ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସ୍ନାତକ ଡିଗ୍ରି
ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସ୍ନାତକ ଡିଗ୍ରି
୬ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ
ଭୁବନେଶ୍ବର: ଅଙ୍ଗନବାଡ଼ି ସୁପରଭାଇଜର୍ର ୫୦% ପଦବି ପାଇଁ ସିଧାସଳଖ ନିଯୁକ୍ତି ହେଉଥିବା ବେଳେ ବାକି ୫୦% ପଦବିରେ ଅଙ୍ଗନବାଡ଼ି କର୍ମୀଙ୍କୁ ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ଦିଆଯାଉଥିଲା। ଏଥିରେ ପୂର୍ବରୁ ଯେଉଁ ଅଙ୍ଗନବାଡ଼ି କର୍ମୀ ଦଶମ ପାସ୍ କରିଥିବେ ସେମାନଙ୍କ ମଧ୍ୟରୁ ପଦୋନ୍ନତି ମାଧ୍ୟମରେ ସୁପରଭାଇଜର୍ ନିଯୁକ୍ତି ଦିଆଯାଉଥିଲା। କିନ୍ତୁ ଏବେ ଅଙ୍ଗନବାଡ଼ି ସୁପରଭାଇଜର୍ ହେବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଯେକୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ କିମ୍ବା ସମାନ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସିଥିବା ‘ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା (ସଂଶୋଧନ) ନିୟମ, ୨୦୨୫’ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।ଏହି ସଂଶୋଧନ ନିୟମ ପୂର୍ବ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ କାର୍ଯ୍ୟ କରି ଆସୁଥିବା ଅଙ୍ଗନବାଡ଼ି କର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ। ଏହି ପଦକ୍ଷେପ ଦ୍ବାରା ଅଙ୍ଗନବାଡ଼ି କର୍ମୀଙ୍କ ସେବା ବିତରଣ ମାନ ବୃଦ୍ଧି ହେବ, ଶିଶୁ ଓ ମହିଳାଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର ସୁପରିଚାଳନା ତଥା ବିଭାଗର ଦକ୍ଷତାକୁ ଦୃଢ଼ କରିବାରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆବର୍ଗଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ‘ଓଡ଼ିଶା ମଙ୍ଗଳ ସେବା’ ଏବଂ ‘ଓଡ଼ିଶା ଅଧସ୍ତନ ମଙ୍ଗଳ ସେବା’ର ପୁନର୍ଗଠନ କରାଯାଇ ବିଭିନ୍ନ ପାହ୍ୟାରେ ୨୪ଟି ନୂତନ ପଦବି ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି। ଏହି ପୁନର୍ଗଠନରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପାହ୍ୟାରେ ୨ଟି, ଉପନିର୍ଦ୍ଦେଶକ ପାହ୍ୟାରେ ୧୧ଟି, ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାରେ ୮ଟି, ଅତିରିକ୍ତ ନିର୍ଦ୍ଦେଶକ ପାହ୍ୟାରେ ୩ଟି ଅତିରିକ୍ତ ପଦବି ସୃଷ୍ଟି କରାଯାଇଛି।
୧୦୮ ଆମ୍ବୁଲାନ୍ସ ପରିଚାଳନା ପାଇଁ ୨୩୯୮କୋଟି
ଜିଲ୍ଲା କ୍ୟାଡର୍ରେ ରହିବେ ଅବକାରୀ କନେଷ୍ଟବଳ
ଆନନ୍ଦପୁର ବ୍ୟାରେଜ୍ କେନାଲ୍ ପାଇଁ ୧୦୮କୋଟି
ସେହିପରି ଓଡ଼ିଶା ଅବକାରୀ ନିୟମ, ୨୦୧୭ର ନିୟମ ୭୯ରେ ଥିବା ଅତିରିକ୍ତ ଘଣ୍ଟା ପରିଚାଳନା ଫି’କୁ ଡିଷ୍ଟିଲାରି, ବଟଲିଂ ୟୁନିଟ୍ ଓ ବ୍ରିୱେରି ୟୁନିଟ୍ଗୁଡ଼ିକ ନିମନ୍ତେ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଯେଉଁ ପ୍ଲାଣ୍ଟଗୁଡ଼ିକ ୮ଘଣ୍ଟାରୁ ଅଧିକ ସମୟ ଚାଲିବ ସେମାନଙ୍କୁ ଆଉ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବନି। ଏବେ ନିୟମରେ ସଂଶୋଧନ ଦ୍ବାରା ଅଧିକ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଆଜି କ୍ୟାବିନେଟ୍ ଓଡ଼ିଶା ନିମ୍ନ ଅବକାରୀ ସେବା (ଅବକାରୀ କନେଷ୍ଟବଳଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମ, ୨୦୨୫କୁ ଅନୁମୋଦନ କରିଛି। ଏଥିରେ ଅବକାରୀ କନେଷ୍ଟବଳଙ୍କ କ୍ୟାଡର୍କୁ ଡିଭିଜିନାଲ କ୍ୟାଡର୍ରୁ ଜିଲ୍ଲା କ୍ୟାଡର୍ରେ ପରିଣତ କରାଯାଇଛି।
ସମନ୍ବିତ ରୋଗୀ ପରିବହନ ଓ ସ୍ବାସ୍ଥ୍ୟ ସହାୟତା ସେବା ଅଧୀନରେ ରାଜ୍ୟରେ ଜରୁରିକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା (ଇଏମ୍ଏଏସ୍-୧୦୮) ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ୫ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ୫ବର୍ଷ ପାଇଁ ରାଜ୍ୟ ସରକାର ୨୩୯୮ କୋଟିର ବ୍ୟୟବରାଦ କରିଛନ୍ତି। ଏହି ଯୋଜନା ଆଜି ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ଲାଭ କରିଛି। ୨୦୨୩-୨୦୨୮ ପର୍ଯ୍ୟନ୍ତ ବାର୍ଷିକ ପ୍ରାୟ ୧୨ଲକ୍ଷ ଜରୁରିକାଳୀନ ରୋଗୀଙ୍କୁ ୨୦ମିନିଟ୍ ଭିତରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିବାକୁ ଏଥିରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ସେହିପରି ସମନ୍ବିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ଏକ ଅଂଶ ଯଥା କେନ୍ଦୁଝର ଜିଲ୍ଲାରେ ବୈତରଣୀ ବାମ ପାର୍ଶ୍ବ କେନାଲର ୦ କିମିଠାରୁ ୨୮.୫୦କିମି ମଧ୍ୟରେ ୨୨୨୧ ହେକ୍ଟର ଏବଂ ବୈତରଣୀ ଦକ୍ଷିଣ ପାର୍ଶ୍ବ କେନାଲର ୦ କିମିରୁ ୯କିମି ମଧ୍ୟରେ ୧୨୨୯ ହେକ୍ଟର ଚାଷ ଜମିରେ ଭୂତଳ ପାଇପ ଲାଇନ ଜଳବଣ୍ଟନ ବ୍ୟବସ୍ଥା ଓ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟ ଦ୍ବାରା ୩୪୫୦ହେକ୍ଟର ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ୧୦୮କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି କାର୍ଯ୍ୟ ୧୮ ମାସରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଶେଷ ହେଲେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି, ଘସିପୁରା ବ୍ଲକ୍ର ଚାଷୀମାନେ ଉପକୃତ ହେବେ।
୩୬ ପାଇଁ ୩୬: ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ପାଇଁ ରଣନୀତି, ମନ୍ତ୍ରୀ ପରିଷଦ ବୈଠକ
୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରାଯିବ। ଏଥି ପାଇଁ ସରକାର ଓଡ଼ିଶା ଭିଜନ୍-୨୦୩୬ ପ୍ରସ୍ତୁତ କରୁଛନ୍ତି। ଏଥିରେ ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମକୁ ସାମିଲ କରାଯିବ। ଏହି ଯୋଜନାର ନାମ ରଖାଯାଇଛି ‘୩୬ ପାଇଁ ୩୬’। ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ସୂଚନା ଦେବା ସହ ମନ୍ତ୍ରୀମାନଙ୍କ ସୁଚିନ୍ତିତ ପରାମର୍ଶ ଲୋଡ଼ିଛନ୍ତି।ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପରିଷଦର ସପ୍ତମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସମସ୍ତ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ଏଥିରେ ଓଡ଼ିଶା ଭିଜନ୍-୨୦୩୬ ଓ ୨୦୪୭ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ଅବସରରେ ସରକାର ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି। ୨୦୪୭ ସୁଦ୍ଧା ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ନିତି ଆୟୋଗଙ୍କ ସହଯୋଗରେ ସରକାର ଅଗଷ୍ଟ ୨୦୨୪ଠାରୁ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ଜିଏସ୍ଡିପି ବା ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ ଲକ୍ଷ୍ୟ ହାସଲ କରିବା ଏବଂ ଭାରତର ଜିଡିପିର ୫% ଅଂଶୀଦାର ହେବା ପାଇଁ ଓଡ଼ିଶା ଏ ପର୍ଯ୍ୟନ୍ତ ହାସଲ କରିଥିବା ଅର୍ଥନୈତିକ ଅଭିବୃଦ୍ଧି ହାରକୁ ଅତିକ୍ରମ କରିବା ସହ ଏହାକୁ ଦ୍ରୁତତର କରିବା ଆବଶ୍ୟକ। ଏହା ଆମ ପାଇଁ ଏକ ଆହ୍ବାନ ଓ ସୁଯୋଗ। ୨୦୩୬ ସୁଦ୍ଧା ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରି ଏକ ରଣନୈତିକ ପଦକ୍ଷେପ ‘୩୬ ପାଇଁ ୩୬’ ଆରମ୍ଭ କରି ଓଡ଼ିଶାର ଅଭିବୃଦ୍ଧିର ପରିବର୍ତ୍ତନ ଯାତ୍ରାକୁ ତ୍ୱରାନ୍ୱିତ କରାଯିବ। ମନ୍ତ୍ରୀ ପରିଷଦଙ୍କ ସୁଚିନ୍ତିତ ପରାମର୍ଶ ଓ ମାର୍ଗଦର୍ଶନ ଦ୍ୱାରା ଚିଠାକୁ ଚୂଡ଼ାନ୍ତ ରୂପ ଦେବା ସମ୍ଭବ ହେବ ଏବଂ ତଦନୁଯାୟୀ ସେଥିରେ ସ୍ଥାନିତ ଲକ୍ଷ୍ୟଗୁଡ଼ିକର ସଫଳ ରୂପାୟନ ପାଇଁ ଏକ କାର୍ଯ୍ୟାନ୍ବୟନ ଖସଡ଼ା ପ୍ରସ୍ତୁତ କରାଯାଇପାରିବ।
ବୈଠକରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲ କରିବାକୁ ରପ୍ତାନିଭିତ୍ତିକ ଉତ୍ପାଦନର ଆବଶ୍ୟକତା, ବିଭିନ୍ନ ନିୟମାବଳୀର ଅନୁପାଳନ ଓ ସରକାରୀ ନିୟନ୍ତ୍ରଣର ପ୍ରତିବନ୍ଧକ ହ୍ରାସ ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ପ୍ରଦାନ କରିଥିଲେ। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୬ଟି ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସଦସ୍ୟମାନେ ଭିଜନ୍ ଦସ୍ତାବିଜର ବିଭିନ୍ନ ଦିଗ ଓ ଲକ୍ଷ୍ୟ ସହ ‘୩୬ ପାଇଁ ୩୬’ର ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତାଗୁଡ଼ିକୁ ମିଳିତ ଭାବେ ଉପସ୍ଥାପନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେବାର ଆବଶ୍ୟକତା ସମ୍ବନ୍ଧରେ ଗୁରୁତ୍ବାରୋପ କରିବା ସହ ରାସ୍ତା, ରେଳପଥ, ବନ୍ଦର ଓ ବିମାନ ଯୋଗାଯୋଗ ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ ନିମନ୍ତେ ପରାମର୍ଶ ଦେଇଥିଲେ। ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ମତ ରଖିଥିଲେ। ବୈଠକରେ ସ୍ଥିର ହୋଇଥିଲା ଯେ, ଆଗାମୀ ୧୫ ଦିନ ମଧ୍ୟରେ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭’ ଉପରେ ରାଜ୍ୟର ୪ଟି ସ୍ଥାନରେ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ କରାଯିବ। ବିଭିନ୍ନସ୍ତରରେ ଜନ ପ୍ରତିନିଧି, ଜନସାଧାରଣ, ନାଗରିକ ସମାଜ, ବୁଦ୍ଧିଜୀବୀଙ୍କ ସହିତ ବିଚାରବିମର୍ଶ କରାଯାଇ ଏହି ଭିଜନ୍ ଦସ୍ତାବିଜକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ।