ରାଜନୀତିରାଜ୍ୟ

ଇଡି ଅଫିସ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ

ଇଡି ଅଫିସ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ

ବ୍ୟାରିକେଡ୍‌ ଭାଙ୍ଗି ଅଫିସ ଭିତରକୁ ପ୍ରବେଶ ଉଦ୍ୟମ ବେଳେ ଧସ୍ତାଧସ୍ତି

ଭୁବନେଶ୍ୱର ୨୦.୦୪.୨୦୨୫ (ଏସ .ଏମ ) :  ପ୍ରଦେଶ ଯୁବ କଂ‌ଗ୍ରେସ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ଇଡି କାର୍ଯ୍ୟାଳୟ ଘେରଉ କରାଯାଇଛି। ଯୁବ କଂଗ୍ରେସର କର୍ମୀମାନେ ଏକ ଶୋଭାଯାତ୍ରା‌ରେ ଇଡି ଅଫିସ ସମ୍ମୁଖରେ ପହଞ୍ଚି ସେଠାରେ ଥିବା ବ୍ୟାରିକେଡ୍‌କୁ ଭାଙ୍ଗି ଭିତରେ ପ୍ରବେଶ ଉଦ୍ୟମ କରିଥିଲେ। ଏହାକୁ ନେଇ ପୁଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଯୁବ କଂଗ୍ରେସ କର୍ମୀମାନେ ଇଡି ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜିର ଏହି ବିକ୍ଷୋଭରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ମନୋଜ ରାଉତ, ମନୋଜ ବିଶ୍ବାଳ, ଅଭିଳାଷ ମାଣିଆ, ଉଦିତ ପ୍ରଧାନ, ସୁଦୀପ ସାମଲ, ନିହାର ବେହେରା, ମହମ୍ମଦ ଗୁଲଫାମ୍‌, ଗୋପନ ମାର୍ଥା, ଅଭିଜିତ ଜେନା ପ୍ରମୁଖ ସାମିଲ ହୋଇଥିଲେ।ଯୁବ କଂ‌ଗ୍ରେସ ନେତା ରଣଜିତ ପାତ୍ର କହିଛନ୍ତି ଯେ ଇଡି ବିଜେପିର ଏକ ଛାମୁଆ ସଂଗଠନ ଭାବେ କାର୍ଯ୍ୟ କରୁଛି। ଯେଉଁ ଅଣକଂଗ୍ରେସ ଦଳର ନେତାମାନେ ବିଜେପିର ଭ୍ରଷ୍ଟାଚାର, ଦୁର୍ନୀତି, ଦରଦାମ ବୃଦ୍ଧି, ମହିଳା ନିର୍ଯାତନା, ଚାଷୀ ପ୍ରସଙ୍ଗ ଓ ବେକାରୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ସଂସଦ ଭିତରେ ଓ ବାହାରେ ସ୍ବର ଶାଣିତ କରୁଛନ୍ତି ସେମାନଙ୍କ ବିରୋଧରେ ମୋଦୀ ସରକାର ‘ଇଡି’କୁ ପ୍ରୟୋଗ କରୁଛନ୍ତି।ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ଯେଉଁ ଚାର୍ଜସିଟ୍‌ ଦାଖଲ କରିଛି ଏହା ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ରାଜନୈତିକ ପ୍ରତିହିଂସା ପରାୟଣତାର ନଗ୍ନ ନମୁନା। ‘ନ୍ୟାସନାଲ୍‌ ହେରାଲ୍‌ଡ’ ଓ ‘ୟଙ୍ଗ ଇଣ୍ଡିଆ’ ମାମଲା ବିଜେପିର ଏକ ଚକ୍ରାନ୍ତ। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ଦ୍ବାରା ସ୍ଥାପିତ ନ୍ୟାସନାଲ୍‌ ହେରାଲ୍‌ଡ ସ୍ୱାଧୀନତା ସଂଗ୍ରାମ ବେଳେ ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ୱର ଭାବେ କାର୍ଯ୍ୟ କରୁଥିଲା। ଆଜି ଦୁର୍ନୀତିରେ ବୁଡ଼ିଥିବା ଓ ଦେଶର ଅଖଣ୍ଡତାକୁ ଭାଙ୍ଗୁଥିବା ମୋଦୀ ସରକାର ନ୍ୟାସନାଲ ହେରାଲ୍‌ଡ ଓ ୟଙ୍ଗ ଇଣ୍ଡିଆ ପ୍ରସଙ୍ଗରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *