ଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଇରାନ ଇସ୍ରାଏଲ ଯୁଦ୍ଧ: ହସ୍ପିଟାଲରେ ବୋମାମାଡ଼

ଇରାନ ଇସ୍ରାଏଲ ଯୁଦ୍ଧ: ହସ୍ପିଟାଲରେ ବୋମାମାଡ଼

ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ସପ୍ତମ ଦିନରେ ପହଂଚିଥିବା ବେଳେ ଉଭୟ ଦେଶ ଗୁରୁବାର ପରସ୍ପର ବିରୋଧରେ ଘନଘୋର ଆକ୍ରମଣ ଜାରି ରଖିଛନ୍ତି

ଇସ୍ରାଏଲ/ନୂଆଦିଲ୍ଲୀ୨୦-୦୬-୨୦୨୫(ଏସ .ଏମ ) :ସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ସପ୍ତମ ଦିନରେ ପହଂଚିଥିବା ବେଳେ ଉଭୟ ଦେଶ ଗୁରୁବାର ପରସ୍ପର ବିରୋଧରେ ଘନଘୋର ଆକ୍ରମଣ ଜାରି ରଖିଛନ୍ତି। ଇରାନ ଗୁରୁବାର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସଂଘର୍ଷରେ ଆମେରିକାର ସମ୍ଭାବ୍ୟ ସମ୍ପୃକ୍ତି ଉପରେ ବିଚାର କରୁଛନ୍ତି ଏବଂ ସେହି ଆଧାରରେ ପ୍ରସ୍ତୁତି ପଦକ୍ଷେପ ନେଉଛନ୍ତି। ସାମରିକ ସ୍ଥଳ, ବରିଷ୍ଠ ଅଧିକାରୀ ଓ ପରମାଣୁ ବୈଜ୍ଞାନିକଙ୍କୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାର୍‌ଷ୍ଟ୍ରାଇକ୍‌ର ଆଶ୍ଚର୍ଯ୍ୟଜନକ ଲହର ଆରମ୍ଭ କରିଥିବା ବେଳେ ସଂଘର୍ଷର ସପ୍ତମ ଦିନରେ ଏହା ଇରାନର ଆରାକ୍ ହେଭି ୱାଟର ରିଆକ୍ଟର ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ସେନା ଗୁରୁବାର ସକାଳେ କହିଛି ଯେ ତେହରାନ ଓ ଇରାନର ଅନ୍ୟାନ୍ୟ ସ୍ଥାନରେ ସେମାନେ କ୍ରମାଗତ ଆକ୍ରମଣ କରୁଛନ୍ତି। ହ୍ୱାଇଟ୍ ହାଉସ୍‌ରେ ସମ୍ଭାବ୍ୟ ଆଲୋଚନା ପାଇଁ ଇରାନ ଆମେରିକା ସହ ଯୋଗାଯୋଗ କରିଥିଲେ ମଧ୍ୟ ଏହି ପ୍ରସଙ୍ଗରେ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଇରାନ ଉପରେ ଆକ୍ରମଣ ପାଇଁ ଟ୍ରମ୍ପ ମଂଜୁରି ଦେଇସାରିଛନ୍ତି ଏବଂ ଏ ବାବଦ ଆଦେଶ ସାର୍ବଜନୀନ କରୁନାହାନ୍ତି। ଗୁରୁବାର ସକାଳେ ଦକ୍ଷିଣ ଇସ୍ରାଏଲର ମୁଖ୍ୟ ଡାକ୍ତରଖାନାରେ ଇରାନର ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଆକ୍ରମଣ ଯୋଜନା ସମୀକ୍ଷା କରୁଛନ୍ତି ଟ୍ରମ୍ପ

ଅନ୍ୟ ଏକ କ୍ଷେପଣାସ୍ତ୍ର ତେଲ୍‌ ଅଭିଭ୍‌ ନିକଟରେ ଥିବା ଦୁଇଟି ଉଚ୍ଚ କୋଠାକୁ ମାଡ଼ କରିବା ସହ ଏକାଧିକ ଆବାସିକ କୋଠାକୁ କ୍ଷତିଗ୍ରସ୍ତ କରିଛି। ଏହି ଆକ୍ରମଣରେ ଅତି କମ୍‌ରେ ୪୦ ଜଣ ଆହତ ହୋଇଛନ୍ତି। ଇରାନର ସରକାରୀ ଟେଲିଭିଜନ୍ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଇରାନର ଆରାକ୍ ହେଭି ୱାଟର ରିଆକ୍ଟର ଉପରେ ଆକ୍ରମଣ କରିଥିଲା। ଆକ୍ରମଣ ପୂର୍ବରୁ ଏହି ସ୍ଥାନକୁ ଖାଲି କରି ଦିଆଯାଇଥିଲା ଏବଂ କୌଣସି ବିକିରଣ ବିପଦ ନାହିଁ। ଇସ୍ରାଏଲ ଏହି କେନ୍ଦ୍ର ଉପରେ ସମ୍ଭାବ୍ୟ ଆକ୍ରମଣ ନେଇ ଚେତାବନୀ ଜାରି କରିବା ସହ ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ପରାମର୍ଶ ଦେବା ପରେ ଏହା ଘଟିଛି। ଆରାକ୍ ରିଆକ୍ଟର ତେହରାନଠାରୁ ପ୍ରାୟ ୨୫୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ। ଦକ୍ଷିଣ ଇସ୍ରାଏଲରେ ହସ୍ପିଟାଲ ଓ ଆବାସିକ ଅଞ୍ଚଳରେ ଇରାନର କ୍ଷେପଣାସ୍ତ୍ର ମାଡ଼ ହେବାର କିଛି ସମୟ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର କହିଛନ୍ତି ଯେ ଇରାନକୁ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ। ତେହେରାନ ଉପରେ ବର୍ବର ଅତ୍ୟାଚାର କରିଥିବା ଲୋକଙ୍କୁ ନିସ୍ତାର ମିଳିବ ନାହିଁ ଏବଂ ମୁଁ ଏହି ପ୍ରତିଶ୍ରୁତି ଦେଉଛି ବୋଲି ନେତାନ୍ୟାହୁ ଏକ ପୋଷ୍ଟରେ କହିଛନ୍ତି। ଆମେରିକା ବାୟୁସେନା ଓ ନୌସେନା ଆଗାମୀ ଦିନରେ ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଟ୍ରମ୍ପ ଏ ବାବଦ ଯୋଜନା ସମୀକ୍ଷା କରୁଛନ୍ତି ବୋଲି ବ୍ଲୁମବର୍ଗ ନ୍ୟୁଜ୍ ପ୍ରକାଶ କରିଛି।

ୱାସିଂଟନସ୍ଥିତ ମାନବାଧିକାର କର୍ମୀମାନେ ଗୁରୁବାର ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ, ଇରାନରେ ଇସ୍ରାଏଲର ଆକ୍ରମଣରେ ଅତି କମ୍‌ରେ ୬୩୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧,୩୨୯ ଜଣ ଆହତ ହୋଇଛନ୍ତି। ୨୬୩ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀର ୧୫୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ତେଣେ ଇରାନ ରୁଷ୍‌ଠାରୁ ସାମରିକ ସହାୟତା ମାଗିନାହିଁ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *