ଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

‘ଉଲ୍‌ଫା-ଆଇ’ର ଅଭିଯୋଗ: ମ୍ୟାମାରରେ ଭାରତୀୟ ସେନାର ଆକ୍ରମଣ

‘ଉଲ୍‌ଫା-ଆଇ’ର ଅଭିଯୋଗ: ମ୍ୟାମାରରେ ଭାରତୀୟ ସେନାର ଆକ୍ରମଣ

ପାକିସ୍ତାନ ବିରୋଧରେ ‘ଅପରେସନ ସିନ୍ଦୂର’ ଭଳି ବଡ଼ ଧରଣର ସୀମାପାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଏବେ ଭାରତୀୟ ସେନା ମ୍ୟାମାର ଭିତରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏକ ଗୁପ୍ତ ଅପରେସନ୍‌ରେ ଟାର୍ଗେଟ୍‌ କରିଥିବା ଜଣାପଡ଼ିଛି

ନୂଆଦିଲ୍ଲୀ/ଭୁବନେଶ୍ୱର୧୪-୦୭-୨୦୨୫( ଏସ .ଏମ ) : ପାକିସ୍ତାନ ବିରୋଧରେ ‘ଅପରେସନ ସିନ୍ଦୂର’ ଭଳି ବଡ଼ ଧରଣର ସୀମାପାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଏବେ ଭାରତୀୟ ସେନା ମ୍ୟାମାର ଭିତରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏକ ଗୁପ୍ତ ଅପରେସନ୍‌ରେ ଟାର୍ଗେଟ୍‌ କରିଥିବା ଜଣାପଡ଼ିଛି। ତେବେ ସେନା ପକ୍ଷରୁ ଏ ନେଇ କୌଣସି ବିବୃତି ଜାରି ହୋଇନାହିଁ। ଗୌହାଟିରେ ଇଷ୍ଟର୍ଣ୍ଣ କମାଣ୍ଡ୍‌ ପିଆରଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାଵତ କହିଛନ୍ତି ଯେ ଏଭଳି ଅପରେସନ ସମ୍ପର୍କରେ ଭାରତୀୟ ସେନା ପାଖରେ କୌଣସି ସୂଚନା ନାହିଁ। ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ-ଇଣ୍ଡିପେଣ୍ଡେଣ୍ଟ୍‌ (ଉଲ୍‌ଫା-ଆଇ) ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭାରତୀୟ ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ଆମର ମୁଖ୍ୟାଳୟ ଏବଂ ଏକାଧିକ ତାଲିମ ଶିବିର ନଷ୍ଟ ହୋଇଯାଇଛି । ଏହି ଲକ୍ଷ୍ୟଭିତ୍ତିକ ଡ୍ରୋନ୍ ଆକ୍ରମଣରେ ୧୯ ଜଣ କ୍ୟାଡର ନିହତ ହୋଇଥିବା ଉଲ୍‌ଫା-ଆଇ ଦାବି କରିଛି। ଆଜି ଭୋର୍‌ ସମୟରେ ପାଖାପାଖି ୧୦୦ ଡ୍ରୋନ୍ ଦ୍ବାରା ସମନ୍ୱିତ ଆକ୍ରମଣ କରି ୪ଟି ଉଲ୍‌ଫା ଶିବିରକୁ ଛାରଖାର କରିଦିଆଯାଇଛି ବୋଲି ‘ଉଲ୍‌ଫା-ଆଇ’ର ଅଭିଯୋଗକୁ ଭାରତୀୟ ‌ସେନା ସ୍ବୀକାର କରିନାହିଁ। ସୂଚନାଯୋଗ୍ୟ, ଉଗ୍ରବାଦ କାର୍ଯ୍ୟକଳାପ ପାଇଁ ମ୍ୟାମାର୍‌ର ଜଣାଶୁଣା ଅଚଂଳ ସାଗାଇଙ୍ଗରେ ଥିବା ଶିବିରଗୁଡ଼ିକୁ ଧ୍ବଂସ କରାଯାଇଥିବା ରିପୋର୍ଟ ମିଳିଛି। ନିହତ ହୋଇଥିବା ଉଲ୍‌ଫା-ଆଇ ଆତଙ୍କବାଦୀଙ୍କ ମଧ୍ୟରେ ଏହାର ଶୀର୍ଷ କମାଣ୍ଡର ନୟନ ଅସୋମ ମଧ୍ୟ ରହିଥିବା ଜଣାପଡ଼ିଛି।
ଶୀର୍ଷ କମାଣ୍ଡର ନୟନ ଅସୋମ ସମେତ ୧୯ ନିହତ
ଆକ୍ରମଣକୁ ଅସ୍ବୀକାର କଲା ଭାରତୀୟ ସେନା
ଡ୍ରୋନ୍‌ ଆକ୍ରମଣରେ ଆତଙ୍କବାଦୀଙ୍କ ମୁଖ୍ୟାଳୟ, ତାଲିମ ଶିବିର ଧ୍ବଂସ
ସୂତ୍ରରୁ ପ୍ରକାଶ ଯେ ଏହି ଆକ୍ରମଣ ନିଷିଦ୍ଧ ଉଗ୍ରବାଦୀ ସଂଗଠନର ମୂଳଦୁଆକୁ ଦୋହଲାଇ ଦେଇଛି। ନିହତ ହୋଇଥିବା ‘ଉଲ୍‌ଫା-ଆଇ’ର ମୁଖ୍ୟ କମାଣ୍ଡର ନୟନ ଆସୋମ କ୍ୟାଡରମାନଙ୍କ ପ୍ରଶିକ୍ଷଣ ଦାୟିତ୍ବରେ ରହିଥିଲା ଓ ଭାରତୀୟ ସୁରକ୍ଷା ବାହିନୀ ଉପରେ ବିଭିନ୍ନ ଆକ୍ରମଣ ଯୋଜନା କାର୍ଯ୍ୟକାରୀ କରାଇବାରେ ମୁଖ୍ୟ ଦାୟିତ୍ବ ନେଉଥିଲା। ‘ଉଲ୍‌ଫା ଆଇ’ର ୧୯ ଆତଙ୍କୀ ନିହତ ହେବା ନେଇ କେତେକ ବିଦେଶୀ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛନ୍ତି। ମ୍ୟମାରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣର ଅନ୍ୟତମ ପ୍ରମୁଖ ଟାର୍ଗେଟ ଥିଲା ୱାକ୍‌ଥମ ବସ୍ତି।
ସେଠାରେ ଥିବା ଉଲ୍‌ଫା-ଆଇର ‘୭୭୯ କ୍ୟାମ୍ପ’ ଭାରତରେ ବଡ଼ ହିଂସା ଭିଆଇବା ପାଇଁ ପ୍ରସ୍ତୁତ ହେଉଥିଲା । ଅନ୍ୟପକ୍ଷରେ ହୋୟତ ବସ୍ତି ଶିବିର ଉପରେ ହୋଇଥିବା ଆକ୍ରମଣ ସିଧାସଳଖ ‘ଉଲ୍‌ଫା-ଆଇ୍‌’ର ଇଷ୍ଟର୍ଣ୍ଣ କମାଣ୍ଡ ସେଣ୍ଟରକୁ ଛାରଖାର କରିଦେଇଛି। ଆକ୍ରମଣର ସଠିକତା ଏବଂ ବ୍ୟାପକତା ସୂଚାଉଛି ଯେ ଭାରତୀୟ ସେନାର ଏହି ଗୁପ୍ତ ଅପରେସନ ଶତ ପ୍ରତିଶତ ଟାର୍ଗେଟ୍‌ ହାସଲ କରିଛି। ଉଲ୍‌ଫା-ଆଇ ବ୍ୟତୀତ ନାଗାଲାଣ୍ଡର ଅନ୍ୟ ଏକ ବିଦ୍ରୋହୀ ଗୋଷ୍ଠୀ ‘ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗାଲାଣ୍ଡ’ (ଏନ୍ଏସ୍‌ସିଏନ୍-କେ)ର ଶିବିରକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଏନ୍ଏସ୍‌ସିଏନ୍-କେ ଉଗ୍ରବାଦୀଙ୍କର ଏକାଧିକ ଶିବିର ନଷ୍ଟ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଭାରତର ଉତ୍ତର-ପୂର୍ବାଞ୍ଚଳ, ବିଶେଷକରି ଆସାମରେ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସୁରକ୍ଷା ବାହିନୀ ଏବେ ହାଇ ଆଲର୍ଟରେ ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *