ଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

ଆଇନଜୀବୀଙ୍କ କଲମ ଛାଡ଼, ନିରବ ‌ଶୋଭାଯାତ୍ରା

ଆଇନଜୀବୀଙ୍କ କଲମ ଛାଡ଼, ନିରବ ‌ଶୋଭାଯାତ୍ରା…

ହାଇକୋର୍ଟ ସମେତ ସବୁ କୋର୍ଟ କାର୍ଯ୍ୟ ପ୍ରଭାବିତ

ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାର ପ୍ରତିବାଦରେ ବୁଧବାର ଦିନ ସାରା ରାଜ୍ୟର ଆଇନଜୀବୀମାନେ ସଂପୂର୍ଣ୍ଣ କଲମ ଛାଡ଼ କରିଛନ୍ତି।

କଟକ ୦୯-୧୦-୨୦୨୫(ଏସ.ଏମ .) : ଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାର ପ୍ରତିବାଦରେ ବୁଧବାର ଦିନ ସାରା ରାଜ୍ୟର ଆଇନଜୀବୀମାନେ ସଂପୂର୍ଣ୍ଣ କଲମ ଛାଡ଼ କରିଛନ୍ତି। ଆଇନଜୀବୀଙ୍କ କଲମ ଛାଡ଼ ପାଇଁ ଆଜି ହାଇକୋର୍ଟ ସହିତ ରାଜ୍ୟର ସମସ୍ତ ଜିଲ୍ଲା ଓ ଅନ୍ୟ ଅଦାଲତରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆଇନଜୀବୀଙ୍କ ଅନୁପସ୍ଥିତିରେ ଅଦାଲତରେ ମାମଲା ଗୁଡ଼ିକର ଶୁଣାଣି ଆଗେଇ ପାରି ନଥିଲା। ମାତ୍ର ହାତ ଗଣତି କେତେକ ମାମଲାରେ ପକ୍ଷମାନେ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପକ୍ଷ ରଖିଥିଲେ।

ରାଜ୍ୟ ଆଇନଜୀବୀ ପରିଷଦର କଲମ ଛାଡ଼ ସଂପର୍କିତ ଅକ୍ଟୋବର ୭ର ଗୃହୀତ ପ୍ରସ୍ତାବ ପରେ ଆଜି ସକାଳ ୧୧ଟାରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କଟକର ସମସ୍ତ ବାର୍‌ର ମିଳିତ ବୈଠକ ଆୟୋଜନ କରାଯାଇଥିଲା। ହାଇକୋର୍ଟ ବାର୍ ସଭାପତି ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ବୈଠକରେ କଟକ ବାର୍, କ୍ରିମିନାଲ କୋର୍ଟସ୍ ବାର୍, ବୋର୍ଡ ଅଫ୍ ରେଭେନ୍ୟୁ ବାର୍, ଏମ୍‌.ଭି.ଲୟର୍ସ ବାର୍, କଟକ ଟ୍ୟାକ୍ସ ବାର୍, ଡିଆର୍‌ଟି ବାର୍, କ୍ୟାଟ୍ ବାର୍, କଞ୍ଜ୍ୟୁମର୍‌ କୋର୍ଟସ୍ ବାର୍ ଆସୋସିଏସନର କର୍ମକର୍ତ୍ତା ଯୋଗ ଦେଇ ସାଂପ୍ରତିକ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ଅନୁସାରେ କଲମ ଛାଡ଼ କରିବା ପାଇଁ ବୈଠକରେ ସମ୍ମତି ପ୍ରକାଶ ପାଇଥିଲା। ଏହାପରେ ହାଇକୋର୍ଟ ବାର୍ ଆସୋସିଏସନ୍‌ ପରିସରରୁ ଆଇନଜୀବୀମାନେ ନିରବ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କଟକ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ହାଇକୋର୍ଟ ବାର୍ ସଭାପତି ମନୋଜ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ‌ଯେ ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ ଆଇନଜୀବୀଙ୍କ ସୁରକ୍ଷା ପାଇଁ ଆଇନ ଆଣିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ କହିଛନ୍ତି ଯେ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ ସର୍ବସମ୍ମତିରେ କଲମ ଛାଡ଼ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରାଯାଉ। ମାମଲାର ତ୍ବରିତ ଶୁଣାଣି କରାଯାଉ। ପୀତବାସ ପଣ୍ଡାଙ୍କ ପରିବାରକୁ ଅତିକମ୍‌ରେ ଏକ କୋଟି ଟଙ୍କା ରାଶି ସରକାର ପ୍ରଦାନ କରନ୍ତୁ। ଆଇନଜୀବୀ ସୁରକ୍ଷା ଆଇନ ପାଇଁ ପରିଷଦ ତରଫରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୋମବାର ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା ପରେ ବୁଧବାର ରାଜ୍ୟର ସମସ୍ତ ଆଇନଜୀବୀ ସଂପୂର୍ଣ୍ଣ କଲମ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *