TOP STORIESଦେଶ- ବିଦେଶ

ଆନ୍ତର୍ଜାତିକ ନୃତ୍ୟ ଦିବସ

ଆନ୍ତର୍ଜାତିକ ନୃତ୍ୟ ଦିବସ

  • ଉତ୍କଳର କଳା, ସଂସ୍କୃତି ଓ ଐତିହ୍ୟରେ ନୃତ୍ୟର ସ୍ୱତନ୍ତ୍ର ଅବଦାନ ରହିଛି
  • ହଜିଯାଉଛି ପାରମ୍ପରିକ ଲୋକନୃତ୍ୟ

ଭୁବନେଶ୍ୱର ୨୯.୦୪.୨୦୨୫(ଏସ .ଏମ ) : ତ୍କଳର କଳା, ସଂସ୍କୃତି ଓ ଐତିହ୍ୟରେ ନୃତ୍ୟର ସ୍ୱତନ୍ତ୍ର ଅବଦାନ ରହିଛି। ଦିନେ ଅବସର ବିନୋଦନର ବଳିଷ୍ଠ ମାଧ୍ୟମ ଥିଲା ଶାସ୍ତ୍ରୀୟ ଓ ଲୋକ ନୃତ୍ୟ। ହେଲେ ସଂସ୍କୃତି, ପରମ୍ପରା ତଥା ଗ୍ରାମ୍ୟ ଜୀବନର ଭାବାବେଗକୁ ବାନ୍ଧି ରଖିଥିବା ଏହି ନୃତ୍ୟଗୁଡ଼ିକ ବର୍ତ୍ତମାନ ଆଧୁନିକତାର ଚାପରେ ପ୍ରାୟତଃ ଶଯ୍ୟାଶାୟୀ। ଇଣ୍ଟରନେଟ୍‌ ଓ ଟେଲିଭିଜନ୍‌ ଯୁଗରେ ପାରମ୍ପରିକ ମନୋରଞ୍ଜନଧର୍ମୀ ଲୋକକଳା ଧୀରେଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଚାଲି ଆସିଲାଣି। ପାଲା, ଦାସକାଠିଆ, ନାଗା, ଘୋଡ଼ାନାଚ ଭଳି ପାରମ୍ପରିକ ନୃତ୍ୟକୁ ଖୁବ୍‌ କ୍ବଚିତ୍ ଦେଖିବାକୁ ମିଳୁଛି। ଯଦିଓ ଓଡ଼ିଶୀ ନୃତ୍ୟର ଲୋକପ୍ରିୟତା ଆଜି ବି ଅବ୍ୟାହତ ଅଛି। ହେଲେ ସମ୍ବଲପୁରୀ, ଛଉ ଭଳି ପାରମ୍ପରିକ ନୃତ୍ୟରେ ନୂତନ ପ୍ରକାର ଫ୍ୟୁଜନ୍‌ ଦେଖିବାକୁ ମିଳୁଛି।

ପାରମ୍ପରିକ ଲୋକନୃତ୍ୟରୁ କଣ୍ଟେମ୍ପୋରାରି
ଦିନଥିଲା ପାରମ୍ପରିକ ଲୋକନୃତ୍ୟ ଲୋକମାନଙ୍କ ମନୋରଂଜନର ମାଧ୍ୟମ ଥିଲା। ହେଲେ ଇଣ୍ଟରନେଟ୍‌ ଓ ଟେଲିଭିଜନ ଯୁଗରେ ପାରମ୍ପରିକ ଲୋକନୃତ୍ୟର ସ୍ଥାନ ନେଇଛି ହିପ୍‌ହପ୍‌, ପପିଂ ଲକିଂ, ରୋବୋଟିକ୍‌, ସାଲ୍‌ସା, ବେଲି ଡ୍ୟାନ୍ସ, ବ୍ରେକ୍‌ ଡ୍ୟାନ୍ସ, ଜାଜ୍‌, କଣ୍ଟେମ୍ପୋରାରି, ଫୁଟ୍‌ ୱାର୍କ, ପାୱାର ମୁଭ୍‌ସ ଭଳି ପାଶ୍ଚାତ୍ୟ ନୃତ୍ୟଶୈଳୀ। ଟେଲିଭିଜନ୍‌ ଚ୍ୟାନେଲରେ ପ୍ରସାରିତ ଏକାଧିକ ଡ୍ୟାନ୍ସିଂ ରିୟଲିଟି ସୋ’ ଏଭଳି ନୃତ୍ୟକୁ ବହୁଳ ଭାବେ ପ୍ରସାରିତ କରୁଥିବାରୁ ଏହା ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି। ୨୦୦୯ରେ ଶ୍ରମିକ ଓ ଦିବ୍ୟାଙ୍ଗଙ୍କୁ ନେଇ ଆରମ୍ଭ ହୋଇଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ର ପ୍ରଥମ ସଂସ୍କରଣରେ ବିଜେତା ହୋଇଥିଲେ। ଏହାପରେ ୨୦୧୦ରେ ହରିହର ଦାଶ ନିଜ ଲକିଂ ପପିଂ ଷ୍ଟାଇଲ୍‌ରେ ସମଗ୍ର ଭାରତବାସୀଙ୍କ ହୃଦୟ ଜିତିଥିଲେ। ୨୦୧୨ରେ ରାଜସ୍ମିତା କର ଡିଆଇଡି-୩ର ବିଜେତା ହୋଇଥିଲେ। ନିକଟ ଅତୀତରେ ମଧ୍ୟ ବହୁ ଓଡ଼ିଆ ଏକାଧିକ ଡ୍ୟାନ୍ସିଂ ରିୟଲିଟି ସୋ’ରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

