ଥାନାରୁ ଅଭିଯୁକ୍ତ ଫେରାର ମାମଲା: ଏଏସ୍ଆଇ ସମେତ ୩ ପୁଲିସ କର୍ମଚାରୀ ନିଲମ୍ବିତ
ଥାନାରୁ ଅଭିଯୁକ୍ତ ଫେରାର ମାମଲା: ଏଏସ୍ଆଇ ସମେତ ୩ ପୁଲିସ କର୍ମଚାରୀ ନିଲମ୍ବିତ
ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଭିତରୁ ଜଣେ ଅଭିଯୁକ୍ତ ଫେରାର ମାମଲାରେ ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତ ଫେରାର ମାମଲାରେ ଏସ୍ପି ଶ୍ରୀମଲ ଆଜି ଜଣେ ଏଏସ୍ଆଇ ସମେତ ତିନି ଜଣ…
ବ୍ରହ୍ମବରଦା ୨୮-୦୩-୨୦୨୬(ଏସ.ଏମ ) : ଯାଜପୁରଜିଲ୍ଲା ବ୍ରହ୍ମବରଦା ଥାନା ଭିତରୁ ଜଣେ ଅଭିଯୁକ୍ତ ଫେରାର ମାମଲାରେ ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତ ଫେରାର ମାମଲାରେ ଏସ୍ପି ଶ୍ରୀମଲ ଆଜି ଜଣେ ଏଏସ୍ଆଇ ସମେତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, କୁଣ୍ଡପାଟଣା ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଉତ୍ତରପ୍ରତାପପୁର ଚାନ୍ଦମୁହିଁ ଅଞ୍ଚଳର ଅଶୋକ ବେହେରାଙ୍କ ପୁଅ ଆଶିଷ ବେହେରା (୨୪)ଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। କିନ୍ତୁ ଗତରାତିରେ ସେ ଥାନାରେ କାର୍ଯ୍ୟରତ କର୍ମଚାରୀମାନେ ଶୋଇପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୋଜନା ପ୍ରସ୍ତୁତ କରିଥିଲା। ସେ ଥାନାରୁ ଚାବି ନେଇ ଗେଟ୍ ଖୋଲି ଥାନାର ଟାବଲେଟ ଓ ଗୋଟିଏ ମୋବାଇଲ ଧରି ଫେରାର ହୋଇଯାଇଥିବା ବେଳେ ବ୍ରହ୍ମବରଦା ଢିଅସାହି ଗ୍ରାମର ରାଜେନ୍ଦ୍ର ରାଉତଙ୍କ ହୋଣ୍ଡା ବାଇକ୍ ଚୋରି କରି ପଳାଇଥିଲା।
ତେବେ ଆଶିଷ ଖଣ୍ଡାସ-ସାମନ୍ତରାପୁର ନଦୀବନ୍ଧରେ ଛକ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲକୁ ପଠାଇଥିଲେ। ସେଠାରୁ ସେ ପୁନର୍ବାର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ କିଛି ଲୋକ ପୁଲିସର ଅବହେଳା କିମ୍ବା ଭିତରୁ ସହଯୋଗ ଥିବା ସନ୍ଦେହ ପ୍ରକାଶ କରୁଛନ୍ତି। ଘଟଣା ପରେ ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି। ସେହିପରି ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ଅଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଥିବା କୁହାଯାଉଛି। ଏହି ଘଟଣା ଥାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଥିବା ବେଳେ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ନେଇ ପୁଲିସର କାର୍ଯ୍ୟ ପଦ୍ଧତି ଉପରେ ଗୁରୁତର ପ୍ରଶ୍ନ ଉଠିଛି।
