ଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ଆଇଇଡି ବିସ୍ଫୋରଣରେ ଯବାନ ସହିଦ

ଆଇଇଡି ବିସ୍ଫୋରଣରେ ଯବାନ ସହିଦ

ମାଓନେତାଙ୍କୁ ଧରିବାକୁ ଚାଲିଥିଲା ଅପରେସନ୍‌, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ରାଉରକେଲା/ଭୁବନେଶ୍ୱର୧୫-୦୬-୨୦୨୫( ଏସ .ଏମ ) :ଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। ସର୍ଚ୍ଚ ଅପରେସନ୍‌ ସମୟରେ ଆଇଇଡି ବିସ୍ଫୋରଣରେ ସିଆର୍‌ପିଏଫ୍‌ ୧୩୪ ବାଟାଲିୟନ୍‌ର ଏଏସ୍‌ଆଇ ସତ୍ୟବାନ କୁମାର ସିଂହ ସହିଦ ହୋଇଛନ୍ତି। ତାଙ୍କ ଘର ଉତ୍ତରପ୍ରଦେଶର ରାଜକୁଶିନଗର। ରାଉରକେଲାରୁ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ତାଙ୍କ ମୃତଦେହ ରାଞ୍ଚିସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟକୁ ନିଆଯାଇଛି। ଏହି ଘଟଣା ପରେ ସରଣ୍ଡା ଜଙ୍ଗଲରେ ତଲାସି ଅଭିଯାନକୁ ଜୋରଦାର କରାଯାଇଛି।

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମସିଂହଭୂମ ଜିଲ୍ଲାକୁ ଲାଗି ରହିଥିବା ସରଣ୍ଡା ଜଙ୍ଗଲରେ କିଛି କ୍ୟାଡର୍‌ ମାଓନେତା ଏକାଠି ହୋଇଥିବା ଗୁଇନ୍ଦା ଖବର ମିଳିଥିଲା। ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସର ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସର୍ଚ ଅପରେସନ୍‌ ଚାଲିଥିବା ସମୟରେ ମାଓମାଦୀମାନେ ଆଇଇଡି ବିସ୍ଫୋରଣ କରିବାରୁ ଏଏସ୍ଆଇ ସତ୍ୟବାନ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାଉରକେଲା ସେକ୍ଟର୍‌-୧୯ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍‌ପି ନିତେଶ ୱାଧୱାନୀଙ୍କ ସମେତ ସିଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଚିକିତ୍ସାର ପ୍ରାୟ ଘଣ୍ଟାଏ ପରେ ଡାକ୍ତର ସତ୍ୟବାନଙ୍କୁ ମୃତ ଘୋଷଣା କରିଥିଲେ।

ସତ୍ୟବାନଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ରାଉରକେଲାରୁ ହେଲିକେପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା। ସେଠାରେ ସହିଦ ସତ୍ୟବାନଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅପରପକ୍ଷରେ ଯବାନ ଓ ପୁଲିସ ସରଣ୍ଡା ଜଙ୍ଗଲକୁ ଚତୁଃପାର୍ଶ୍ବରୁ ଘେରାବନ୍ଦୀ କରି ସର୍ଚ ଅପରେସନ‌୍ ଜାରି ରଖିଛନ୍ତି। ପଶ୍ଚିମ ସିଂହଭୂମ ଏସ୍‌ପି ରାକେଶ ରଞ୍ଜନ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଛତ୍ରଭଙ୍ଗ ଦେଇଥିବା ମାଓନେତାଙ୍କୁ ଧରିବାକୁ ଅପରେସନ୍‌କୁ କଡ଼ାକଡ଼ି କରାଯାଇଛି। ଅପରେସନ୍‌ରେ ଓଡ଼ିଶା ପୁଲିସ, ୨୦୩ କୋବ୍ରା ବାଟାଲିୟନ୍‌, ୧୦୯ ବାଟାଲିୟନ୍‌, ଝାଡ଼ଖଣ୍ଡ ଜାଗୁଆର, ସିଆର୍‌ପିଏଫ୍‌ ୨୬, ୬୦,‌ ୧୩୪, ୧୭୪, ୧୯୩, ୧୯୭ ବାଟାଲିୟନ୍‌ ଟିମ୍‌ ସାମିଲ ହୋଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *