ଦେଶ- ବିଦେଶବିଶେଷ ସ୍ତମ୍ବରାଜନୀତିରାଜ୍ୟ

ଆତଙ୍କବାଦର ମୁକାବିଲା ପାଇଁ ମୋଦୀଙ୍କ ଆଭିମୁଖ୍ୟ: ଅପରେସନ୍ ସିନ୍ଦୂର

ଆତଙ୍କବାଦର ମୁକାବିଲା ପାଇଁ ମୋଦୀଙ୍କ ଆଭିମୁଖ୍ୟ: ଅପରେସନ୍ ସିନ୍ଦୂର

ଜାମ୍ମୁ କାଶ୍ମୀରର ପହଲଗାମଠାରେ ଯେଉଁଭଳି ଭାବରେ ନରସଂହାର ଘଟିଥିଲା ତାହା କେବଳ ନିରୀହ ଲୋକମାନଙ୍କ ଉପରେ ଆକ୍ରମଣ ନଥିଲା, ଏହା ଥିଲା ଭାରତର ଆତ୍ମା ଓ ବିବେକ ଉପରେ ପ୍ରଚଣ୍ଡ ପ୍ରହାର।

ଜାମ୍ମୁ କାଶ୍ମୀରର ପହଲଗାମଠାରେ ଯେଉଁଭଳି ଭାବରେ ନରସଂହାର ଘଟିଥିଲା ତାହା କେବଳ ନିରୀହ ଲୋକମାନଙ୍କ ଉପରେ ଆକ୍ରମଣ ନଥିଲା, ଏହା ଥିଲା ଭାରତର ଆତ୍ମା ଓ ବିବେକ ଉପରେ ପ୍ରଚଣ୍ଡ ପ୍ରହାର। ଏହାର ପ୍ରତ୍ୟୁତ୍ତରରେ ଆତଙ୍କବାଦ ବିରୋଧରେ ଭାରତ ବିଧି ପୁସ୍ତିକାର ପୁନଃଲିଖନ ପାଇଁ ତୁରନ୍ତ ଦୃଢ଼ ସିଦ୍ଧାନ୍ତ ଗ୍ରହଣ କଲା। ‘ଅପରେସନ ସିନ୍ଦୂର’ ଥିଲା ମୋଦୀ ସରକାରଙ୍କ ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ ଆଭିମୁଖ୍ୟ– ଆତଙ୍କବାଦୀ କାର୍ଯ୍ୟ ପ୍ରତି ଶୂନ୍ୟ ସହନଶୀଳତା। ରାଷ୍ଟ୍ରୀୟ ନିରାପତ୍ତାକୁ ସୁରକ୍ଷିତ ରଖିବା ସକାଶେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଏହା ହେଉଛି ମୋଦୀଙ୍କ ନୀତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ନୀତିର ରୂପରେଖ ସ୍ପଷ୍ଟ କରିଛନ୍ତି: ମେ’ ୧୨ ତାରିଖ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥ‌ିବା ଅଭିଭାଷଣରେ ଆତଙ୍କବାଦ ବିରୋଧରେ ସେ ଏହା ଦୃଢ଼ ସ୍ବରରେ ଘୋଷଣା କରିଛନ୍ତି। ଏହି ନୀତିଟି ହେଲା: ନିକଟ ଅତୀତରେ ସଂଘଟିତ ଆତଙ୍କୀ କାର୍ଯ୍ୟକଳାପର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଯାହାକି ଆତଙ୍କବାଦ ଓ ଯେକୌଣସି ପ୍ରକାର ବାହ୍ୟ ଅପଶକ୍ତିର ମୁକାବିଲା ସକାଶେ ଭାରତର ସୁଦୃଢ଼ ଆଭିମୁଖ୍ୟ। ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟାନୁଷ୍ଠାନର ପ୍ରତିଟି କାର୍ଯ୍ୟକୁ ସୁପରିଚାଳନା କରିଥିଲେ। ତାହା ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାଠାରୁ ନେଇ ସୀମାପାର ଆତଙ୍କବାଦୀ ଶିବିର ଉପରେ ସାମରିକ ପ୍ରହାର ପର୍ଯ୍ୟନ୍ତ, ଯାହାକି ଅତି ସୁଚିନ୍ତିତ ଓ ସମୟବଦ୍ଧ ଭାବରେ ନିର୍ଦ୍ଧାରଣ କରାଯାଇଥିଲା। ସରକାର ଏଥିପାଇଁ ସାମୟିକ ଉତ୍ତେଜନା ପରିବର୍ତ୍ତେ ସୁଚିନ୍ତିତ ରଣନୀତି ଉପରେ ହିଁ ପ୍ରାଧାନ୍ୟ ଦେଇଥିଲେ। ଏହି କାରଣରୁ ହିଁ ଭାରତର ପ୍ରତିକ୍ରିୟା ଓ ପଦକ୍ଷେପ ସମ୍ପର୍କରେ ପାକିସ୍ତାନ ସରକାର କିମ୍ବା ଆତଙ୍କବାଦୀ ଗୋଷ୍ଠୀମାନେ କୌଣସି ସଠିକ୍ ଆକଳନ କରିପାରିନଥିଲେ। ତେଣୁ ‘ଅପରେସନ ସିନ୍ଦୂର’କୁ ଆକସ୍ମିକ, ବିନିର୍ଦ୍ଦିଷ୍ଟ ଏବଂ ସମ୍ପୂର୍ଣ୍ଣ ଭାବେ ପ୍ରଭାବୀ ଢଙ୍ଗରେ ରୂପ ପ୍ରଦାନକୁ ସୁନିଶ୍ଚିତ କରାଯାଇ ପାରିଥିଲା।

ଅପରେସନ ସିନ୍ଦୂର: ନୂତନ ସ୍ବାଭାବିକତା
‘ଅପରେସନ ସିନ୍ଦୂର’ ଏବେ ଆତଙ୍କବାଦ ବିରୋଧରେ ଲଢ଼ିବା ସକାଶେ ଭାରତର ସ୍ଥାୟୀ ନୀତିରେ ପରିଣତ ହୋଇଛି। ଅର୍ଥାତ୍, ଭାରତର ନିର୍ଣ୍ଣାୟକ ରଣନୀତିକ ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏହି ସେନା ଅପରେସନ ଏକ ନୂଆ ମାନ ନିର୍ଦ୍ଧାରଣ କରିଛି, ଆତଙ୍କବାଦ ବିରୋଧରେ ଏହା ହେଉଛି ନୂତନ ସ୍ବାଭାବିକ କାର୍ଯ୍ୟପନ୍ଥା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି ଯେ, ‘ଅପରେସନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା ହେଉଛି ଦେଶର କୋଟି କୋଟି ନାଗରିକଙ୍କ ଭାବାବେଗର ପ୍ରତିଫଳନ। ଏହା ହେଉଛି ବିଶ୍ବକୁ ଭାରତର ବାର୍ତ୍ତା ଯେ, କୌଣସି ପ୍ରକାର ବର୍ବରତାକୁ ଦୃଢ଼ ସାମରିକ ଶକ୍ତିର ସହ ମୁକାବିଲା କରାଯିବ। ପ୍ରତିବେଶୀ ରାଷ୍ଟ୍ରର ଆତଙ୍କବାଦ ପ୍ରୀତିକୁ ଆଉ କୌଣସି ପ୍ରକାର କୂଟନୈତିକ ଢାଲ ତଳେ କିମ୍ବା ଆଣବିକ ଧମକ ବଳରେ ଆଶ୍ରୟ ନେବାକୁ ଦିଆଯିବ ନାହିଁ।

ମୋଦୀଙ୍କ ଆଭିମୁଖ୍ୟର ତିନି ସ୍ତମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଆତଙ୍କବାଦ ନିରୋଧୀ ଆଭିମୁଖ୍ୟ ହେଲା– ଭାରତ ନିଜସ୍ୱ ଢଙ୍ଗରେ ନିର୍ଣ୍ଣାୟକ ଭାବେ ଏହାର ମୁକାବିଲା କରିବ। ଭାରତ ଉପରେ ଯଦି କୌଣସି ଆତଙ୍କୀ ଆକ୍ରମଣ ଘଟେ, ତେବେ ଏହାର ଯଥାର୍ଥ ଜବାବ ଯଥାଶୀଘ୍ର ଦିଆଯିବ ଏବଂ ତାହା ଭାରତ ନିଜସ୍ବ ଢଙ୍ଗ ଓ ସର୍ତ୍ତରେ ହିଁ ଦେବ। ଆତଙ୍କବାଦର ଜଡ଼ ବିରୁଦ୍ଧରେ ଦେଶ(ଭାରତ) ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଯଦ୍ବାରା ଏହା ସୁନିଶ୍ଚିତ ହୋଇପାରିବ ଯେ, ଏଭଳି କାଣ୍ଡାରୀ ଏବଂ ସେମାନଙ୍କ ପ୍ରେରକ ଓ ପ୍ରୋତ୍ସାହକଙ୍କୁ ମଧ୍ୟ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ। ଦ୍ବିତୀୟ ସ୍ତମ୍ଭଟି ହେଲା– ଆଣବିକ ବ୍ଲାକମେଲ୍ ପ୍ରତି ଶୂନ୍ୟ ସହନଶୀଳତା। ଭାରତ କୌଣସି ପ୍ରକାର ଆଣବିକ ଧମକ କିମ୍ବା ଚାପ ନିକଟରେ ମୁଣ୍ଡ ନୁଆଁଇବ ନାହିଁ। ସରକାରଙ୍କ ନୀତି ଏହା ଦୃଢ଼ତାର ସହିତ ଘୋଷଣା କରେ ଯେ, ଆତଙ୍କବାଦକୁ ଢାଲ ଘୋଡ଼ାଇବା ସକାଶେ କୌଣସି ପ୍ରକାର ଆଣବିକ ବ୍ଲାକମେଲ୍‌କୁ ବିନିର୍ଦ୍ଦିଷ୍ଟ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ସହ ମୁକାବିଲା କରାଯିବ।

ମୋଦୀ ସରକାରଙ୍କ ତୃତୀୟ ସ୍ତମ୍ଭଟି ହେଲା– ଆତଙ୍କବାଦୀ ଏବଂ ସେମାନଙ୍କ ପ୍ରୋତ୍ସାହକ ଅବା ସୁରକ୍ଷାଦାତାଙ୍କ ମଧ୍ୟରେ କୌଣସି ପ୍ରଭେଦ ଥ‌ିବା ସରକାର ବିବେଚନା କରିବେ ନାହିଁ। ଅର୍ଥାତ୍, ଆତଙ୍କବାଦୀ ଓ ସେମାନଙ୍କ ସୁରକ୍ଷାଦାତାଙ୍କୁ ସମାନ ଭାବେ ଉତ୍ତରଦାୟୀ ବୋଲି ଧରାଯିବ। ଏହି ନୀତି ସ୍ପଷ୍ଟ କରେ ଯେ, ଯେଉଁମାନେ ଆତଙ୍କବାଦୀମାନଙ୍କୁ ଆଶ୍ରୟ/ପ୍ରଶ୍ରୟ ଦେଉଛନ୍ତି, ସେମାନଙ୍କୁ ଆର୍ଥିକ ରୂପେ ସହାୟତା ଯୋଗାଉଛନ୍ତି ଅବା ଆତଙ୍କବାଦକୁ ସମର୍ଥନ ଜଣାଉଛନ୍ତି, ସେମାନଙ୍କୁ ଆତଙ୍କବାଦୀ ଭଳି ଦଶାର ଭୋଗିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହାକୁ ବୈଶ୍ବିକ ମଞ୍ଚରେ ଏବଂ ବୈଶ୍ବକ ପରିପ୍ରେକ୍ଷୀରେ ଉପସ୍ଥାପନ କରିଛନ୍ତି। ସେ ଏହି ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟ ଭାବରେ ଚେତାଇ ଦେଇଛନ୍ତି ଯେ, ଯେଉଁ ରାଷ୍ଟ୍ରମାନେ ଆତଙ୍କବାଦୀଙ୍କୁ ସମର୍ଥନ ଜଣାଉଛନ୍ତି ସେମାନେ ପରିଶେଷରେ ଆତ୍ମ-ଧ୍ବଂସର କାରଣ ପାଲଟିବେ। ତେଣୁ ଅଧିକ ବିଳମ୍ବ ହେବା ଅବା ନେଡ଼ିଗୁଡ଼ କହୁଣିକୁ ବୋହିଯିବା ଆଗରୁ ସେମାନେ ନିଜ ନିଜର ଆତଙ୍କୀ ଢାଞ୍ଚାକୁ ଭାଙ୍ଗିଦେବା ଲାଗି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଏହି ନୂତନ ଆଭିମୁଖ୍ୟ ଦେଶର ରାଷ୍ଟ୍ରୀୟ ସୁରକ୍ଷା ଆଭିମୁଖ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ, ଆତଙ୍କବାଦ ବିରୋଧରେ ସରକାରଙ୍କ ଦୃଢ଼ କାର୍ଯ୍ୟା

ନୁଷ୍ଠାନ ସଂକଳ୍ପ, ଯାହାକି ଏକ ନୂତନ ଧାରା ଓ ପରମ୍ପରାକୁ ଜନ୍ମ ଦେଇଛି। ସରକାର ଦେଶର ସମସ୍ତ ନାଗରିକଙ୍କ ସୁରକ୍ଷା ପାଇଁ ବଚନବଦ୍ଧ ଏବଂ ଦେଶର ସାର୍ବଭୌମତ୍ବକୁ ଅତୁଟ ରଖିବା ସକାଶେ ମଧ୍ୟ ଦୃଢ଼ ସଂକଳ୍ପ।

ଆତଙ୍କବାଦ ସହିତ କୌଣସି ଆଲୋଚନା ନାହିଁ
ଆତଙ୍କବାଦୀଙ୍କ ବିରୁଦ୍ଧରେ ସ୍ପଷ୍ଟ ଓ ସାହସର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଏହା ପ୍ରଥମ ଦୃଷ୍ଟାନ୍ତ ନୁହେଁ। ୨୦୧୬ ମସିହାରେ ବାଲାକୋଟ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ଠାରୁ ବର୍ତ୍ତମାନର ‘ଅପରେସନ ସିନ୍ଦୂର’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଭାରତ ସରକାର ଏଥ‌ିପାଇଁ ସ୍ପଷ୍ଟ ଆଭିମୁଖ୍ୟ ଆପଣାଇ ଆସିଛନ୍ତି: ଆତଙ୍କବାଦୀଙ୍କ ବିରୋଧରେ ତତ୍କାଳ, ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଏବଂ ତାହା ଭାରତର ନିଜସ୍ବ ନିଷ୍ପତ୍ତି ଅନୁସାରେ। ଏଭଳି ପ୍ରତିଟି କାର୍ଯ୍ୟାନୁଷ୍ଠାନ ଭାରତର ଦୃଢ଼ ସିଦ୍ଧାନ୍ତର ମାନକୁ ବୃଦ୍ଧି କରିଛି ଏବଂ ବିଶ୍ବକୁ ଦର୍ଶାଇଛି ଯେ, ଯେତେବେଳେ ଆମ ସହ ଏପରି ଉତ୍ତେଜନା ସୃଷ୍ଟି କରିବ, ତା’ର ପରିଣାମ ଭୋଗ କରିବାକୁ ହେବ।

ଚଳିତ ଥର ଭାରତ ଦେଇଥ‌ିବା ବାର୍ତ୍ତା ସମ୍ପୂର୍ଣ୍ଣ ସ୍ପଷ୍ଟ– ଆତଙ୍କବାଦ ଓ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଏକତ୍ର ଚାଲିପାରିବ ନାହିଁ। ତେଣୁ ଅଟ୍ଟାରୀ-ୱାଘା ସୀମାକୁ ସିଲ୍ କରିଦିଆଯାଇଛି। ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ରଦ୍ଦ କରାଯାଇଛି। ଭିସା ପ୍ରଦାନକୁ ବାତିଲ କରାଯାଇଛି। ସିନ୍ଧୁ ନଦୀଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଭାଷାରେ ‘ଗୋଟିଏ ନଦୀରେ ଏକାସଙ୍ଗେ ଜଳ ଓ ରକ୍ତ ପ୍ରବାହିତ ହୋଇପାରିବ ନାହିଁ।’ ଆତଙ୍କବାଦକୁ ସମର୍ଥନ କରିବାର ଆର୍ଥିକ ଓ କୂଟନୈତିକ ମୂଲ୍ୟ ଏବେ ବାସ୍ତବତାରେ ପରିଣତ ହୋଇଛି ଓ ତାହା ବୃଦ୍ଧି ପାଇଚାଲିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ଜବାବ ଯେ ଭାରତ ପକ୍ଷରୁ ଅତି ମାପଚୁପ ଓ ନୀତିଗତ ଭାବେ ଦିଆଯାଇଛି, ଏକଥା ଇତିହାସ ଅବଶ୍ୟ ସ୍ମରଣ ରଖିବ। ଆତଙ୍କବାଦ ବିରୁଦ୍ଧରେ ଆମର ଜବାବକୁ ମଧ୍ୟ ସ୍ମରଣ ରଖିବ। ଭାରତ ସଗର୍ବେ ମଥା ଉନ୍ନତ କରି ଦଣ୍ଡାୟମାନ, ଏକସ୍ବରରେ ଭାରତ ତା’ର ପ୍ରତିକ୍ରିୟା ବ୍ୟକ୍ତ କରିଛି ଏବଂ ଏକାସଙ୍ଗେ ଆତଙ୍କ ବିରୋଧରେ ତା’ର ଶକ୍ତି ପ୍ରୟୋଗ କରିଛି। ‘ଅପରେସନ ସିନ୍ଦୂର’ ଶେଷ ହୋଇନାହିଁ। ଏହା ଆରମ୍ଭ ମାତ୍ର। ସ୍ପଷ୍ଟ ଆଭିମୁଖ୍ୟ, ସାହସ ଏବଂ ଆତଙ୍କର ମୁକାବିଲା ସକାଶେ ଆମ ସଂକଳ୍ପର ଏକ ନୂଆ ଯୁଗର ଏହା ଅୟମାରମ୍ଭ।

ଅଶ୍ବିନୀ ବୈଷ୍ଣବ ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ, ଭାରତ ସରକାର

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *