LatestSportsTOP STORIESଖେଳଦେଶ- ବିଦେଶ

ଆଇପିଏଲ୍‌:କ୍ବାଲିଫାୟାର-୨ରେ ପରସ୍ପରକୁ ଭେଟିବେ ପଞ୍ଜାବ-ମୁମ୍ବାଇ

ଆଇପିଏଲ୍‌:କ୍ବାଲିଫାୟାର-୨ରେ ପରସ୍ପରକୁ ଭେଟିବେ ପଞ୍ଜାବ-ମୁମ୍ବାଇ

ପ୍ରଥମ ଥର ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ଦେଖୁଥିବା ପଞ୍ଜାବ କିଙ୍ଗ୍ସ ଏବେ ‘କର ବା ମର’ ସ୍ଥିତିରେ ପଡ଼ିଛି। ଆଗରେ ରହିଛି ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ। ୧୧ ବର୍ଷ ପରେ ପ୍ଲେ ଅଫ୍ ଆସିଥିବା ପଞ୍ଜାବ କିଙ୍ଗ୍ସ ଲିଗ୍ ଟପ୍ପର ହୋଇଥିଲେ ମଧ୍ୟ ଏକ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି

ଅହମଦାବାଦ/ଭୁବନେଶ୍ୱର ୦୧-୦୬-୨୦୨୫(ଏସ .ଏମ ) : ପ୍ରଥମ ଥର ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ଦେଖୁଥିବା ପଞ୍ଜାବ କିଙ୍ଗ୍ସ ଏବେ ‘କର ବା ମର’ ସ୍ଥିତିରେ ପଡ଼ିଛି। ଆଗରେ ରହିଛି ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ। ୧୧ ବର୍ଷ ପରେ ପ୍ଲେ ଅଫ୍ ଆସିଥିବା ପଞ୍ଜାବ କିଙ୍ଗ୍ସ ଲିଗ୍ ଟପ୍ପର ହୋଇଥିଲେ ମଧ୍ୟ ଏକ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି। କ୍ବାଲିଫାୟାର-୧ରେ ଶ୍ରେୟସ ଆୟରଙ୍କ ଦଳ ଅନ୍ୟତମ ଅଧୁରା ସ୍ବପ୍ନର ଦଳ ଆର୍‌ସିବି ନିକଟରୁ ହାରିଯାଇଥିବାରୁ ଏବେ ଶେଷ ସୁଯୋଗ ପାଇଛି। ରବିବାର କ୍ବାଲିଫାୟାର-୨ର ସେମିଫାଇନାଲ୍ ସଦୃଶ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ସହଜରେ ବାଟ ଛାଡ଼ିବ ନାହିଁ ମୁମ୍ବାଇ ଇଣ୍ଡିଆନ୍ସ। କାରଣ ଅଧିକାଂଶ ସଂସ୍କରଣ ଆଇପିଏଲ୍‌ରେ ଦ୍ବିତୀୟାର୍ଦ୍ଧରେ ଭଲ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସ ବି ୫ ବର୍ଷ ପରେ ଷଷ୍ଠ ମୁକୁଟ କରାୟତ୍ତ କରିବା ଆଶାରେ ରହିବ। ରବିବାରର ବିଜୟୀ ଦଳ ମଙ୍ଗଳବାର ଐତିହାସିକ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆର୍‌ସିବି ସହ ଟ୍ରଫି ପାଇଁ ଟକ୍କର ହେବ।

ଲିଗ୍ ପର୍ଯ୍ୟାୟର ଶେଷ ଭାଗ ପର୍ଯ୍ୟନ୍ତ ୧୨ ମ୍ୟାଚ୍‌ରୁ ୯ ଜିତି ଆତ୍ମବିଶ୍ବାସରେ ଥିବା ଶୁବମନ ଗିଲଙ୍କ ଗୁଜରାଟ ଟାଇଟନ୍ସ ବିଗତ ୩ ମ୍ୟାଚ୍ ହାରିବାରୁ ଖାଲି ହାତରେ ବିଦାୟ ନେଇଛି। ଏପରିକି ଦଳର ଦୁଇ ଅଗ୍ରଣୀ ଖେଳାଳି ସାଇ ସୁଦର୍ଶନ (ଅରେଞ୍ଜ୍ କ୍ୟାପ୍‌, ୭୫୯ ରନ୍) ଏବଂ ପ୍ରସିଦ୍ଧ କୃଷ୍ଣ (ପର୍ପଲ୍ କ୍ୟାପ୍‌, ୨୫ ୱିକେଟ୍‌)ଙ୍କୁ ବି ବିନା ଟ୍ରଫିରେ ବିଦାୟ ନେବାକୁ ପଡ଼ିଛି। ଏହି ଫଳାଫଳ ରବିବାର ଉଭୟ ହାର୍ଦିକ ପାଣ୍ଡ୍ୟା ଓ ଶ୍ରେୟସ ଆୟରଙ୍କୁ ଚିନ୍ତାରେ ପକାଇବ। ମ୍ୟାଚ୍‌ ଦିନ ଭଲ ପ୍ରଦର୍ଶନ କରି ଆଗକୁ ବଢ଼ିବାକୁ ଚାହିଁବେ ଏହି ଦୁଇ ଖେଳାଳି। ଗତ ଋତୁର ‌ନୈରାଶ୍ୟଜନକ ପ୍ରଦର୍ଶନ ପରେ ହାର୍ଦିକ ପାଣ୍ଡ୍ୟାଙ୍କ‌ ନେତୃତ୍ବରେ ବି ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ଟ୍ରଫି ଜିତିବା ଆଶାରେ ରହିଥିବ। ସେହିଭଳି ପଞ୍ଜାବ କିଙ୍ଗ୍ସ ଓ ପ୍ରୀତି ଜିଣ୍ଟାଙ୍କ ଏକମାତ୍ର ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ବି ଆୟର ମୋଟେରା ଷ୍ଟାଡିୟମ୍‌ରେ କିଛି କରିସ୍ମା ଦେଖାଇବା ଚକ୍କରରେ ଅଛନ୍ତି। ଗତ ଋତୁରେ କେକେଆର୍‌କୁ ବିଜେତା କରିଥିବା ଆୟର ମଧ୍ୟ ଚଳିତ ବର୍ଷ ମୁମ୍ବାଇକୁ ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି ବିଜେତା କରିଛନ୍ତି। ପଞ୍ଜାବ କିଙ୍ଗ୍ସର ସ୍ବପ୍ନ ସାକାର କରିପାରିଲେ ବ୍ୟକ୍ତିଗତ ଭାବେ ସେ ମଧ୍ୟ ହ୍ୟାଟ୍ରିକ୍ ଗୌରବ ପାଇବେ। ଆଇପିଏଲ୍‌ ଇତିହାସରେ ପ୍ରଥମ ଅଧିନାୟକ ଭାବେ ଭିନ୍ନ ଦଳକୁ ବିଜେତା କରିବାର ବିରଳ ସଫଳତା ପାଇବେ। ଏଥି ପାଇଁ କିନ୍ତୁ ନିଜ ସହର ଦଳକୁ ପ୍ରଥମେ କାଟିବାକୁ ପଡ଼ିବ ଆୟରଙ୍କୁ।

ରୋହିତ ଶର୍ମା, ଜନି ବେୟାରଷ୍ଟୋ ଶୁକ୍ରବାର ରାତିରେ ଯେଭଳି ମୁମ୍ବାଇର ପାୱାର ପ୍ଲେ ଦୁର୍ବଳତାକୁ ଦୂର କରିପାରିଲେ ଏହା ଦଳକୁ ନୂଆ ଜୀବନ ଦେଇଛି। ବୁମରାଙ୍କ ୟର୍କର୍ ବି ପୁଣି ଲୟକୁ ଫେରିଥିବାର ବିଶ୍ବାସ ମୁମ୍ବାଇକୁ ଶୀର୍ଷରେ ରଖିଛି। ବେୟାରଷ୍ଟୋ ଓ ରିଚାର୍ଡ ଗ୍ଲିସନ୍‌ ଶୁକ୍ରବାର ପ୍ରଥମ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ମୁମ୍ବାଇ ବିଜୟରେ ବଡ଼ ଯୋଗଦାନ ରଖିଥିଲେ। ଯାହାକି ରିକେଲଟନ୍ ଓ ୱିଲ୍ ଜ୍ୟାକ୍‌ଙ୍କ ଅନୁପସ୍ଥିତିକୁ ଅନୁଭବ ହେବାକୁ ‌ଦେଇ ନଥିଲା। ପଞ୍ଜାବ କିଙ୍ଗ୍ସ ମଧ୍ୟ ପ୍ରଭସିମରନ୍‌ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଶ୍ରେୟସ ଆୟର, ଅର୍ଶଦୀପ ସିଂହ, କାଏଲ୍ ଜାମିସନଙ୍କ ଅବଦାନ ବଳରେ ପୁଣି ଲୟକୁ ଫେରିବ ବୋଲି ବିଶ୍ବାସ ରଖିଛି। ଶେଷ ଥର ପାଇଁ ପଞ୍ଜାବ ୨୦୧୪ରେ କେକେଆର୍‌ଠାରୁ କ୍ବାଲିଫାୟାର୍‌-୧ ହାରିଥିଲେ ମଧ୍ୟ ସିଏସ୍‌କେଠାରୁ କ୍ବାଲିଫାୟାର-୨ ଜିତି ଫାଇନାଲ୍‌ ‌ଖେଳିଥିଲା। ଫାଇନାଲ୍‌ରେ କିନ୍ତୁ କେକେଆର୍‌ଠାରୁ ପୁଣି ହାରିଯାଇଥିଲା। ଏହି ଥରେ ମାତ୍ର ଫାଇନାଲ୍ ଖେଳିଛି ପଞ୍ଜାବ। ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ସପ୍ତମ ଫାଇନାଲ୍ ପ୍ରବେଶ ଲକ୍ଷ୍ୟରେ ରହିବ।

ମୁହାଁମୁହିଁ ଆଇପିଏଲ୍‌ ଇତିହାସରେ ପଞ୍ଜାବ-ମୁମ୍ବାଇ ପରସ୍ପରକୁ ୩୨ ଥର ଭେଟିଛନ୍ତି। ମୁମ୍ବାଇ କିନ୍ତୁ ୧୭-୧୫ରେ ଆଗୁଆ ରହିଛି। ଚଳିତ ଋତୁରେ ହୋଇଥିବା ଏକମାତ୍ର ମୁକାବିଲାରେ ପଞ୍ଜାବ ୭ ୱିକେଟ୍‌ରେ ମାତ୍ ‌ଦେଇଥିଲା ହାର୍ଦିକ ପାଣ୍ଡ୍ୟାଙ୍କ ଦଳକୁ। ମୋଟେରା ବି ଉଭୟ ଦଳ ପାଇଁ ଘରୋଇ ଗ୍ରାଉଣ୍ଡ୍ ହୋଇ ନଥିବାରୁ ଏକ ନିରପେକ୍ଷ ଲଢ଼େଇ ବି ଦେଖିବେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ର ଦର୍ଶକ। ମୁମ୍ବାଇ ପାଖରେ ବଡ଼ ମ୍ୟାଚ୍‌ ଜିତିବାର ଅଭିଜ୍ଞତା ଥିବାରୁ ଆଗ ହେଉ କି ପଛ ବ୍ୟା‌ଟିଂ, ଏହି ଦଳ ମନସ୍ତାତ୍ତ୍ବିକ ଫାଇଦାରେ ରହିବ ବୋଲି କ୍ରିକେଟ୍ ବିଶାରଦମାନେ ଆଶା କରିଛନ୍ତି। ଗୁଗଲ୍ ମ୍ୟାଚ୍‌ ଆକଳନ ବି ଏହି ଦଳ ସପକ୍ଷରେ ୫୯ ପ୍ରତିଶତ ରହିଛି।

ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ: ପ୍ରଭସିମରନ୍ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଜୋସ୍ ଇଙ୍ଗ୍‌ଲିସ, ଶ୍ରେୟସ୍ ଆୟର (ଅଧିନାୟକ), ନେହଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ୍, ଅଜମତୁଲ୍ଲା ଓମରଜାଇ, ହରପ୍ରୀତ୍‌ ବ୍ରାର୍, କାଇଲ ଜାମିସନ୍, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ଜନି ବେୟାରଷ୍ଟୋ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧୀର, ମିଚେଲ ସାଣ୍ଟନର୍, ରାଜ ବାୱା, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ରିଚାର୍ଡ ଗ୍ଲିସନ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *