ଦେଶ- ବିଦେଶରାଜ୍ୟ

‘ଅପରେସନ୍ ବ୍ଲାକ୍ ଫରେଷ୍ଟ’କୁ ନେଇ ଚର୍ଚ୍ଚା

‘ଅପରେସନ୍ ବ୍ଲାକ୍ ଫରେଷ୍ଟ’କୁ ନେଇ ଚର୍ଚ୍ଚା

ଭାରତ ହେବ ମାଓ ମୁକ୍ତ

ରାଇପୁର/ଭୁବନେଶ୍ୱର ୧୫.୦୫.୨୦୨୫(ଏସ .ଏମ ) : ମାଓ ମୁକ୍ତ ହେବ ଭାରତ, ଦେଶର ରହିବେନି ଗୋଟେ ବି ନକ୍ସଲ… ଖୋଜି ଖୋଜି ସବୁ ନକ୍ସଲଙ୍କୁ ନିପାତ କରାଯିବ । ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିବ ଆଉ ଭାରତ ଭିତରେ ଶାନ୍ତିର ବିହଙ୍ଗ ଉଡିବ । ଘଞ୍ଚ ଜଙ୍ଗଲରେ ଆଉ ଚାଲିବନି ନକ୍ସଲଙ୍କ ରାଜ୍ କି ଲାଲ ବାହିନୀଙ୍କ ନାଲି ଆଖି ଆଉ ବନ୍ଧୁକ ମୁନରେ ଗଡିବନି ନିରୀହ ଲୋକଙ୍କ ମୁଣ୍ଡ, ଝରିବନି ଲୁହ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିବନି ବି ଯବାନଙ୍କ ଗାଡି ବାସ୍ ବହୁତ ହୋଇଗଲା… ଏବେ ନିପାତ ହେବେ ନକ୍ସଲ ଆଉ ମନେରଖ ମାଓବାଦୀ ଏବେ ତମ ପାଳି ପଡିଲା… ଅସ୍ତ୍ର ଛାଡ ନହେଲେ ତ୍ରାହି ମିଳିବନି… ମୋଦୀଙ୍କ ସରକାରଙ୍କ ନକ୍ସଲ ମୁକ୍ତ ଭାରତର ସ୍ବପ୍ନ ନେଇ ନକ୍ସଲଙ୍କୁ ଦିନେ ଚେତାବନୀ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଉ ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଥିଲେ… ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓମୁକ୍ତ କରିବାକୁ ଡେଡ୍ ଲାଇନ୍ ଥିବା ବେଳେ ଏହାକୁ ସତ କରିଦେଖାଇବାରେ ଜୋରଦାର ଚାଲିଛି ଅପରେସନ୍ । ଆଉ ଏହାର ବଡ଼ ଉଦାହରଣ ଆସିଛି ତେଲେଙ୍ଗାନା-ଛତିଗଡ଼ ସୀମାରୁ…ଯେଉଁଠି ଦୀର୍ଘ ୨୧ ଦିନର ବଡ଼ ଅପରେସନ ସଫଳ ହୋଇଛି ଆଉ ନିପାତ୍ ହୋଇଛନ୍ତି ୩୧ ମାଓବାଦୀ । ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂର ଜରିଆରେ ଯେମିତି ପାକିସ୍ତାନରେ ପଶି ୯ ଆତଙ୍କୀଙ୍କ ଆଡ୍ଡା ଉଡାଯାଇଥିଲା । ଆଉ ଆତଙ୍କବାଦର ମୂଳପୋଛ ପାଇଁ ମୋଦୀ ସରକାର ବଡ ଆକ୍ସନ ନେଇଥିଲେ ଠିକ୍ ସେମିତି ଏପଟେ ମାଓମୁକ୍ତ ଭାରତ ପାଇଁ ତେଲେଙ୍ଗାନା-ଛତିଗଡ଼ ସୀମାର କାରେଗୁଟ୍ଟାଲୁ ଜଙ୍ଗଲରେ ଚାଲିଥିଲା ଅପରେସନ୍ ବ୍ଲାକ୍ ଫରେଷ୍ଟ । ୬୦ କିଲୋମିଟର ଲମ୍ବ ଏହି ଘଞ୍ଚ ଜଙ୍ଗଲକୁ ମାଓବାଦୀମାନେ ନିଜର ସୁରକ୍ଷା କବଚ ଭାବିଥିଲେ । ୧ କିଲୋମିଟର ଉଚ୍ଚ ଏହି ପାହାଡକୁ ଚଢିବା ଏତେ ସହଜ ନୁହେଁ କିମ୍ବା ସେଠାରେ ପୋଲିସ-ଯବାନ ପହଞ୍ଚିବା ସହଜ ନଥିଲା ତେଣୁ ସେଠାରେ ବିଭିନ୍ନ ମାଓ ସଙ୍ଗଠନର ଆଡ୍ଡାସ୍ଥଳୀ ଥିଲା । ଯେଉଁଠି ଅସ୍ତ୍ର ଶସ୍ତ୍ର ତିଆରି ସହ ନକ୍ସଲଙ୍କୁ ଟ୍ରେନିଂ ଦିଆଯାଉଥିଲା । ଆଉ ଏହି ବିରାଟ ଆଡ୍ଡାସ୍ଥଳୀ ଧ୍ବଂସ ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ବ୍ଲାକ୍ ଫରେଷ୍ଟ । କରେଗୁଟ୍ଟାଲୁ ପାହାଡର ବ୍ଲାକ୍ ଫରେଷ୍ଟରେ ୨୧ ଦିନର ୨୧ଟି ଏନକାଉଣ୍ଟରରେ ୩୧ ମାଓବାଦୀଙ୍କୁ ନିପାତ୍ କରାଯାଇଛି । ୨୦୦ରୁ ଅଧିକ ବଙ୍କର ଓ ୪ଟି ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ ହୋଇଛି । ୪୫ ଡିଗ୍ରି ତାପମାତ୍ରାରେ ୬୦ କିମି ଲମ୍ବ ଓ ୧ କିମି ଉଚ୍ଚ ପାହାଡ ଉପରେ ଅପରେଶନ କରାଯାଇଥିଲା । ବିଏସଏଫର ହେଲିକପ୍ଟର ସାଙ୍ଗକୁ ସିଆରପିଏଫ୍ ଯବାନ, କୋବ୍ରା, ଡିଆରଜି ଓ ଏସଟିଏଫର ଯବାନ ମାଓବାଦୀଙ୍କ ନିଦ ହଜାଇ ଦେଇଥିଲେ । କରେଗଟ୍ଟାଲୁ ଜଂଲରେ ହୋଇଥିବା ଅପରେସନରେ ପୁଲିସକୁ ବଡ ସଫଳତା ମିଳିଥିବାରୁ ଯବାନଙ୍କୁ ପ୍ରଶଂସା କରାଯାଇଛି। ଦିନରାତି ଏକ କରି ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିଏସଏଫ ହେଲିକେପ୍ଟର ଏମାନଙ୍କ ଉପରେ ନଜର ରଖିବା ସହ ସହଯୋଗ କରୁଥିଲା। ଯବାନଙ୍କୁ ଡ୍ରୋନ ବହୁତ ସାହାଯ୍ୟ କରିଥିଲା। ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କର ଗତିବିଧି ଜାଣି ସେମାନଙ୍କୁ ସହଜରେ ଟାର୍ଗେଟ କରାଯାଇପାରୁଥିଲା। ନକ୍ସଲମାନେ ଆତ୍ମସମର୍ପଣ ନକରିବା ଯାଏଁ ଅପରେସନ ପୁଣି ଆରମ୍ଭ ହେବ ବୋଲି କୁହାଯାଇଛି।ତେବେ ମାଓବାଦୀଙ୍କ ପ୍ରତି ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ବେଳେ କାହାରି ଜୀବନ ଯାଇନି ଯାହା ସୁରକ୍ଷା ବଳ ପାଇଁ ବଡ଼ ସଫଳତା । ତେବେ ୨୦୨୬, ୩୧ ମାର୍ଚ୍ଚ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ ପାଇଁ ମୋଦୀ ସରକାର ସ୍ବପ୍ନ ଦେଖିଥିବା ବେଳେ ଅପରେସନ୍ ବ୍ଲାକ୍ ଫରେଷ୍ଟକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *