୬ରେ ପହଞ୍ଚିଛି। ଏଭଳି ଗାଡ଼ିର ବିକ୍ରି କମ୍ ହେବା ଖଣିଖାଦାନ କ୍ଷେତ୍ରରେ ଥିବା ଚାପକୁ ଦର୍ଶାଉଛି। ବାଣିଜ୍ୟିକ ଯାନଗୁଡ଼ିକ ମୁଖ୍ୟତଃ ମାଲ୍‌ ପରିବହନରେ ବ୍ୟବହୃତ ହୋଇଥାଏ।ଏହା ଉପରେ ମତ ଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଲୋକଙ୍କ ବ୍ୟୟ ଯେଉଁଭଳି ଭାବେ ବଢ଼ୁଛି, ଆୟ ସେହି ଅନୁସାରେ ବଢ଼ୁନାହିଁ। ତେଣୁ ସେମାନଙ୍କ କ୍ରୟ ଶକ୍ତି କମ୍ ହେବାରେ ଲାଗିଛି। ଗାଡ଼ି କିଣିବା ଲାଗି ଯେଉଁ ପାଣ୍ଠି ଦରକାର, ତାହା ଯୋଗାଡ଼ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ସେହିପରି, ପରିବହନ ଓ ଖଣି ଖାଦାନ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ବାଣିଜ୍ୟିକ ଗାଡ଼ି ବିକ୍ରି କମ୍ ହୋଇଥିବା ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି। ଗାଡ଼ି ବିକ୍ରି ସମ୍ପର୍କରେ ମତ ଦେଇ ଏଫ୍ଏଡିଏ ଓଡ଼ିଶା ଶାଖାର ଅଧ୍ୟକ୍ଷ ଅଖିଲ ପୋଦାର କହିଛନ୍ତି ଯେ ଆଗକୁ ବିବାହ ଋତୁ ରହିଛି ଏବଂ ଭଲ ଫସଲ ଅମଳର ମଧ୍ୟ ସମ୍ଭାବନା ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *