ଦେଶ- ବିଦେଶରାଜନୀତିରାଜ୍ୟ

ଏଡିଆର୍‌ ରିପୋର୍ଟରେ ୨୦୨୪ ନିର୍ବାଚନ ଖର୍ଚ୍ଚ

ଏଡିଆର୍‌ ରିପୋର୍ଟରେ ୨୦୨୪ ନିର୍ବାଚନ ଖର୍ଚ୍ଚ

୨୦୨୪ ଲୋକସଭା ଓ ସମାନ୍ତରାଳ ଭାବେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ୍‌ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧-୦୬-୨୦୨୫(ଏସ .ଏମ ) :୦୨୪ ଲୋକସଭା ଓ ସମାନ୍ତରାଳ ଭାବେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ୍‌ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ। ବିଜେପି ପଛକୁ କଂଗ୍ରେସ ୨୦୨୪ ନିର୍ବାଚନରେ ୬୨୦ କୋଟି ଟଙ୍କା ଖର୍ଚ୍ଚ କରି ଦ୍ବିତୀୟ ସ୍ଥାନ‌ରେ ରହିଛି। କଂଗ୍ରେସର ନିର୍ବାଚନ ଖର୍ଚ୍ଚ ମୋଟ୍‌ ନିର୍ବାଚନ ଖର୍ଚ୍ଚର ୧୮.୫ ପ୍ରତିଶତ। ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ତଥ୍ୟ ଆକଳନ କରି ଏଡିଆର୍‌ (ଆସୋସିଏସନ୍‌ ଫର୍‌ ଡିମୋକ୍ରାଟିକ୍‌ ରିଫର୍ମ‌୍ସ) ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁଯାୟୀ ସମସ୍ତ ଦଳ ଏକାଠି ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡ଼ିଶା ଓ ସିକିମରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ମୋଟ୍‌ ୩୩୫୨.୮୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେଥିମଧ୍ୟରୁ ଜାତୀୟ ଦଳଗୁଡ଼ିକ ୨୨୦୪ ‌କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି ଯାହା କି ମୋଟ୍‌ ଖର୍ଚ୍ଚର ୬୫.୭୫ ପ୍ରତିଶତ। ଅନ୍ୟପକ୍ଷରେ ