ପାଣିପାଗରାଜ୍ୟସମସ୍ୟା ଭିତ୍ତିକ ଖବର

ଆସୁଛି ମୌସୁମୀ, ବୁଡ଼ାଇବ ବର୍ଷା: ନିହଲ ହୋଇ ବସିଛି ପୂର୍ତ୍ତ ବିଭାଗ

ଆସୁଛି ମୌସୁମୀ, ବୁଡ଼ାଇବ ବର୍ଷା: ନିହଲ ହୋଇ ବସିଛି ପୂର୍ତ୍ତ ବିଭାଗ

ଆଣ୍ଡାମାନ ଛୁଇଁଲାଣି ମୌସୁମୀ। ଆଉ ଅଳ୍ପ କେଇଦିନ ଭିତରେ ଏହା ଓଡ଼ିଶା ଉପକୂଳ ଛୁଇଁବ। ମୌସୁମୀ ସଅଳ ଓଡ଼ିଶା ଛୁଇଁବା ସହ ବର୍ଷା ବି ଢେର ଆଗୁଆ ଆରମ୍ଭ ହୋଇଯିବ ବୋଲି ପାଣିପାଗ ପୂର୍ବାନୁମାନ କଲାଣି।

ଭୁବନେଶ୍ୱର ୧୪-୦୫-୨୦୨୫ (ଏସ .ଏମ ) : ଣ୍ଡାମାନ ଛୁଇଁଲାଣି ମୌସୁମୀ। ଆଉ ଅଳ୍ପ କେଇଦିନ ଭିତରେ ଏହା ଓଡ଼ିଶା ଉପକୂଳ ଛୁଇଁବ। ମୌସୁମୀ ସଅଳ ଓଡ଼ିଶା ଛୁଇଁବା ସହ ବର୍ଷା ବି ଢେର ଆଗୁଆ ଆରମ୍ଭ ହୋଇଯିବ ବୋଲି ପାଣିପାଗ ପୂର୍ବାନୁମାନ କଲାଣି। କିନ୍ତୁ ଏହାର ପ୍ରତିକାର ପାଇଁ ଅଦ୍ୟାବଧି ପ୍ରସ୍ତୁତି ଆରମ୍ଭ କରିନି ବିଏମ୍‌ସି। ସେ ପ୍ରମୁଖ ନାଳ ହେଉ କି ଶାଖା ନାଳ, ପୂର୍ଣ୍ଣମାତ୍ରାରେ ସଫା ହୋଇପାରିନି। ଏବେ ବି ନାଳ ସବୁ ବାଲି, ପଙ୍କ, ମାଟିରେ ପୋତି ହୋଇ ରହିଥିବାବେଳେ କୁଢ଼କୁଢ଼ ଆବର୍ଜନା ନାଳନର୍ଦ୍ଦମାକୁ ଜାମ କରି ରଖିଛି। ସର୍ବାଧିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ପୂର୍ତ୍ତ ବିଭାଗ ନାଳରେ। ବିଏମ୍‌ସି ଅଳ୍ପ କିଛି ନାଳ ସଫା କରିଥିବାବେଳେ ପୂର୍ତ୍ତ ବିଭାଗ ନିହଲ ହୋଇ ବସିଛି। ଜମାରୁ ନାଳ ସଫେଇରେ ହାତ ମାରିନି। ଫଳସ୍ବରୂପ ଚଳିତବର୍ଷ ବି ବର୍ଷା ଭୁବେନେଶ୍ବର ବୁଡ଼ାଇବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ମିଶା ନାଳପାଣିରେ ସହରବାସୀ ପୁଣି ଉବୁଟୁବୁ ହେବେ। ଏହା ପୂର୍ବରୁ ସବୁ ନାଳ ଭଲ କରି ସଫା କରି ଆବର୍ଜନା ପାଣି ନିଷ୍କାସନ ବାଟ ଉନ୍ମୁକ୍ତ କରିବାକୁ ଦାବି ହୋଇଛି।

ନିହଲ ହୋଇ ବସିଛି ପୂର୍ତ୍ତ ବିଭାଗ
ସଫା ହୋଇନି ୩୬୦ କିମି ପୂର୍ତ୍ତ ନାଳ
ବିଏମ୍‌ସି କାମ ବି ମନ୍ଥର

ସମୁଦ୍ର ପତନଠାରୁ ୪୫ ମିଟର ଉପରେ ଓ ୧୮୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ଭୁବନେଶ୍ବର ମହାନଗର ନିଗମ। ଭୁବନେଶ୍ବର ମହାନଗର ନିଗମରେ ୬୭ ୱାର୍ଡ, ୪୬ଟି ରାଜସ୍ବ ଗ୍ରାମ ଓ ପ୍ରାୟ ୬୦୦ ସାହି ରହିଛି। ସବୁ ସାହିରୁ ଆବର୍ଜନା ନିଷ୍କାସନ ପାଇଁ ପ୍ରାୟ ୧୮୦୦ କିଲୋମିଟର ଲମ୍ବା ନାଳ ରହିଛି। ଯେଉଁଥିରୁ ମୁଖ୍ୟ ନାଳ ଲମ୍ବ ୭୭ କିଲୋମିଟର ଓ ମୁଖ୍ୟ ନାଳ ସଂଖ୍ୟା ୧୧। ସେହିଭଳି ବିଏମ୍‌ସି ନାଳ ପ୍ରାୟ ୧୪୦୦ କିଲୋମିଟର ଓ ପୂର୍ତ୍ତ ବିଭାଗ ନାଳ ପ୍ରାୟ ୩୬୦ କିଲୋମିଟର। ପ୍ରତିବର୍ଷ ବର୍ଷା ହେଲା ମାତ୍ରେ ଭୁବନେଶ୍ବରବାସୀ ବର୍ଷା ପାଣି ମିଶା ନାଳ ପାଣିରେ ଅଣନିଃଶ୍ବାସୀ ହୋଇପଡ଼ନ୍ତି। ଏଥିସହ ଭୁବନେଶ୍ବର ଆସିଥିବା ଲୋକେ ବି କଲବଲ ହୋଇ ଫେରନ୍ତି। ଦୁଇଚକିଆ ଚାରିଚକିଆ ତ’ ଦୂରର କଥା ବସ୍‌ ଚଳାଚଳ ବି ପ୍ରଭାବିତ ହୁଏ। ଘରେ ଘରେ ପାଣି ପଶୁଛି। ରାସ୍ତାଘାଟରେ ଛୁଟୁଛି ନାଳପାଣିର ସୁଅ। ୩, ୪, ୬, ୨୬, ୩୬, ୩୯ ଆଦି ୱାର୍ଡର ଲୋକେ ବର୍ଷା ହେଲେ ନର୍କଯନ୍ତ୍ରଣା ଭୋଗୁଛନ୍ତି। ବର୍ଷା ହେଲେ ବିଶେଷ କରି ଇସ୍କନ୍ ଛକ, ଜୟଦେବବିହାର ବ୍ୟାଙ୍କ ଗଳି, ଲକ୍ଷ୍ମୀସାଗର, ରାଜୀବନଗର ଭଳି କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ନାଳପାଣିରେ ଭାସୁଛି।

ପ୍ରତିବର୍ଷ ବର୍ଷା ପୂର୍ବରୁ ନାଳରୁ ଆବର୍ଜନା ସଫା କରାଯାଇଥାଏ। ଚଳିତବର୍ଷ ବର୍ଷା ସଅଳ ଓଡ଼ିଶା ଉପକୂଳ ଛୁଉଁଥିବାରୁ ଏବେଠୁ ଆବର୍ଜନା ସଫା ନ କଲେ ଓ ପୂର୍ବପ୍ରସ୍ତୁତି ନ କଲେ, ଆଗକୁ ସ୍ଥିତି ଅସମ୍ଭାଳ ହେବା ଜଳଜଳ ଦିଶୁଛି। ଭୁବନେଶ୍ବର ମହାନଗର ନିଗମ ସିଟି ଇଂଜିନିୟର ଇଂ. ବିଳାଶ କୁମାର ବେହେରା କହିଛନ୍ତି, ନାଳ ସଫା ବିଏମ୍‌ସିର ନିୟମିତ କାମ। ତଥାପି ବର୍ଷା ପୂର୍ବରୁ ଅଧିକ କସରତ କରିବାକୁ ପଡ଼ୋ। ବିଏମ୍‌ସିର ୧୪୦୦ କିଲୋମିଟର ନାଳରୁ ୬୦ ପ୍ରତିଶତ ନାଳ ସଫା ସରିଗଲାଣି। ଶୀଘ୍ର ପୂର୍ତ୍ତ ବିଭାଗ ନାଳ ସଫା ଆରମ୍ଭ ହେବ। ଏ ଉପରେ ଆଲୋଚନା ସରିଛି। ଅପରପକ୍ଷେ ସହରାଞ୍ଚଳ ସ୍ଥାୟୀ ବନ୍ୟା ପ୍ରତିକାର ପାଇଁ ସ୍ବତନ୍ତ୍ର ଆକ୍ସନ୍‌ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏନ୍‌ଡିଆର୍‌ଏଫ୍‌(ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି)ରୁ ୨୦୦ କୋଟି ଟଙ୍କା ବିଏମ୍‌ସିକୁ ମିଳିବାର ଅଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ୮୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୨୦ ପ୍ରତିଶତ ଅନୁଦାନ ରହିବ। ନଗର ଉନ୍ନୟନ ବିଭାଗ ବି ଅସଜଡ଼ା ନାଳକୁ ସଜାଡ଼ିବା ଓ ସହରାଞ୍ଚଳ ବନ୍ୟା ଦୂରୀକରଣ ପାଇଁ ୩୦ କୋଟି ଟଙ୍କା ନାଳ କାମ ପାଇଁ ମଞ୍ଜୁର କରିଛନ୍ତି ବୋଲି ଇଂ. ବେହେରା କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *