ରାଜନୀତିରାଜ୍ୟସାହିତ୍ୟ

ଆଧୁନିକ ଓଡ଼ିଶା ନିର୍ମାଣରେ ହରେକୃଷ୍ଣ ମହତାବଙ୍କ ଅବଦାନ ଅତୁଳନୀୟ: ଗଡ଼କରୀ

ଆଧୁନିକ ଓଡ଼ିଶା ନିର୍ମାଣରେ ହରେକୃଷ୍ଣ ମହତାବଙ୍କ ଅବଦାନ ଅତୁଳନୀୟ: ଗଡ଼କରୀ

ଆଧୁନିକ ଓଡ଼ିଶା ନିର୍ମାଣରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅବଦାନ ଅତୁଳନୀୟ। ଭବିଷ୍ୟତର ଓଡ଼ିଶା ଗଠନକୁ ନେଇ ଡକ୍ଟର ମହତାବଙ୍କ ସ୍ବତନ୍ତ୍ର ଦର୍ଶନ ଥିଲା। ହୀରାକୁଦ ଡ୍ୟାମ୍‌ ନିର୍ମାଣ ହେଉ କି ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ

କଟକ ୧୮-୦୪-୨୦୨୫(ଏସ.ଏମ ) : ଧୁନିକ ଓଡ଼ିଶା ନିର୍ମାଣରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅବଦାନ ଅତୁଳନୀୟ। ଭବିଷ୍ୟତର ଓଡ଼ିଶା ଗଠନକୁ ନେଇ ଡକ୍ଟର ମହତାବଙ୍କ ସ୍ବତନ୍ତ୍ର ଦର୍ଶନ ଥିଲା। ହୀରାକୁଦ ଡ୍ୟାମ୍‌ ନିର୍ମାଣ ହେଉ କି ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ କରିବା ତାଙ୍କ ଦର୍ଶନର ପରିଚୟ ବୋଲି ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍‌ ପିଲାର୍ସସ୍ଥିତ ସମ୍ମିଳନୀ କକ୍ଷରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସ୍ମାରକୀ ବକ୍ତୃତା ଓ ‘ଏକ ବୃହତ୍ତର ଏବଂ ସମୃଦ୍ଧ ଓଡ଼ିଶାର ସ୍ଥପତି’ ଶୀର୍ଷକ ଜାତୀୟ ସମ୍ମିଳନୀରେ ପ୍ରବକ୍ତା ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଶ୍ରୀ ଗଡ଼କରୀ ଆହୁରି କହିଥିଲେ ଯେ, ରାଷ୍ଟ୍ର ନିର୍ମାଣ କେବେ ବ୍ୟକ୍ତିଗତ ପ୍ରୟାସରେ ହୁଏ ନାହିଁ। ଏଥିପାଇଁ ସାମୂହିକ ପ୍ରୟାସର ଆବଶ୍ୟକ ଥାଏ ବୋଲି ଡକ୍ଟର ମହତାବଙ୍କ ଜୀବନୀରୁ ଶିକ୍ଷା ମିଳେ। ସେହିପରି ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ଅସାଧ୍ୟ କାମକୁ ସଫଳତାର ସହ କରିପାରେ। ଦେଶରେ ଅର୍ଥ ଓ ଜ୍ଞାନକୌଶଳର ଅଭାବ ନାହିଁ। ପ୍ରତ୍ୟେକ ପ୍ରକଳ୍ପର ସଫଳତା ପାଇଁ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଆସନ୍ତା ଶହେବର୍ଷକୁ ଦୃଷ୍ଟିରେ ରଖି ସମସ୍ତେ ଏକାଠି ହୋଇ କାମ କଲେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହୋଇପାରିବ ବୋଲି ସେ କହିଥିଲେ।

ରେଭେନ୍ସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତା
ମହତାବଙ୍କ ଉଦ୍ୟମରେ ଓଡ଼ିଶାରେ ମିଶିଥିଲେ ୨୬ ଗଡ଼ଜାତ ରାଜ୍ୟ: ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଡକ୍ଟର ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, କୁଟନୀତିଜ୍ଞ, ସାହିତ୍ୟିକ ଓ ସାମ୍ୱାଦିକ ଥିଲେ ବୋଲି କହିଥିଲେ। ଦେଶ ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଓ ଶ୍ରୀ ମହତାବଙ୍କ ଉଦ୍ୟମରେ ୨୬ଟି ଗଡ଼ଜାତ ରାଜ୍ୟ ଓଡ଼ିଶାରେ ମିଶିଥିଲା। ଏଥିରେ ଓଡ଼ିଶାର କ୍ଷେତ୍ରଫଳ ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା। ଏଥିପାଇଁ ଡକ୍ଟର ମହତାବଙ୍କୁ ଓଡ଼ିଶାର ସର୍ଦ୍ଦାର ପଟେଲ୍‌ ଭାବେ ଅଭିହିତ କଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ। ଓଡ଼ିଶା ପାଇଁ ଡକ୍ଟର ମହତାବଙ୍କ ତିନୋଟି ଶ୍ରେଷ୍ଠ ଅବଦାନ ରହିଛି। ସେଗୁଡ଼ିକ ହେଲା ଓଡ଼ିଶାରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା ଓ ହୀରାକୁଦ ବନ୍ଧ ସ୍ଥାପନ। ଏଥିପାଇଁ ଶ୍ରୀ ମହତାବ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ ଆଧୁନିକ ଓଡ଼ିଶା ଗଠନରେ ଡକ୍ଟର ମହତାବଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଡକ୍ଟର ବିକ୍ରମ କେଶରୀ ଜେନାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ହରେକୃଷ୍ଣ ମହତାବ’କୁ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ସେହିପରି ରେଭେନ୍ସା ହେରିଟେଜ୍‌ ହଲ୍‌ଠାରେ ଆୟୋଜିତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୀବନୀ ସମ୍ବନ୍ଧୀୟ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଡକ୍ଟର ହରେକୃଷ୍ଣ ମହତାବ ଫାଉଣ୍ଡେସନ୍‌, ରେଭେନ୍ସା ବିଶ୍ବବିଦ୍ୟାଳୟ, ଓଡ଼ିଶା ଗବେଷଣା କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *