Sportsଖେଳଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଆର୍‌ସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା : ପ୍ରଧାନମନ୍ତ୍ରୀଙ୍କ ଶୋକ

ଆର୍‌ସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା : ପ୍ରଧାନମନ୍ତ୍ରୀଙ୍କ ଶୋକ

ଷ୍ଟାଡିୟମ ବାହାରେ ପ୍ରବଳ ଜନସମାଗମ ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇ ଦଳାଚକଟାରେ ଜଣେ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୫୦ରୁ ଅଧିକ ଆହତ ହୋଇଥିବା ବେଳେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି

ବେଙ୍ଗାଲୁରୁ/ଭୁବନେଶ୍ୱର ୦୫-୦୬-୨୦୨୫(ଏସ .ଏମ ) : ୧୮ ବର୍ଷ ପରେ ଆଇପିଏଲ୍ ଟାଇଟଲ ଜିତିବା ପରେ ଆର୍‌ସିବି ଟିମ୍ ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭବ୍ୟ ଉତ୍ସବ ପାଳନ କରୁଥିବା ବେଳେ ବହୁତ ବଡ଼ ଅଘଟଣ ଘଟିଛି। ଷ୍ଟାଡିୟମ ବାହାରେ ପ୍ରବଳ ଜନସମାଗମ ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇ ଦଳାଚକଟାରେ ଜଣେ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୫୦ରୁ ଅଧିକ ଆହତ ହୋଇଥିବା ବେଳେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଷ୍ଟାଡିୟମ ବାହାରେ ଏଭଳି ଅଘଟଣ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୁଲିସ ବାହିନୀର ବ୍ୟାପକ ପ୍ରୟାସ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗୋଟିଏ ପଟେ ଷ୍ଟାଡିୟମ ବାହାରେ ଏଭଳି ଦୁଃଖଦ ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟପଟେ ଷ୍ଟାଡିୟମ ଭିତରେ ଉତ୍ସବ ଚାଲିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲ କଂଗ୍ରେସ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କେବଳ ପ୍ରଚାର ଉପରେ ଗୁରୁତ୍ବ ଦେଇ ଅନ୍ୟ ସମସ୍ତ ଦିଗକୁ ଅଣଦେଖା କରିବାରୁ ନିରୀହ ଲୋକଙ୍କ ଜୀବନ ଯାଇଛି ବୋଲି ବିଜେପି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ତତ୍କାଳ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ ଭିଡ଼ ଅନିୟନ୍ତ୍ରିତ ଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଥିଲା। ଆହତମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେପି

ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ, ପ୍ରଧାନମନ୍ତ୍ରୀଙ୍କ ଶୋକ

କର୍ଣ୍ଣାଟକ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର ବେଙ୍ଗାଲୁରୁ ଦଳାଚକଟାରେ ଆହତ ହୋଇଥିବା ଲୋକଙ୍କୁ ବୋରିଂ ଏବଂ ଲେଡି କର୍ଜନ୍‌ ହସ୍ପିଟାଲରେ ଭେଟିବା ପରେ କହିଛନ୍ତି, ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ଦୁଃଖଦ ଘଟଣା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ସମ୍ବେଦନହୀନ ଆଚରଣ ଦେଖାଇବା ଦୁର୍ଭାଗ୍ୟଜନକ। ସରକାର ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି। ଅନେକ ଆହତ ଆଇସିୟୁରେ ଅଛନ୍ତି ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଙ୍ଗଳବାର ଏକ ରୋମାଞ୍ଚକର ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ୧୮ ବର୍ଷ ପରେ ପ୍ରଥମ ଚାମ୍ପିଅନ୍‌ ହୋଇଥିଲା। ଆର୍‌ସିବିର ଏହି ବିଜୟ ପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍ (କେଏସ୍‌ସିଏ) ମଙ୍ଗଳବାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ଦଳକୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏହି ସମାରୋହରେ ଯୋଗ ଦେବା ପାଇଁ ଷ୍ଟାଡିୟମ ବାହାରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଭିଡ଼ ଏତେ ଅଧିକ ଥିଲା ଯେ ଧସ୍ତାଧସ୍ତିରେ କିଛି ଲୋକ ପ୍ରଥମେ ଆହତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଭୀଷଣ ଦଳାଚକଟାର ରୂପ ନେଇଥିଲା। ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ବୋରିଂ ହସ୍ପିଟାଲରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୈଦେହୀ ହସ୍ପିଟାଲରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଆହତଙ୍କ ସଂଖ୍ୟା ୫୦ରୁ ଅଧିକ ବୋଲି କୁହାଯାଇଛି।

କଂଗ୍ରେସ ସରକାରର ପ୍ରଚାର ତତ୍ପରତା କାଳ ସାଜିଲା: ବିଜେପି
ଉପମୁଖ୍ୟମନ୍ତ୍ରୀଙ୍କ ଜବାବ: ୧୦ ମିନିଟ୍‌ରେ କାର୍ଯ୍ୟକ୍ରମ ଶେଷ କରିଛୁ
ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଆଇପିଏଲ୍ ବିଜୟ ପାଇଁ ଆୟୋଜିତ ଉତ୍ସବ ବେଙ୍ଗାଲୁରୁରେ ଭୟଙ୍କର ଦଳାଚକଟାରେ ପରିଣତ ହେବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। କର୍ଣ୍ଣାଟକରେ କଂଗ୍ରେସ ନେତୃତ୍ବାଧୀନ ସରକାରଙ୍କ ବେପରୁଆ କାର୍ଯ୍ୟ ଓ ପ୍ରଚାର ତତ୍ପରତା ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କ ଜୀବନହାନି ଘଟିଲା ବୋଲି ବିଜେପି କହିଛି। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ କାର୍ଯ୍ୟକ୍ରମକୁ ଖୁବ୍‌ଶୀଘ୍ର ଶେଷ କରିଥିଲୁ ଏବଂ ଏହି କାର୍ଯ୍ୟକ୍ରମ ମାତ୍ର ୧୦ ମିନିଟ୍ ମଧ୍ୟରେ ଶେଷ ହୋଇଥିଲା। ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହଠାତ୍‌ ଅନିୟନ୍ତ୍ରିତ ହୋଇପଡ଼ିବାରୁ ଏଭଳି ଅଘଟଣ ଘଟିଲା ବୋଲି ସେ କହିଛନ୍ତି। ବିଜେପିର ସମାଲୋଚନାର ଜବାବ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ବେପରୁଆ ଭାବେ ଅଭିଯୋଗ କରୁଛନ୍ତି ଏବଂ ଆମେ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାରେ କୌଣସି ଅବହେଳା କରିନାହୁଁ।

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଆଜି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ବେଙ୍ଗାଲୁରୁରେ ବିଜୟ ଉତ୍ସବ ଏକ ଦୁଃସ୍ୱପ୍ନରେ ପରିଣତ ହୋଇଛି। ଏହି ହୃଦୟ ବିଦାରକ ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ମୌଳିକ ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ଓ ରାଜ୍ୟ ସରକାରଙ୍କ ଭିଡ଼ ନିୟନ୍ତ୍ରଣରେ ବିଫଳତା ଅପୂରଣୀୟ କ୍ଷତି ଘଟାଇଛି। କର୍ଣ୍ଣାଟକ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର ମଧ୍ୟ ବିଜୟ ଉତ୍ସବ ଆୟୋଜନ କରିବା ସଂକ୍ରାନ୍ତ ଅହେତୁକ ତତ୍ପରତା ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ଦୁଃଖଦ ଘଟଣା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *