ଖେଳଦେଶ- ବିଦେଶ

ଆଇପିଏଲ୍‌ର ପ୍ଲେ ଅଫ୍‌ରେ ଗୁଜରାଟ, ବେଙ୍ଗାଲୁରୁ, ପଞ୍ଜାବ

ଆଇପିଏଲ୍‌ର ପ୍ଲେ ଅଫ୍‌ରେ ଗୁଜରାଟ, ବେଙ୍ଗାଲୁରୁ, ପଞ୍ଜାବ

ପଞ୍ଜାବ କିଙ୍ଗ୍ସଠାରୁ ପୁଣି ହାରିଲା ରାଜସ୍ଥାନ
ଆଇପିଏଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ରବିବାର ଗୁଜରାଟ ଟାଇଟନ୍ସ ଧମାକାଦାର କ୍ରିକେଟ୍ ଖେଳି ୧୦ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରିଛି। ଏହି ବିଜୟ ପରେ ଗୁଜରାଟ ନିଜ ସହ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସକୁ ମଧ୍ୟ ପ୍ଲେ ଅଫ୍‌କୁ ନେଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୯.୦୫.୨୦୨୫( ଏସ .ଏମ ) : ଇପିଏଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ରବିବାର ଗୁଜରାଟ ଟାଇଟନ୍ସ ଧମାକାଦାର କ୍ରିକେଟ୍ ଖେଳି ୧୦ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରିଛି। ଏହି ବିଜୟ ପରେ ଗୁଜରାଟ ନିଜ ସହ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସକୁ ମଧ୍ୟ ପ୍ଲେ ଅଫ୍‌କୁ ନେଇଛି। ଅନ୍ୟ ସ୍ଥାନଟି ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରତିଦ୍ବନ୍ଦ୍ବିତା କରିବେ। ଗୁଜରାଟ ମଧ୍ୟ ନବମ ବିଜୟ ପାଇ ତାଲିକାର ପ୍ରଥମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ପଞ୍ଚମ ପରାଜୟ ବରଣ କରିବା ପରେ ଦିଲ୍ଲୀର ପ୍ଲେ ଅଫ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ରାହୁଲଙ୍କ ଶତକକୁ ଫିକା କଲେ ଗିଲ୍‌-ସୁଦର୍ଶନ

କେଏଲ୍ ରାହୁଲ (୧୧୨*)ଙ୍କ ଅପରାଜିତ ଶତକ ବଳରେ ଦିଲ୍ଲୀ ୩ ୱିକେଟ୍ ହରାଇ ୧୯୯ ରନ୍ କରିଥିଲା। ହେଲେ ଗୁଜରାଟର ଦୁଇ ଯୁବ ଓପନର୍ ଶବମନ ଗିଲ୍ (୯୩*, ୫୩ ବଲ୍‌) ଓ ସାଇ ସୁଦର୍ଶନ (୧୦୫*, ୬୧ ବଲ୍‌)ଅବିଭାଜିତ ପ୍ରଥମ ୱିକେଟ୍‌ରେ ରେକର୍ଡଭରା ୨୦୫ ରନ୍ କରି ନିଜ ଦଳକୁ ଗୋଟିଏ ଓଭର ପୂର୍ବରୁ ୧୦ ୱିକେଟ୍‌ରେ ବିଜୟୀ କରାଇଥିଲେ। ସୁଦର୍ଶନ ବ୍ୟକ୍ତିଗତ ଭାବେ ପ୍ରଥମ ଆଇପିଏଲ୍ ଶତକ ଅର୍ଜନ କରିଥିଲେ। ଗିଲ୍ କିନ୍ତୁ ୭ ରନ୍ ପାଇଁ ଆଉ ଏକ ଜାଜ୍ଜ୍ବଲ୍ୟମାନ ଶତକରୁ ବଞ୍ଚିତ ହୋଇଥିଲେ। ପୂର୍ବରୁ ମଧ୍ୟକ୍ରମରୁ ଓପନିଂକୁ ମିଳିଥିବା ପଦୋନ୍ନତିର ପୂରା ଫାଇଦା ଉଠାଇ ରାହୁଲ ପ୍ରଥମ ଭାରତୀୟ ଡାହାଣହାତୀ ବ୍ୟାଟର୍ ଭାବେ ଚଳିତ ଆଇପିଏଲ୍‌ରେ ଶତକ ଅର୍ଜନ କରିଥିଲେ। ମୋଟ ଉପରେ ଏହା ତାଙ୍କର ସପ୍ତମ ଆଇପିଏଲ୍ ଶତକ ଥିଲା। ଅନ୍ୟଏକ ମାଇଲ୍‌ଖୁଣ୍ଟ ଛୁଇଁ ଟ୍ବେଣ୍ଟି-୨୦ରେ ୮୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଭାରତୀୟ ହୋଇଥିଲେ ସେ। ଏହିକ୍ରମରେ କ୍ରିସ୍ ଗେଲ୍ (୨୧୩) ଓ ବାବର ଆଜମ (୨୧୮) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ରାହୁଲଙ୍କ ଛଡ଼ା ଅଭିଷେକ ପୋରେଲ୍ ୩୦ ଓ ତ୍ରିଷ୍ଟନ୍ ଷ୍ଟବ୍ସ ଦ୍ରୁତ ୨୧* ରନ୍ କରିଥିଲେ।

ସଂକ୍ଷିପ୍ତ ସ୍କୋର୍: ଦିଲ୍ଲୀ କ୍ୟାପିଟାଲ୍‌ସ ୨୦ ଓଭରରେ ୧୯୯/୩ (କେଏଲ୍ ରାହୁଲ ୧୧୨*, ଅଭିଷେକ ପୋରେଲ୍ ୩୦, ତ୍ରିଷ୍ଟନ୍ ଷ୍ଟବ୍ସ ୨୧*, ଅର୍ସଦ ଖାନ୍ ୧/୭, ପ୍ରସିଦ୍ଧ କ୍ରିଷ୍ଣା ୧/୪୦)। ଗୁଜରାଟ ଟାଇଟନ୍ସ ୧୯ ଓଭରରେ ୨୦୫/୦ (ସାଇ ସୁଦର୍ସନ ୧୦୮*, ଶୁବମନ ଗିଲ୍ ୯୩*)।

ପୁଣି ହାରିଲା ରାଜସ୍ଥାନ

ଜୟପୁର: ପଞ୍ଜାବ କିଙ୍ଗ୍ସ ପୁଣି ଥରେ ନିଜ ପରାକ୍ରମ ଦେଖାଇଛି। ନିଜ ପୂର୍ବ ଚମକକୁ ବଜାୟ ରଖି ରାଜସ୍ଥାନ ରୟାଲ୍‌ସକୁ ତା’ ଘରୋଇ ପଡ଼ିଆରେ ରୋମାଞ୍ଚକ ଭାବେ ୧୦ ରନ୍‌ରେ ହରାଇ ଦେଇଛି। ଫଳରେ ୧୩ ମ୍ୟାଚ୍‌ରୁ ୮ ବିଜୟ, ୩ ପରାଜୟ ତଥା‌ ବାତିଲ ମ୍ୟାଚ୍‌ରୁ ଗୋଟିଏ ପଏଣ୍ଟ୍‌ ସହ ମୋଟ ୧୭ ପଏଣ୍ଟ୍‌ ଅର୍ଜନ କରିଛି। ଅନ୍ୟପକ୍ଷରେ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନା ସଂପର୍କିତ ବିରତି ସତ୍ତ୍ବେ ରାଜସ୍ଥାନର ଭାଗ୍ୟ ବଦଳିନି। ପ୍ଲେ ଅଫ୍‌ରୁ ବାଦ୍ ପଡ଼ି ସାରିଥିବା ଏହି ଦଳ ୧୩ ମ୍ୟାଚ୍‌ରୁ ଦଶମ ପରାଜୟ ବରଣ କରି ପଏଣ୍ଟ୍ ତାଲିକାର ନବମ ସ୍ଥାନରେ ଅଟକି ରହିଛି।ରବିବାର ପଞ୍ଜାବ ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ ୩୪ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତଥାପି ନେହଲ ୱାଢେରାଙ୍କ ଦାୟିତ୍ବପୂର୍ଣ୍ଣ ୭୦ ଓ ଶଶାଙ୍କ ସିଂହଙ୍କ ବିସ୍ଫୋରକ ୫୯* ରନ୍ ସହାୟତାରେ ୫ ୱିକେଟ୍ ହରାଇ ୨୧୯ ରନ୍‌ର ବଡ଼ ସ୍କୋର୍ କରି ନେଇଥିଲା। ୨୨୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଶ୍ଚାତ୍‌ଧାବନ କରିଥିବା ରାଜସ୍ଥାନ କିନ୍ତୁ ଦୃଢ଼ ଓ ଦମ୍‌ଦାର୍ ଆରମ୍ଭ କରିଥିଲା। ଦୁଇ ଯୁବ ତାରକା ଯଶସ୍ବୀ ଜୟସ୍ବାଲ (୫୦) ଓ ବୈଭବ ସୂର୍ଯ୍ୟବଂଶୀ (୪୦) ଧମାକାଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ମାତ୍ର ୪.୫ ଓଭରରୁ ୭୬ ରନ୍ ଯୋଡ଼ିବା ସତ୍ତ୍ବେ ପରବର୍ତ୍ତୀ ସମୟରେ ଦିଶାହୀନ ହୋଇ ରାଜସ୍ଥାନ ୭ ୱିକେଟ୍ ବିନିମୟରେ ୨୦୯ ରନ୍ କରିପାରିଥିଲା। ହରପ୍ରୀତ୍‌ (୩/୨୨) ତାଙ୍କ ଶାଣିତ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍: ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୨୧୯/୫ (ନେହଲ ୱାଢେରା ୭୦, ଶଶାଙ୍କ ସିଂହ ୫୯*, ଶ୍ରେୟସ୍ ଆୟର ୩୦, ତୁଷାର ଦେଶପାଣ୍ଡେ ୨/୩୭)। ରାଜସ୍ଥାନ ରୟାଲ୍‌ସ ୨୦ ଓଭରରେ ୨୦୯/୭ (ଯଶସ୍ବୀ ଜୟସ୍ବାଲ ୫୦, ଧୃବ ଜୁରେଲ ୫୩, ବୈଭବ ସୂର୍ଯ୍ୟବଂଶୀ ୪୦, ହରପ୍ରୀତ ବ୍ରାର ୩/୨୨, ମାର୍କୋ ୟାନସେନ ୨/୪୧)।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *