ପାନୀୟ ଜଳ ଯୋଗାଇବା ପ୍ରତିବାଦରେ ଧାରଣା
ପାନୀୟ ଜଳ ଯୋଗାଇବା ପ୍ରତିବାଦରେ ଧାରଣା
ସରପଂଚଙ୍କ ହସ୍ତକ୍ଷେପ ,ବିଭାଗୀୟ ଅଧିକାରୀ ନଶୁଣିଲେ ସରପଂଚଙ୍କ ସହିତ ଗ୍ରାମବାସୀଙ୍କ ଧାରଣା ଚେତାବନୀ
ନିଆଳି,୦୪-୦୭-୨୦୨୫(ଏସ.ଏମ. ) : ନିଆଳି ବ୍ଲକ ଅନ୍ତର୍ଗତ ଦେବୀ କନ୍ଦଳ ଦ୍ବିପାଞ୍ଚଳ ରାଣୀଓଳା ପଞ୍ଚାୟତ ପଦାତିରା ଗ୍ରାମରେ ସ୍ଥାନୀୟ ବସୁଧା ଯୋଜନାରେ ଗତ ୧୦ ଦିନ ହେଲା ପାନୀୟ ଜଳ ବନ୍ଦ ଥିବା ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀମାନେ କସର୍ଦା-ଜଗତସିଂହପୁର ମୁଖ୍ୟରାସ୍ତାର ରଙ୍ଗୀଲା ଛକ ନିକଟରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୧୦ ବର୍ଷ ହେବ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ଏଥିରେ ପାଣି ଯୋଗାଣ ବନ୍ଦ ରହୁଥିଲା |ଦୀର୍ଘଦିନ ହେଲେମଧ୍ୟ ଏହି ପ୍ରକଳ୍ପକୁ ଆଜିପର୍ଯ୍ୟନ୍ତ ସ୍ଥାନୀୟ ସରପଂଚଙ୍କୁ ହସ୍ତାନ୍ତର କରାଯାଇ ନଥିବାବେଳେ ଦାୟିତ୍ୱରେ ଥିବା ପମ୍ପ ଚାଳକ ଦୀର୍ଘ ୬ ବର୍ଷ ହେଲା ତାଙ୍କ ପ୍ରାପ୍ୟ ପାଇନାହାନ୍ତି ବୋଲି ଅଭିଯୋଗ ହେଉଛି । ଗତ ୧୦ ଦିନ ହେଲା ଏହି ପ୍ରକଳ୍ପ ବନ୍ଦ ରହିଥିବାରୁ ସ୍ଥାନୀୟ ଲୋକେ ଏ ନେଇ ଅଭିଯୋଗ କରିବା ପରେ କେହି ନ ଶୁଣିବାରୁ ଗୁରୁବାର ଦିନ ରଂଗୀଲା ଛକ ନିକଟରେ ଗ୍ରାମବାସୀମାନେ ଧାରଣାରେ ବସିଥିଲେ |ସ୍ଥାନୀୟ ଯୁବନେତା ବିଶ୍ଵମ୍ବର ସ୍ୱାଇଁ ,ପହିଲମାନ ସ୍ୱାଇଁ,ଗଗନଵିହାରୀ ସ୍ୱାଇଁ, ମିତା ମଲିକ,ଚପଳା ମଲିକ, ରୂପଶ୍ରୀ ମଲିକ,ଝରଣା ମଲିକ ,ସୁଜାତା ବାରିକ ,ଗୋବର୍ଦ୍ଧନ ବାରିକ ,ବାସୁଦେବ ବାରିକ , କିଶୋର ସ୍ବାଇଁ ,ହାଡ଼ିବନ୍ଧୁ ସ୍ବାଇଁଙ୍କ,ଦ୍ୱାରିକାନାଥ ସ୍ୱାଇଁ ସମେତ ବହୁସଂଖ୍ୟକ ଗ୍ରାମବାସୀ ଧାରଣାରେ ବସିଥିଲେ । ଏ ନେଇ ବିଭାଗୀୟ ଯନ୍ତ୍ରୀ ଖବର ପାଇ ଠିକାଦାରଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ତ୍ରିନାଥ ମହାନ୍ତି ପହଞ୍ଚି ଆଲୋଚନା କରିବା ସହ ଆସନ୍ତା ୧୦ ଦିନ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ସେ ନିଜେ ଧାରଣାକୁ ଓଲ୍ହାଇବେ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା |