ଏକତରଫା ପ୍ରେମ ପାଇଁ ଏସିଡ୍ ଆକ୍ରମଣ ଉଦ୍ୟମ!
ଏକତରଫା ପ୍ରେମ ପାଇଁ ଏସିଡ୍ ଆକ୍ରମଣ ଉଦ୍ୟମ!
ପ୍ରେମିକ ଗିରଫ, ଦୁଇ ସହଯୋଗୀ ଫେରାର
ଭୁବନେଶ୍ୱର ୨୦-୦୫-୨୦୨୫(ଏସ.ଏମ ) : ରାଜଧାନୀରେ ଦିନଦିପହରେ ଜନଗହଳିପୂର୍ଣ୍ଣ ରାସ୍ତାରେ ପ୍ରେମିକାକୁ ଗୋଡ଼ାଇଗୋଡ଼ାଇ ଏସିଡ୍ ଫୋପାଡ଼ିବା ଉଦ୍ୟମ କରି ପ୍ରେମିକ ଚନ୍ଦକା ପାଇକରାପୁରର ସୁନୀଲ ସେଠୀ ଗିରଫ ହୋଇଛି। ସୁନୀଲ ଇନ୍ଷ୍ଟାଗ୍ରାମ୍ରେ ଯୁବତୀଙ୍କ ଫେକ୍ ଆଇଡି କରିବା ସହିତ ଫଟୋ ବିକୃତ କରି ଅଶ୍ଳୀଳ ମେସେଜ୍ ପୋଷ୍ଟ କରୁଥିବା ନେଇ ସହିଦନଗର ଥାନାରେ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ସୁନୀଲ ବିବାହିତ ହୋଇ ମଧ୍ୟ ଯୁବତୀଙ୍କୁ ଜୋରଜବରଦସ୍ତି ବିବାହ କରିବାକୁ ବ୍ଲାକ୍ମେଲ୍ କରୁଥିଲା।
ସୂଚନାଯୋଗ୍ୟ, ପଥରବନ୍ଧ ବସ୍ତିରେ ରହୁଥିବା ଏହି ଯୁବତୀ ଜଣକ ଇନ୍ଷ୍ଟାଗ୍ରମ୍ରେ ସୁନୀଲଙ୍କୁ ଚିହ୍ନିଥିଲେ। ସୁନୀଲ ଜଣେ ଇଲେକ୍ଟ୍ରିସିଆନ୍ ଭାବେ କାମ କରନ୍ତି। ଉଭୟଙ୍କ ଭିତରେ ବନ୍ଧୁତା ବଢ଼ିବା ପରେ ସୁନୀଲ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା। ତେବେ ବର୍ଷେ ତଳେ ସୁନୀଲର ବିବାହ ହୋଇଥିଲେ ମଧ୍ୟ ସେ ଯୁବତୀଙ୍କ ବାହାଘର କଥା ଲୁଚାଇଥିଲା। ଯୁବତୀ ଜଣକ କୌଣସି ସୂତ୍ରରୁ ଏ ବାବଦରେ ଜାଣିବା ପରେ ସୁନୀଲଙ୍କ ସହ ଆଉ ସମ୍ପର୍କ ରଖିନଥିଲେ। ହେଲେ ସୁନୀଲ ଏକତରଫା ପ୍ରେମ ନିଶାରେ ନିଜ ସ୍ତ୍ରୀଙ୍କୁ ଛାଡ଼ି ଯୁବତୀଙ୍କୁ ବାହାହେବାକୁ ଜିଦ୍ ଧରିଥିଲା। ଏପରିକି ଯୁବତୀ ଜଣକ ଅମଙ୍ଗ ହେବାରୁ ସୁନୀଲ ତାଙ୍କର ଫଟୋକୁ ବିକୃତ କରି ଇନ୍ଷ୍ଟାଗ୍ରାମ୍ରେ ଏକ ଫେକ୍ ଆକାଉଣ୍ଟ ଜରିଆରେ ଭାଇରାଲ୍ କରିଥିଲା। ସେହି ପୋଷ୍ଟଗୁଡ଼ିକରେ ବିଭିନ୍ନ ଅଶ୍ଳୀଳ ମେସେଜ୍ ପଠାଉଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଘରଲୋକଙ୍କୁ ଏ ବିଷୟରେ ଯୁବତୀ ଜଣକ ଜଣାଇଥିଲେ। ଆଜି ସୁନୀଲ ତାଙ୍କୁ ଆହୁରି ଫଟୋ ଭାଇରାଲ୍ କରିବାର ଧମକ ଦେଇ ସହିଦନଗର ସାଇମନ୍ଦିର ନିକଟକୁ ଡାକିଥିଲା।
ପ୍ରେମିକ ଗିରଫ, ଦୁଇ ସହଯୋଗୀ ଫେରାର
ଇନ୍ଷ୍ଟାଗ୍ରାମ୍ରେ ଫଟୋ ବିକୃତ କରି ବ୍ଲାକ୍ମେଲ୍
ଯୁବତୀ ଜଣକ ସୁନୀଲଙ୍କୁ ଦେଖାକରିବାକୁ ଆସିଥିବା ସମୟରେ ସୁନୀଲ ତାଙ୍କୁ ଅପହରଣ ଉଦ୍ୟମ କରିଥିଲା। ଯୁବତୀ ଜଣକ ପ୍ରତିବାଦ କରିବାରୁ ସୁନୀଲ ନିଜର ଦୁଇ ସହଯୋଗୀଙ୍କୁ ପକେଟ୍ରେ ଥିବା ଏସିଡ୍ କାଢ଼ି ଯୁବତୀଙ୍କ ମୁହଁକୁ ଆକ୍ରମଣ କରିବାକୁ କହିଥିଲା। ଏସିଡ୍ ବୋତଲ ଦେଖି ଯୁବତୀ ଜଣକ ଜୀବନ ବିକଳରେ ଦୌ଼ଡ଼ିବାକୁ ଲାଗିଥିଲେ। ତୁ ମୋର ନହେଲେ କାହାର ହବୁନି ବୋଲି କହି ସୁନୀଲ ପଛରେ ଗୋଡ଼ାଇଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ସୁନୀଲକୁ କାବୁ କରିଥିଲେ। ସୁନୀଲର ଦୁଇ ସହଯୋଗୀ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲା ବେଳେ ସୁନୀଲ ନିର୍ଘାତ ଛେଚା ଖାଇଥିଲା। ପରେ ଲୋକମାନେ ସୁନୀଲକୁ ପୁଲିସର ଜିମା ଦେଇଥିଲେ। ସହିଦନଗର ଥାନାରେ ଏସିଡ୍ ଆକ୍ରମଣ ଅଭିଯୋଗ ହେବା ପରେ ସୁନୀଲ ପାଇଁ ଅଡ଼ୁଆ ବଢ଼ିଛି। ପୁଲିସ ଏକ ମାମଲା ରୁଜୁ କରି ଦୁଇ ସହଯୋଗୀଙ୍କୁ ଖୋଜୁଛି।
ପୁଲିସ ଏହି ମାମଲାରେ ଅଧିକ ଖୋଳତାଡ଼ ଜାରି ରଖିଛି। ତେବେ ସୁନୀଲର କହିବା ଅନୁଯାୟୀ ସେ ଯୁବତୀଙ୍କର ଫଟୋ ଭାଇରାଲ୍ କରିନାହିଁ। ତାଙ୍କ ସ୍ତ୍ରୀ ରାଗରେ ଯୁବତୀଙ୍କ ଫଟୋ ସବୁ ଭାଇରାଲ୍ କରିଛନ୍ତି। ସ୍ତ୍ରୀଙ୍କ ସହିତ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ରହିଛି। ଫଟୋ ଭାଇରାଲ୍ ଘଟଣାକୁ ନେଇ ଯୁବତୀ ଜଣକ ଆଜି ସୁନୀଲକୁ କମ୍ପ୍ରମାଇଜ୍ କରିବାକୁ ଡକାଇଥିଲେ। ତେବେ ସୁନୀଲ ନିଜ ସାଙ୍ଗମାନଙ୍କ ସହିତ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କ ଭାଇ ଓ ପ୍ରାୟ ୨୦ଜଣ ସହଯୋଗୀ ତାଙ୍କୁ ଏକ ପଡ଼ିଆକୁ ନେଇ ଆକ୍ରମଣ କରିଥିଲେ। ଏସିଡ୍ ଆକ୍ରମଣ ଉଦ୍ୟମ ଅଭିଯୋଗ ମିଛ ବୋଲି ସୁନୀଲ କହିଛି। ଘଟଣା ନେଇ ସହିଦନଗର ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।