ପରିବର୍ତ୍ତନଶୀଳ ନୃତ୍ୟ‌ର ମୂଳ ଉଦ୍ଦେଶ୍ୟ ଅକ୍ଷୁଣ୍ଣ ରହୁ
ସମୟାନୁକ୍ରମେ ପାଶ୍ଚାତ୍ୟ ନୃତ୍ୟର ଗତିବିଧିକୁ ଦେଖିଲେ ସେଥିରେ କିଛି ନୃତ୍ୟଶୈଳୀ ସମୟସ୍ରୋତରେ ହଜିଯାଇଛି। ହେଲେ ଶାସ୍ତ୍ରୀୟ ନୃତ୍ୟ ବିଶେଷ କରି ଓଡ଼ିଶୀରେ ନୃତ୍ୟର ଭାବଧାରା ବଦଳି ନାହିଁ। ନୃତ୍ୟ ଧାରାରେ ଯଦି ନୃତ୍ୟଶିଳ୍ପୀମାନେ ପରିବର୍ତ୍ତନ କରୁଛନ୍ତି, ତଥାପି ତାହାର ମୂଳ ଉଦ୍ଦେଶ୍ୟ ଯେପରି ଅକ୍ଷୁଣ୍ଣ ରୁହେ ସେଥିପାଇଁ ଧ୍ୟାନ ଦେବା ଉଚିତ୍।
ଗଜେନ୍ଦ୍ର ପଣ୍ଡା, ଓଡ଼ିଶୀ ନୃତ୍ୟଗୁରୁ

ପାରମ୍ପରିକ ନୃତ୍ୟର ପ୍ରଚାରପ୍ରସାଦ ଦିଗରେ ଆଲୋଚନା ହେଉ
ପ୍ରଚାରପ୍ରସାର ଅଭାବରୁ ବର୍ତ୍ତମାନର ବହୁ ଯୁବପିଢ଼ୀ ପାରମ୍ପରିକ ନୃତ୍ୟ ସହିତ ନିଜକୁ ଯୋଡ଼ି ପାରୁ ନାହାନ୍ତି। ତେଣୁ ନୃତ୍ୟ ଗୁରୁମାନେ କିଭଳି ଏହାକୁ ପ୍ରଚାରପ୍ରସାର କରିହେବ ସେଥିପାଇଁ ଆଲୋଚନା କରିବା ଉଚିତ୍। ପାଶ୍ଚାତ୍ୟ ନୃତ୍ୟ ଅଧିକ ଲୋକପ୍ରିୟ ହେବାର କାରଣ ହେଉଛି ଯେ, ଏହା ଦିନକୁ ଦିନ ବିଭିନ୍ନ ମାଧ୍ୟମରେ ପ୍ରସାରିତ ହୋଇଚାଲିଛି। ଏଥିରେ ବିଭିନ୍ନ ସଂସ୍କୃତିର ମିଶ୍ରଣ ଦେଖିବାକୁ ମିଳୁଛି।
ଗୁରୁ ହରିହର ଦାସ, ଡିଭାଇନ୍‌ ମ୍ୟୁଜିକ ଆଣ୍ଡ ଡ୍ୟାନ୍ସ

ମୌଳିକତା ସହ ଆଧୁନିକତାକୁ ଯୋଡ଼ିଲେ ପାରମ୍ପରିକ ନୃତ୍ୟର ଲୋକପ୍ରିୟତା ବଢ଼ିବ
ପ୍ରତ୍ୟେକ ନୃତ୍ୟଶୈଳୀର ଭିନ୍ନଭିନ୍ନ ଦର୍ଶକ ଅଛନ୍ତି। ପାଶ୍ଚାତ୍ୟ ନୃତ୍ୟ ଯୁବପିଢ଼ୀଙ୍କ ରୋଜଗାରର ମାଧ୍ୟମ ହୋଇପାରୁଛି। ତେବେ ପାରମ୍ପରିକ ନୃତ୍ୟର ମୌଳିକତା ନଷ୍ଟ ନ କରି ଏଥିରେ ଟିକେ ଆଧୁନିକତା ଯୋଡ଼ିଲେ ଏହା ମଧ୍ୟ ଆହୁରି ଲୋକପ୍ରିୟ ହୋଇପାରିବ।
ବିଦ୍ୟୁତ କୁମାର ସେଠୀ, ସିଜଲର୍‌ ଡ୍ୟାନ୍ସ ଏକାଡେମୀ

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *