TOP STORIESଖେଳଦେଶ- ବିଦେଶ

ଆଇପିଏଲ୍‌ ପ୍ଲେ ଅଫ୍ ସୂଚୀ ଘୋଷିତ

ଆଇପିଏଲ୍‌ ପ୍ଲେ ଅଫ୍ ସୂଚୀ ଘୋଷିତ

ମୁମ୍ବାଇ/ଭୁବନେଶ୍ୱର ୨୧-୦୫-୨୦୨୫( ଏସ.ଏମ) : ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତି ପରେ ଅଟକିଥିବା ଆଇପିଏଲ୍‌ ପୁଣି ଆରମ୍ଭ ହୋଇଯାଇଛି। ତେବେ ବହୁ ପ୍ରତୀକ୍ଷିତ ପ୍ଲେ ଅଫ୍ ଖେଳସୂଚୀକୁ ବିସିସିଆଇ ଘୋଷଣା କରିଛି। ହାଇଦ୍ରାବାଦ ଓ କୋଲକାତାରୁ ପ୍ଲେ ଅଫ୍‌କୁ ସ୍ଥାନାନ୍ତର କରି ଏହାକୁ ଯଥାକ୍ରମେ ମୁଲାନପୁର ଓ ଅହମଦାବାଦ କରିଦିଆଯାଇଛି। ଅହମଦାବାଦର ଆଇକନିକ୍‌ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଜୁନ୍‌ ୧ ତାରିଖରେ କ୍ବାଲିଫାୟାର୍‌-୨ ଓ ଜୁନ୍‌ ୩ ତାରିଖରେ ଫାଇନାଲ୍ ଖେଳାଯିବ। ଏହା ପୂର୍ବରୁ ପଞ୍ଜାବର ମୁଲାନପୁରରେ ମେ’ ୨୯ ତାରିଖରେ କ୍ବାଲିଫାୟାର୍-୧ ଏବଂ ମେ’ ୩୦ରେ ଏଲିମିନେଟର୍‌ ଖେଳାଯିବ। ଗୁଜରାଟ ଟାଇଟନ୍ସ ପୂର୍ବ ବର୍ଷ ବିଜେତା ଓ ଉପ ବିଜେତା ହୋଇଥିବାରୁ ୨୦୨୨ ଓ ୨୦୨୩ରେ ଅହମଦାବାଦ ଫାଇନାଲ୍‌ ଆୟୋଜନ କରିଥିଲା। ଏଥର କିନ୍ତୁ ଭିନ୍ନ କାରଣ ପାଇଁ ଫାଇନାଲ୍‌ର ଆୟୋଜକ ‌ହୋଇଛି। ବିଶ୍ବର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍‌ ଭାବେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଏବେ ତୃତୀୟ ଥର ପାଇଁ ଆଇପିଏଲ୍‌ ଆୟୋଜନ କରିବାକୁ ଯାଉଥିବାବେଳେ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଏଥିରୁ ବଞ୍ଚିତ ହୋଇଛି। ଗତବର୍ଷ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ଫାଇନାଲ୍ ‌ଖେଳିଥିବାରୁ ହାଇଦ୍ରାବାଦ ଓ କୋଲକାତାକୁ ଏଥର ପ୍ଲେ ଅଫ୍ ଆୟୋଜନ ମିଳିଥିଲା। କିନ୍ତୁ ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି ବିସିସିଆଇ ସମ୍ଭବତଃ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ସ୍ଥାନାନ୍ତର କରିଥିବା ବିଶ୍ବାସ କରାଯାଉଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁରେ ଲଗାତାର ବର୍ଷା କାରଣରୁ ଏଠାରେ ଖେଳାଯିବାକୁ ଥିବା ଆର୍‌ସିବି-ଏସ୍‌ଆର୍‌ଏଚ୍‌ ମୁକାବିଲାକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।  ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତିରେ ଜାରି କରି ଲେଖିଛି ଯେ ମ୍ୟାଚ୍‌ ନମ୍ବର-୬୫ ଏବେ ବେଙ୍ଗାଲୁରୁ ପରିବର୍ତ୍ତେ ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯିବ। ଆର୍‌ସିବି ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିସାରିଥିବାବେଳେ କେବଳ ନିଜକୁ ଶାଣିତ କରିବାକୁ ଚେଷ୍ଟା କରିବ। ଏହି ଦୌଡ଼ରୁ ବାଦ୍‌ ପଡ଼ିଥିବା ହାଇଦ୍ରାବାଦ କିନ୍ତୁ ଉଚ୍ଚ ମାନ୍ୟତାରେ ରହି ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିବ। ସେହିଭଳି ପ୍ରତିକୂଳ ପାଗ ପାଇଁ ଅବଶିଷ୍ଟ ଲିଗ୍ ଓ ପ୍ଲେ ଅଫ୍ ମ୍ୟାଚ୍‌ ଗୁଡ଼ିକ ପାଇଁ ଅତିରିକ୍ତ ୧୨୦ ମିନିଟ୍‌ ସମୟକୁ ଅନୁମୋଦନ କରିଛି ବିସିସିଆଇ। ପୂର୍ବରୁ ପ୍ରତି ଲିଗ୍ ମ୍ୟାଚ୍‌ ପାଇଁ ୬୦ ମିନିଟ୍‌ ଏବଂ ପ୍ଲେ ଅଫ୍ ପାଇଁ ୧୨୦ ମିନିଟ୍‌ ଅତିରିକ୍ତ ସମୟ ଦିଆଯାଇଥାଏ। ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ୍‌କୁ ବର୍ଷା ସମ୍ପୂର୍ଣ୍ଣ ଧୋଇନେଇଥିବାରୁ ଏବେ ଅବଶିଷ୍ଟ ଲିଗ୍ ମ୍ୟାଚ୍‌ଗୁଡ଼ିକ ପାଇଁ ଅତିରିକ୍ତ ୧୨୦ ମିନିଟ୍‌ ସମୟ ଦେଇଛି ବିସିସିଆଇ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *