ରାଜ୍ୟ

ଅଶ୍ରୁଳ ନୟନେ: ମା’ଙ୍କୁ ମେଲାଣି, ୪୦ ବର୍ଷ ‌ହେଲା ବାଣ୍ଟି ଆସୁଛି ଭାଇଚାରାର ବାର୍ତ୍ତା

ଅଶ୍ରୁଳ ନୟନେ: ମା’ଙ୍କୁ ମେଲାଣି, ୪୦ ବର୍ଷ ‌ହେଲା ବାଣ୍ଟି ଆସୁଛି ଭାଇଚାରାର ବାର୍ତ୍ତା

ଆରତ ଜନଙ୍କ ଦୁର୍ଗତି ନାଶ କରିବା ପାଇଁ ଧରାବତରଣ କରିଥିବା ଜଗଜ୍ଜନନୀ ମା ଦୁର୍ଗାଙ୍କୁ ଆଜି ଅଶ୍ରୁଳ ନୟନରେ ମେଲାଣି ଦିଆଯାଇଛି। ପୁଣି ଥରେ ଆରବର୍ଷକୁ ଆସି ଆଶୀର୍ବାଦ କରିବାକୁ ଗୁହାରି କରିଛନ୍ତି।

ଭୁବନେଶ୍ୱର ୦୪-୧୦-୨୦୨୫(ଏସ .ଏମ.) :  ରତ ଜନଙ୍କ ଦୁର୍ଗତି ନାଶ କରିବା ପାଇଁ ଧରାବତରଣ କରିଥିବା ଜଗଜ୍ଜନନୀ ମା ଦୁର୍ଗାଙ୍କୁ ଆଜି ଅଶ୍ରୁଳ ନୟନରେ ମେଲାଣି ଦିଆଯାଇଛି। ପୁଣି ଥରେ ଆରବର୍ଷକୁ ଆସି ଆଶୀର୍ବାଦ କରିବାକୁ ଗୁହାରି କରିଛନ୍ତି। ଏଥିପାଇଁ ରାଜଧାନୀର ରାଜରାସ୍ତା ପାଲଟିଛି ଜନସମୁଦ୍ର। ବାଜା, ବାଣ ରୋଶଣିରେ ଫାଟି ପଡ଼ୁଥିଲା ସାରା ରାଜଧାନୀ। ଭସାଣି ଉତ୍ସବ ସମିତି ପକ୍ଷରୁ ଆୟୋଜିତ ସ୍ଥାନରେ ବିଭିନ୍ନ ପୂଜା କମିଟି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ଏକତ୍ରିତ ହେବା ପରେ ବିସର୍ଜନ ପାଇଁ ଦୟା ଓ କୁଆଖାଇ ନଦୀପଠାରେ ପ୍ରସ୍ତୁତ ଅସ୍ଥାୟୀ ପୁଷ୍କରିଣୀ ନିକଟକୁ ଯାଇଥିଲେ। ଏଣୁ ଆଜି ମଧ୍ୟାହ୍ନରୁ ଗୋଟିଏ ପରେ ଗୋଟିଏ ମୃଣ୍ମୟୀ ମୂର୍ତ୍ତି, ମେଢ଼ ଶୋଭାଯାତ୍ରାରେ ଆସି ସହିଦନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଆଦି ସ୍ଥାନରେ ଏକତ୍ର ହୋଇଥିଲେ। ପରେ ମେଲାଣି ପର୍ବ ଆରମ୍ଭ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଲାଣି ପର୍ବ ଚାଲିଥିଲା।

ବିଦାୟ ପୂର୍ବରୁ ସମବେତ ମୃଣ୍ମୟୀ ମୂର୍ତ୍ତିଙ୍କ ଏହି ଅନନ୍ୟ ପରମ୍ପରାର ବୈଶିଷ୍ଟ୍ୟକୁ ଉପଭୋଗ କରିବାକୁ ସମବେତ ହୋଇଥିଲେ ସହସ୍ରାଧିକ ଭକ୍ତ। ବିଦାୟ ବେଳେ ନାଚଗୀତର ପାରମ୍ପରିକ ତାଳରେ ପାହୁଲ ପକେଇ ନୃତ୍ୟ କରୁଥିଲେ ଭକ୍ତ। ଶାରଦୀୟ ମହାପାର୍ବଣରେ ପରଦା ନଇଁବା ଆଗରୁ ମା’ଙ୍କ ସହ ଆଖିରେ ଆଖିରେ ଚାଲିଥିଲା ଭକ୍ତଙ୍କ ଭାବ ଦିଆନିଆ। ଭକ୍ତମାନେ ମା’ଙ୍କୁ ଦେଖି ମୁଣ୍ଡ ନୁଆଁଇ ପ୍ରଣାମ କରିବା ସହ କାରିଗରୀର ମୂଲ୍ୟାୟନ ବି କରୁଥିଲେ।

ଶୁକ୍ରବାର ମଧ୍ୟାହ୍ନରୁ ପୂଜାମଣ୍ଡପରେ ଦେବୀଙ୍କ ବିସର୍ଜନ ନୀତି ପରେ ସାହି ପରିକ୍ରମା କରି ମା’ ଓ ଅନ୍ୟ ମେଢ଼ ଅପରାହ୍ନରେ ମେଳଣରେ ସମବେତ ହୋଇଥିଲେ। ଭିନ୍ନ ଭିନ୍ନ ସ୍ଥାନରେ ୧୭୨ରୁ ଅଧିକ ମେଢ଼ଙ୍କ ସମାଗମ ହୋଇଥିଲା। ଆସିବା ବେଳର ଦୃଶ୍ୟ ଦେଖିବାକୁ ରାସ୍ତାର ଦୁଇ କଡ଼ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବୀରପ୍ରତିମ ଚାହାଣି ସାଙ୍ଗକୁ କାହାର ଠାଣି କେତେ କାରୁକାର୍ଯ୍ୟପୂର୍ଣ୍ଣ ସେସବୁକୁ ଦେଖି ଚମତ୍କୃତ ହେଉଥିଲେ ଭକ୍ତ। ଭକ୍ତଙ୍କୁ ଆଶୀର୍ବାଦ ଦେଇ ବିସର୍ଜନ ପାଇଁ ମେଲାଣି ନେଇଥିଲେ ମା’ ଦୁର୍ଗତିନାଶିନୀ। ବିସର୍ଜନ ପାଇଁ ଯିବା ବାଟରେ ବି ସମବେତ ଭକ୍ତ ଏହି ଅନନ୍ୟ ଦୃଶ୍ୟକୁ ଉପଭୋଗ କରିବାକୁ ରାସ୍ତାକଡ଼ରେ ଅପେକ୍ଷା କରିଥିଲେ।

ରାଜଧାନୀର ସର୍ବପୁରାତନ ଭୁବନେଶ୍ବର ଭସାଣି ସମିତି, ୪୦ ବର୍ଷ ‌ହେଲା ବାଣ୍ଟି ଆସୁଛି ଭାଇଚାରାର ବାର୍ତ୍ତା…

ଭୁବନେଶ୍ବର: ଦୁର୍ଗାପୂଜା ଆୟୋଜନରେ ଯେଭଳି ପ୍ରତିଯୋଗିତା ଓ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳେ, ସେତିକି ଉତ୍ସବମୁଖର ପରିବେଶ ଭସାଣି ଉତ୍ସବ ଆୟୋଜନରେ ବି ଦେଖିବାକୁ ମିଳେ। ଭସାଣିରେ ଲୋକଙ୍କ ମେଳରେ ନାନାଦି ଲୋକନୃତ୍ୟର ସମାହାର ସାଙ୍ଗକୁ ବାଜା, ବାଣ ଆଦିର ପାରମ୍ପରିକ ପଟୁଆର ବେଶ ଆକର୍ଷଣୀୟ ଓ ଭାଇଚାରାର ଭିନ୍ନ ଏକ ପରିବେଶ ସୃଷ୍ଟି କରେ। ଏଭଳି ନିଆରା ଭାଇଚାରାର ବାର୍ତ୍ତା ବାଣ୍ଟି ଆସୁଛି ରାଜଧାନୀର ସର୍ବପୁରାତନ ଭୁବନେଶ୍ବର ଭସାଣି ଉତ୍ସବ ସମିତି। ଯେଉଁଠି ରାଜଧାନୀର ବହୁ ପୁରୁଣା ଓ ଜଣାଶୁଣା ପୂଜାମଣ୍ଡପର ଦୁର୍ଗାମେଢ଼ ଏକତ୍ର ହୁଅନ୍ତି। ସମିତି ଏବେ ୪୦ ବର୍ଷରେ ପାଦ ଦେଇଛି। ସମିତିର ସଂପାଦକ ହରିଶ ରଥ କହିଛନ୍ତି, ୧୯୮୫ ମସିହାରେ ଭୁବନେଶ୍ବର ଭସାଣି ଉତ୍ସବ ସମିତି ଗଠନ ହୋଇଥିଲା। ଏହାର ପ୍ରତିଷ୍ଠାତା ଥିଲେ ସ୍ବର୍ଗତ ଡା. ଜଗନ୍ନାଥ ମହାପାତ୍ର(ସେବେର ସଂପାଦକ) ଓ ସାମାଜିକ କର୍ମୀ ସ୍ବର୍ଗତ ସୁର ସୁନ୍ଦରାୟ(ସେବେର ସଭାପତି)। ରାଜଧାନୀର ଏହା ସବୁଠୁ ପୁରୁଣା ଭସାଣି ଉତ୍ସବ ସମିତି।

ଆରମ୍ଭରୁ ଏହି ସମିତି ସହ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଗାଡ଼କଣ ଭଳି ପୂଜା କମିଟି ମିଶିଥିଲେ। ଏବେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଆଦି ପୂଜା କମିଟି ଭିନ୍ନ ଭାବେ ଭସାଣି ଉତ୍ସବ ପାଳନ କରୁଛନ୍ତି। ସମିତି ସହ ଏବେ ବି ରାଜଧାନୀର ୨୫ଟି ବହୁ ପୁରୁଣା ପୂଜା କମିଟି ଅଛନ୍ତି। ୭୫ ବର୍ଷ ପୁରୁଣା ଷ୍ଟେସନବଜାର ପୂଜା କମିଟି, ୬୦ ବର୍ଷ ପୁରୁଣା ବମିଖାଲ ପୂଜା କମିଟି, ୪୮ ବର୍ଷ ପୁରୁଣା ସହିଦନଗର ପୂଜା କମିଟି, ୩୦ ବର୍ଷ ପୁରୁଣା ବୀରସୁରେନ୍ଦ୍ରସାଏନଗର ପୂଜା କମିଟି, ପଳାଶୁଣୀ ପୂଜା କମିଟି, ୨୫ ବର୍ଷ ପୁରୁଣା ଚକେଇସିଆଣି ପୂଜା କମିଟି, ଏଭଳି ଅନେକ ପୂଜା କମିଟି ଭୁବନେଶ୍ବର ଭସାଣି ଉତ୍ସବ ସମିତିର ସଦସ୍ୟ ଅଛନ୍ତି। ଶ୍ରୀ ରଥ କହିଛନ୍ତି, ଜାକଜମକରେ ପୂଜା ଆୟୋଜନ ଶେଷ ପରେ ଆଜି ସାଢ଼େ ୩ଟାରୁ ଭସାଣି ପର୍ବ ଆରମ୍ଭ ହୋଇଛି। ରୁପାଲି ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭସାଣି ପାଇଁ ଦୁର୍ଗାମେଢ଼ ଆସି ଧାଡ଼ିରେ ଛିଡ଼ା ହେବା ପରେ କ୍ରମ ଅନୁସାରେ ଭସାଣି ଘାଟକୁ ଯାଇଛନ୍ତି। ଏହି ଅବସରରେ ବିଭିନ୍ନ ପୂଜା କମିଟିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ବୋଲି ଶ୍ରୀ ରଥ କହିଛନ୍ତି।

ଅପରପକ୍ଷେ ଆଜି ସହିଦନଗର ଭସାଣି ଯାତ ବେଳେ ଘୋଡ଼ାନାଚ, ଘୁମୁରା, ପଞ୍ଜାବୀ ଢୋଲ, ସିଂହବାଜାରେ ପ୍ରକମ୍ପିତ ହୋଇଛି ସହର। ପାରମ୍ପରିକ ବାଜା ଓ ସଙ୍ଗୀତରେ ତାଳରେ ତାଳ ପକାଇ ନୃତ୍ୟ କରିଛନ୍ତି କଳାକାର, ଭକ୍ତ। କିଏ ପ୍ରଭୁ ମହାଦେବଙ୍କ ବେଶ ନେଇଥିଲେ ତ କିଏ ମା’ କାଳୀଙ୍କ ବେଶରେ ସମ୍ମିଳିତ ଭାବରେ ମା’ଙ୍କୁ ବିଦାୟ ଦେଇଛନ୍ତି। ଭକ୍ତମାନଙ୍କ ଉତ୍ସାହ ବି କିଛି କମ୍‌ନଥିଲା। କିଏ ରାସ୍ତାରେ ପ୍ରଣିପାତ କରୁଥିଲା ତ କିଏ ନିଜ ମୋବାଇଲ ଫୋନ୍‌ରେ ମା’ଙ୍କ ବିଦାୟ ମହୋତ୍ସବକୁ ରେକର୍ଡିଂ କରି ରଖୁଥିଲା। ଭସାଣି ଉତ୍ସବ ପାଇଁ ଚଳିତ ବର୍ଷ ୨୦ରୁ ଊର୍ଦ୍ଧ୍ୱ ପୂଜା କମିଟିକୁ ନିମନ୍ତ୍ରଣ କରାଯାଇଥିଲା। କଣ୍ଢେଇ ନାଚ, ପାରମ୍ପରିକ ବାଦ୍ୟ ଓ ମୟୁର ନାଚ ସହିତ ପ୍ରଥମେ ଆସିଥିଲେ ଷ୍ଟେସନବଜାର ଦୁର୍ଗାପୂଜା ସମିତି। ପରେ ପରେ ଝାରପଡ଼ା, ସତ୍ୟନଗର, ଚକେଇସିଆଣୀ, ପଳାଶୁଣୀ, କୋରଡ଼କଣ୍ଟା, ବୀରସୁରେନ୍ଦ୍ରସାଏନଗର, ୟୁନିଟ୍-୯, କଟକ ରୋଡ, ସହିଦନଗର, ବମିଖାଲ ଦୁର୍ଗାପୂଜା କମିଟି ସହ ଗଜପତିନଗର ମା’ ଦୁର୍ଗାପୂଜା ସମିତି ଭସାଣି ଯାତରେ ସାମିଲ୍‌ ହୋଇଥିଲେ।

ପୁରୁଣା ଭୁବନେଶ୍ୱରରେ ଭସାଣି…
ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଆଜି ଏକ ଭାବବିହ୍ବଳ ପରିବେଶରେ ମା’ ଦୁର୍ଗାଙ୍କୁ ମେଲାଣି ଦିଆଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଦୟା ନଦୀ ନିକଟରେ ଥିବା ଅସ୍ଥାୟୀ ପୁଷ୍କରିଣୀରେ ମା’ଙ୍କୁ ବିସର୍ଜନ କରାଯାଇଛି। ଗତକାଲି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାୟକ ବାବୁ ସିଂ ଦଳୀୟ ସହଯୋଗୀଙ୍କ ସହ ବଡ଼ୁ ନିଯୋଗ, ବ୍ରାହ୍ମଣ ନିଯୋଗ ଓ ଗୋସାଗରେଶ୍ୱର ଛକ ଦୁର୍ଗାପୂଜା ମେଢ଼ ଦର୍ଶନ କରିଥିଲେ। ଦଶହରା ଦିନ ସନ୍ଧ୍ୟାରେ ପୁରୁଣା ଭୁବନେଶ୍ବର ବିଭିନ୍ନ ରାସ୍ତାରେ ମେଢ଼ ଦେଖିବାକୁ ଭିଡ଼ ଜମିଥିଲା। ରଥଦାଣ୍ଡ, ବଣିଆସାହି, ହାଟସାହି ରାସ୍ତାରେ ଗାଡ଼ି ମଟର ଜାମ୍‌ ଯୋଗୁ ଯିବା ଆସିବା ମୁସ୍କିଲ ହୋଇ ପଡ଼ିଥିଲା। କିନ୍ତୁ ଆଜି ସକାଳୁ ଚିତ୍ର ଥିଲା ଭିନ୍ନ। ସବୁ ମଣ୍ଡପରୁ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଥିଲା। ଆଜି ଅପରାହ୍ଣ ୩ଟାରୁ ସ୍ଥାନୀୟ ଅଞ୍ଚଳରେ ଭସାଣି ଜମିଥିଲା। ହରଚଣ୍ଡୀସାହି, ରବି ଟକିଜ୍‌ ବ୍ୟବସାୟୀ ସଂଘ ପରେ ପରେ ବିଭିନ୍ନ ସାହିର ମେଢ଼ଗୁଡ଼ିକ ବଢ଼େଇବାଙ୍କ ଛକ ଓ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ପରିକ୍ରମା କରିବା ପରେ ଦୟା ନଦୀ କୂଳକୁ ଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *