LatestNewsTOP STORIESଦେଶ- ବିଦେଶ

ଅପରେସନ୍‌ ‘ମିଡ୍‌ନାଇଟ୍‌ ହାମର୍‌’

ଅପରେସନ୍‌ ‘ମିଡ୍‌ନାଇଟ୍‌ ହାମର୍‌’…

ଆମେରିକାର ପ୍ରଚଣ୍ଡ ଆକ୍ରମଣ, ଇରାନର ୩ ପରମାଣୁ ଘାଟି ଧ୍ବସ୍ତ

ତେହେରାନ/ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୬-୨୦୨୫(ଏସ.ଏମ. ) : ସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। ଆମେରିକା ଏହି ଯୁଦ୍ଧରେ ଆଜି ସାମିଲ ହେବା ସହ ଇରାନର ନାତାଞ୍ଜ, ଫୋର୍ଡୋ ଓ ଇସ୍ଫାହାନ୍‌ ପରମାଣୁ ଘାଟିକୁ ବିମାନ ଆକ୍ରମଣରେ ଧ୍ବସ୍ତ କରିଛି। ଅପରେସନ୍‌ ‘ମିଡ୍‌ନାଇଟ୍‌ ହାମର୍‌’ ଅଧୀନରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବୋମାବର୍ଷୀ ବିମାନ ‘ବି-୨’ ଓ ବଙ୍କର ବଷ୍ଟର୍‌ ବୋମା ‘ଜିବିୟୁ-୫୭’ ବ୍ୟବହାର କରି ଆମେରିକା ଏହି ପ୍ରଚଣ୍ଡ ଆକ୍ରମଣ କରିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହା ଅତ୍ୟନ୍ତ ସଫଳ ହୋଇଛି ଏବଂ ଇରାନ ଯଦି ପ୍ରତିଆକ୍ରମଣ କରେ ତା’ହେଲେ ଆହୁରି ସାଂଘାତିକ ପରିଣାମ ଭୋଗିବ। ଏହି ଆକ୍ରମଣରେ ଆମେରିକା ୩୦ଟି ଟମ୍‌ହାକ କ୍ଷେପଣାସ୍ତ୍ର ମଧ୍ୟ ବ୍ୟବହାର କରି ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି। ଆଜି ଭାରତୀୟ ସମୟ ଭୋର୍‌ ୪ଟା ୩୦ରେ ଆମେରିକାର ଏଭଳି ଅପ୍ରତ୍ୟାଶିତ ଆକ୍ରମଣ ପୂରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। ଚୀନ୍‌, ରୁଷ୍‌, ପାକିସ୍ତାନ ସମେତ ବିଭିନ୍ନ ରାଷ୍ଟ୍ର ଏହାର କଡ଼ା ନିନ୍ଦା କରିଥିବା ବେଳେ ଏଭଳି ଆକ୍ରମଣ ବିଶ୍ବକୁ ଯୁଦ୍ଧମୁହାଁ କରିବା ଭଳି ପଦକ୍ଷେପ ବୋଲି ଜାତିସଂଘ କହିଛି। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟପ୍ରାଚ୍ୟ ଆଗକୁ ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ଏବଂ ସେହି ଆଧାରରେ ବିଭିନ୍ନ ରାଷ୍ଟ୍ର ପ୍ରସ୍ତୁତ ହେଉଛନ୍ତି। ଏଭଳି ସ୍ଥିତିରେ ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଘାଟିଗୁଡ଼ିର ସୁରକ୍ଷା ବଢ଼ାଇ ଦେଇଛି। ଇରାନ ଯଦି ପ୍ରତିଆକ୍ରମଣ କରି ଆମେରିକାକୁ ଟାର୍ଗେଟ୍‌ କରିବ ତା’ହେଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।

ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ଆଶଙ୍କା

ପ୍ରତିଆକ୍ରମଣ ହେଲେ ଭୟାନକ ଶାସ୍ତି: ଟ୍ରମ୍ପ
ସବୁ ଶକ୍ତି ଖଟାଇ ପ୍ରତିଶୋଧ ନେବୁ: ଇରାନ

ଆମେରିକାର ଆକ୍ରମଣ ପରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ଅଧିକ ଘାତକ ଓ ତୀବ୍ର ହୋଇଛି। ପରିସ୍ଥିତି ଅତି ବିପଜ୍ଜନକ  ହେଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଆମେରିକା ବାୟୁସେନା ଓ ନୌସେନା ସର୍ବାଧିକ ଆଲର୍ଟରେ ରହିଛି। ଅନ୍ୟପକ୍ଷରେ  ଆମେରିକାର ମୁକାବିଲା ପାଇଁ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହେବ ବୋଲି ଘୋଷଣା କରିଛି। ଇରାନର ଆଣବିକ ଶକ୍ତି ସଂଗଠନ ଆମେରିକାର ଆକ୍ରମଣକୁ ସ୍ବୀକାର କରିବା ସହ ପରମାଣୁ କାର୍ଯ୍ୟକ୍ରମ ମଧ୍ୟ ଜାରି ରଖିବ ବୋଲି ଘୋଷଣା କରିଛି। ପ୍ରଚଣ୍ଡ ଆକ୍ରମଣ ସତ୍ତ୍ୱେ ଇରାନର ଅଧିକାରୀମାନେ ରବିବାର କହିଛନ୍ତି ଯେ ପରମାଣୁସ୍ଥଳଗୁଡ଼ିକରେ କୌଣସି ବିକିରଣ ଭୟ ନାହିଁ ଏବଂ ଆମେରିକାର ଏହି ମିସନ୍‌ ଆମର ଅଧିକ କ୍ଷତି କରିବାକୁ ସମର୍ଥ ହୋଇନାହିଁ। ଆଣବିକ ବିକିରଣ ନିରୀକ୍ଷକମାନେ ମଧ୍ୟ ପରମାଣୁ କେନ୍ଦ୍ରଗୁଡ଼ିକରେ ପ୍ରଦୂଷଣର କୌଣସି ପ୍ରମାଣ ପାଇନଥିବା କହିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଏହାକୁ ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ପରମାଣୁ ଅପ୍ରସାରଣ ଚୁକ୍ତି (ଏନ୍‌ପିଟି)ର ଗୁରୁତର ଉଲ୍ଲଂଘନ ବୋଲି କହିଛନ୍ତି। ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଆମେରିକା ଶାନ୍ତିପୂର୍ଣ୍ଣ ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରି ଆପରାଧିକ ଆଚରଣ ପ୍ରଦର୍ଶନ କରୁଛି ବୋଲି ଆରାଘଚି ଅଭିଯୋଗ କରିଛନ୍ତି। ବିଶ୍ୱ ସମୁଦାୟକୁ ଏଥିପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ ଦେଇ ସେ କହିଛନ୍ତି ଯେ ଜାତିସଂଘର ପ୍ରତ୍ୟେକ ସଦସ୍ୟ ୱାସିଂଟନ ଦ୍ୱାରା ନିଆଯାଇଥିବା ବିପଜ୍ଜନକ ଏବଂ ଆଇନହୀନ ପଦକ୍ଷେପକୁ ବିରୋଧ କରିବା ଉଚିତ।  

ସୂଚନାଯୋଗ୍ୟ, ଜୁନ୍ ୧୩ ତାରିଖରେ ଇରାନ ବିରୋଧରେ ଇସ୍ରାଏଲ ଅପରେସନ୍ ‘ରାଇଜିଂ ଲାୟନ୍‌’ ଆରମ୍ଭ କରିଥିଲା ଏବଂ ଇରାନର ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ୍ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଇରାନର ଶୀର୍ଷ ସାମରିକ ନେତୃତ୍ବକୁ ପ୍ରାୟତଃ ମୂଳପୋଛ କରିବାକୁ ଇସ୍ରାଏଲ ସକ୍ଷମ ହୋଇଥିବା ବେଳେ ଏହା ପରଠାରୁ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛନ୍ତି। ଆଜି ଆମେରିକା ତେହରାନଠାରୁ ପ୍ରାୟ ୨୨୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ନାତାଞ୍ଜ ୟୁରେନିୟମ ସମୃଦ୍ଧି କାରଖାନାକୁ ଧ୍ବଂସ କରିବା ସହ ଇରାନର ପରମାଣୁ ଅସ୍ତ୍ର ହାସଲ ସ୍ବପ୍ନ ଧୂଳିସାତ କରିଦେଇଛି। ଅନ୍ୟପକ୍ଷରେ ତେହରାନର ଦକ୍ଷିଣ-ପଶ୍ଚିମରେ ଥିବା ବିଶାଳ ଫୋର୍ଡୋ ପରମାଣୁ ଘାଟିକୁ ମଧ୍ୟ ଧ୍ବସ୍ତ କରାଯାଇଛି। ଯାହାକି ସବୁଠାରୁ ସୁରକ୍ଷିତ ବୋଲି ଇରାନ ଦାବି କରିଥିଲା। ଟ୍ରମ୍ପ କହିଛନ୍ତି ଯେ ଏହି କାରଖାନା ଉପରେ ଏକାଧିକ ବଙ୍କର ବଷ୍ଟର୍‌ ବୋମା ମାଡ଼ କରାଯାଇଥିଲା ଏବଂ ଏହା ସଂପୂର୍ଣ୍ଣ ମାଟିରେ ମିଶିଯାଇଛି। ତୃତୀୟ ଆକ୍ରମଣ ଇସ୍ଫାହାନ୍‌କୁ ଟାର୍ଗେଟ କରି କରାଯାଇଥିଲା, ଯେଉଁଠାରେ ଚୀନ୍ ଦ୍ୱାରା ନିର୍ମିତ ତିନୋଟି ଗବେଷଣା ରିଆକ୍ଟର ଏବଂ ଆନୁଷଙ୍ଗିକ ପରୀକ୍ଷାଗାର ମଧ୍ୟ ରହିଛି। ମାତ୍ର ୨୫ ମିନିଟ୍‌ ମଧ୍ୟରେ ଏହି ଅପରେସନ୍‌ ଶେଷ ହୋଇଥିଲା ବୋଲି ଟ୍ରମ୍ପ କହିଛନ୍ତି।
ଏଏଫ୍‌ପି ରିପୋର୍ଟ ଅନୁଯାୟୀ, ଫୋର୍ଡୋର ଅତ୍ୟଧିକ ସଂରକ୍ଷିତ ଭୂତଳ ବଙ୍କରକୁ ଧ୍ବଂସ କରିବା ପାଇଁ ଆମେରିକା ୬ଟି ଜିବିୟୁ-୫୭ (ଅତି ଶକ୍ତିଶାଳୀ ବଙ୍କର ବିଧ୍ବଂସୀ ବୋମା) ବ୍ୟବହାର  କରିଥିଲା। ଏହି ୩୦,୦୦୦ ପାଉଣ୍ଡ ଓଜନର ବଙ୍କର-ବଷ୍ଟିଂ ବୋମା ଆମେରିକୀୟ ଅସ୍ତ୍ରଶସ୍ତ୍ରର ସର୍ବବୃହତ ଅଣ-ଆଣବିକ ଯୁଦ୍ଧାସ୍ତ୍ର। ବିଶେଷ କରି ଗଭୀର, କଠୋର ଭୂତଳ ଟାର୍ଗେଟ୍‌କୁ ନଷ୍ଟ କରିବା ପାଇଁ ଏହାର ବ୍ୟବହାର ହୋଇଥାଏ।  

ହୋର୍ମୁଜ ପ୍ରଣାଳୀ ବନ୍ଦ କରିବ ଇରାନ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରବେଶ କରିବା ପରେ ବିଶ୍ବରେ ଆତଙ୍କ ଖେଳିଯାଇଛି। ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ଆକ୍ରମଣ କରିବା ପରେ ବିଶ୍ବ ତୈଳ ଓ ଗ୍ୟାସ ଯୋଗାଣକୁ ବାଧା ପହଞ୍ଚାଇବା ପାଇଁ ଇର‌ାନ ପଦକ୍ଷେପ ନେଇଛି। ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଲାଗି ଆସିଥିବା ପ୍ରସ୍ତାବକୁ ରବିବାର ଇରାନ ସଂସଦ ମଞ୍ଜୁରି ଦେଇଛି। ସଂସଦର ଅନୁମତି ମିଳିବା ପରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାଯାଇଛି।  

ହୋର୍ମୁଜ ପ୍ରଣାଳୀ ପାରସ୍ୟ ଉପସାଗରକୁ ଆରବ ସାଗର ସହିତ ଯୋଡ଼ିଥାଏ। ସବୁଠୁ ଅଣଚଉଡ଼ା ସ୍ଥାନରେ ଏହି ପ୍ରଣାଳୀର ପ୍ରସ୍ଥ ପ୍ରାୟ ୩୩ କିମି। କିନ୍ତୁ ଜାହାଜ ଚଳାଚଳ ମାର୍ଗର ଚଉଡ଼ା ଅତ୍ୟନ୍ତ କମ୍‌। ଯିବାଆସିବା ମାର୍ଗରେ ଏହାର ଚଉଡ଼ା ମାତ୍ର ୩ କିମି ଲେଖାଏଁ ରହିଛି। ହୋର୍ମୁଜ ପ୍ରଣାଳୀ ଦେଇ ବିଶ୍ବର ଏକ ପଞ୍ଚମାଂଶ ବା ୨୦ ପ୍ରତିଶତ ତୈଳ ଓ ଗ୍ୟାସ ଯୋଗାଣ ହୋଇଥାଏ। ଏହାକୁ ବନ୍ଦ କରି‌ବା ପାଇଁ ଇରାନ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ଭାରତ ସହିତ ବିଶ୍ବର ଅନ୍ୟାନ୍ୟ ଦେଶଗୁଡ଼ିକୁ ସାଉଦି ଆରବ, ଇରାକ, ସଂଯୁକ୍ତ ଆରବ ଏମିରେଟ୍ସ, କତର, ଇରାନ ଏବଂ କୁଏତ ଆଦି ଦେଶରୁ ତେଲ ଓ ଗ୍ୟାସ ଆସିବା ବହୁମାତ୍ରାରେ ବାଧାପ୍ରାପ୍ତ ହେବ। ଭାରତର ମୋଟ ୫.୫ ନିୟୁତ ବିପିଡି ‌ଅଶୋଧିତ ତୈଳ ଆମଦାନିରୁ ପ୍ରାୟ ୨ ନିୟୁତ ବିପିଡି ଏହି ପ୍ରଣାଳୀ ଦେଇ ଆସିଥାଏ। ତେଣୁ ଭାରତକୁ ବିଶ୍ବର ଅନ୍ୟ ସ୍ଥାନରୁ ଅଶୋଧିତ ତେଲ ଆଣି ଦେଶର ଚାହିଦାକୁ ପୂରଣ କରିବାକୁ ପଡ଼ିବ। କିନ୍ତୁ ଇରାନର ଏହି ନିଷ୍ପତ୍ତି ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ନିକଟ ଭବିଷ୍ୟତରେ ବ୍ୟାରେଲ୍‌ ପିଛା ୮୦ ଡଲାରରେ ପହଞ୍ଚିବା ଆଶଙ୍କା କରାଯାଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। 

ଅନ୍ୟପକ୍ଷରେ ହୋର୍ମୁଜ ପ୍ରଣାଳୀ ବନ୍ଦରୁ କ୍ଷାନ୍ତ ରହିବା ପାଇଁ ଇରାନକୁ କହିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ବିଦେଶ ମନ୍ତ୍ରୀ ‌ମାର୍କୋ ରୁବିଓ ଆଜି ଚୀନକୁ କହିଛନ୍ତି। ରବିବାର  ଇରାନ ରିଭୋଲ୍ୟୁସନାରି ଗାର୍ଡସର କମାଣ୍ଡର ଇସମାଇଲ କୋସାରି ଗଣମାଧ୍ୟମକୁ କହିଛନ୍ତି, ହୋର୍ମୁଜ ପ୍ରଣାଳୀ ବନ୍ଦ ସଂପର୍କରେ ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ନିଷ୍ପତ୍ତି ନେବ। ତେବେ ଏହା ତାଙ୍କ କାର୍ଯ୍ୟସୂଚୀରେ ରହିଛି ଏବଂ ଆବଶ୍ୟକ ସମୟରେ ଏହା

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *