LatestNewsPoliticsTechnologyTOP STORIESଘଟଣା ଦୁର୍ଘଟଣାଦୁର୍ନୀତିବିଶେଷ ସ୍ତମ୍ବମନୋରଞ୍ଜନରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଅଧାରେ ଅଟକିଛି ଜଙ୍ଗଲ ପାର୍କ

ଅଧାରେ ଅଟକିଛି ଜଙ୍ଗଲ ପାର୍କ…

 ଭୋଜି ପାଇଁ ଜୟଦେବ ବାଟିକା ଭରସା, ପ୍ରଚାରପ୍ରସାର ନାହିଁ, ଲୋକେ ଜାଣୁନାହାନ୍ତି

ଭୁବନେଶ୍ୱର ୨୪-୦୬-୨୦୨୫(ଏସ.ଏମ. ) :  ହରରେ ସୃଷ୍ଟି ହେବ ପ୍ରାକୃତିକ ପରିବେଶ। ସହର ଓ ପାଖାପାଖି ସ୍ଥାନରେ ଜଙ୍ଗଲ ପାର୍କ ବିକଶିତ କରିବାକୁ ରୂପରେଖ ପ୍ରସ୍ତୁତ ‌ହେଲା। କିଛି ଜଙ୍ଗଲ ସୃଷ୍ଟି ମଧ୍ୟ ହେଲା। ହେଲେ ହୋଇଥିବା ଯୋଜନା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ନ ହୋଇ ଅଧାରେ ଅଟକିଯାଇଛି। ବଣଭୋଜି ପିଣ୍ଡି, ଚିତ୍ତବିନୋଦନ କେନ୍ଦ୍ର ପାଇଁ ହୋଇଥିବା ଯୋଜନା କାଗଜପତ୍ରରେ ସୀମିତ ରହିଯାଇଛି। ଯେଉଁଠି କି କିଛି କାମ, ହୋଇଛି, ପ୍ରଚାରପ୍ରସାର ଅଭାବ, ସ୍ଥାନକୁ ଜନାଦ୍ରୁତ ହେବାରେ ବାଟ ଓଗାଳୁଛି।କଟକ-ଭୁବନେଶ୍ବର ଦ୍ବୈତନଗରୀର ପ୍ରାକୃତିକ ପରିବେଶ ବିକାଶ ଦିଗରେ ୨୦୨୧ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରୂପରେଖ ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସହର ଏବଂ ସଂଲଗ୍ନ ଅଞ୍ଚଳରେ ୫ଟି ଘଞ୍ଚ ସବୁଜିମା ସ୍ଥାନ ସୃଷ୍ଟି ହେଲା। ଇତିମଧ୍ୟରେ ଏକାମ୍ର କାନନ, ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର, ସ୍ମୃତିବନ, ଜୟଦେବ ବାଟିକା ଓ ଆନନ୍ଦବନକୁ ବିକଶିତ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଜଙ୍ଗଲ ପାର୍କରେ ପ୍ରାତଃଭ୍ରମଣ, ଚିତ୍ତବିନୋଦନ, ପିଲାଙ୍କ ପାଇଁ ପ୍ରମୋଦ ବ୍ୟବସ୍ଥା, ବଣଭୋଜି ପିଣ୍ଡି ଆଦିର ବ୍ୟବସ୍ଥା ଏଠାରେ ରହିବା କଥା। ଜଙ୍ଗଲ-ପାର୍କର ବିକାଶ ନିମନ୍ତେ ଚଲାପଥ, ବିଦ୍ୟୁତ୍‌ ଓ ପାନୀୟଜଳ ସଂଯୋଗ, ପରିଚ୍ଛନ୍ନତା, ପାର୍କିଂ ସ୍ଥାନ ଆଦି ପୌରପାଳିକା ଦ୍ୱାରା କରାଯିବାର ଯୋଜନା ଥିଲା। ପାର୍କର ପରିଚାଳନା ଓ ରକ୍ଷଣାବେକ୍ଷଣ ଓଡ଼ିଶା ଜଙ୍ଗଲ ବିକାଶ ନିଗମ(ଓଏଫ୍ଡ଼ିସି) କରିଥାନ୍ତା। ଏଥିପାଇଁ କ୍ଷେତ୍ରସ୍ତରୀୟ ସମନ୍ବିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ସିଏମ୍‌ସି, ବିଏମ୍‌ସି ଓ ଓଏଫ୍‌ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଙ୍ଗଲ ପାର୍କକୁ ଯିବା ଆସିବା ନିମନ୍ତେ ମୋ-ବସ୍ ରୁଟ୍‌ର ସଂପ୍ରସାରଣ ସହ ବିଏମ୍‌ସି ଓ ସିଏମ୍‌ସି ୱେବ୍‌ସାଇଟ୍, ବସ୍‌ଷ୍ଟପ୍‌ରେ ସୂଚନା ଫଳକ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସ୍ଥାନଗୁଡିକୁ ଲୋକପ୍ରିୟ କରିବାକୁ କୁହାଯାଇଥିଲା।

ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ବର୍ଷେ ହେଲା ସରକାର ବଦଳିଗଲାଣି। ହେଲେ ଚୂଡ଼ାନ୍ତ ରୂପ ନେଇପାରି ନାହିଁ ଜଙ୍ଗଲ ପାର୍କ। କୌଣସି ସ୍ଥାନରେ ବଣଭୋଜି ପିଣ୍ଡି ସୁବିଧା ନାହିଁ। ଭୁଆସୁଣି ଓ କୋରଡ଼କଣ୍ଟାରେ କିଛି ବିକାଶ ହୋଇନଥିବା ବେଳେ ଅନ୍ୟ ଜଙ୍ଗଲପାର୍କରେ ପ୍ରାତଃଭ୍ରମଣ ସୁବିଧା ହୋଇଥିଲେ ମଧ୍ୟ ଚିତ୍ତବିନୋଦନ କେନ୍ଦ୍ର, ପିଲାଙ୍କ ପାଇଁ ପ୍ରମୋଦ ବ୍ୟବସ୍ଥା ହୋଇନାହିଁ। ଜଙ୍ଗଲ ପାର୍କ ସମ୍ପର୍କରେ ଆବଶ୍ୟକୀୟ ପ୍ରଚାରପ୍ରସାର ମଧ୍ୟ ହୋଇ ନାହିଁ। ସହରର କୌଣସି ଗୋଟିଏ ବି ବସ୍‌ଷ୍ଟପ୍‌ରେ ସୂଚନାଫଳକ ନାହିଁ କିମ୍ବା ଏହି ସ୍ଥାନକୁ ଲୋକପ୍ରିୟ କରିବା ପାଇଁ ଗଣମାଧ୍ୟମର ଆଶ୍ରୟ ନିଆଯାଇନାହିଁ। ଫଳରେ ଲୋକେ ଏସମ୍ପର୍କରେ ଜାଣିପାରୁ ନାହାନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ବିକଶିତ ହୋଇଥିବା ଜଙ୍ଗଲ ପାର୍କ ଆଉ ପାଦେ ବି ଆଗେଇନାହିଁ।ଏଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ସହ ନୂତନ ଜଙ୍ଗଲ ପାର୍କ ବିକଶିତ କରିବାକୁ ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ‌ଯେ, ଜଙ୍ଗଲ ପାର୍କ ଦ୍ବାରା ସବୁଜିମା ଓ ବୃକ୍ଷରାଜି ପ୍ରତି ସହରବାସୀଙ୍କ ଆତ୍ମୀୟତା ବଢ଼ିବ। ଏହାର ସୁରକ୍ଷା ନିମନ୍ତେ ସମସ୍ତେ ସଚେତନ ହେବେ। ଏହି ସ୍ଥାନଗୁଡ଼ିକ ଜବରଦଖଲମୁକ୍ତ ରହିବ। ଭୁବନେଶ୍ବରରେ ଜୟଦେବ ବାଟିକା ଓ ଏକାମ୍ର କାନନ ପରି ଜଙ୍ଗଲ ପାର୍କ ବେଶ୍ ଲୋକପ୍ରିୟ ହୋଇଛି। ନୂଆ ଜଙ୍ଗଲ ପାର୍କଗୁଡ଼ିକ ନିଜସ୍ବ ଆୟରେ ପରିଚାଳିତ ହୋଇପାରିବ। ସ୍ମୃତିବନ ଓ ଔଷଧୀୟ ଜ୍ଞାନ କେନ୍ଦ୍ରରେ ବଣଭୋଜି ପରି ସୁବିଧା କରାଯିବାର ଆବଶ୍ୟକତା ରହିଛି।ସିଟି ଡିଏଫ୍‌ଓ ଅଜିତ୍‌ ଶତପଥୀ କହିଛନ୍ତି ‌ଯେ ଉଭୟ ସହରରେ ନଗରବନ ପ୍ରତିଷ୍ଠା ହୋଇଛି। ଲୋକପ୍ରିୟତା ବଢ଼ୁଛି। ଆଗାମୀ ଦିନରେ ଆହୁରି ଅଧିକ ବୃକ୍ଷରୋପଣ ସହ ସହରରେ ଜଙ୍ଗଲ ସୃଷ୍ଟି ଦିଗରେ ପଦକ୍ଷେପ ନିଆଯିବ। ତେବେ ବଣଭୋଜି ପାଇଁ କିଛି ବ୍ୟବସ୍ଥା ହୋଇନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *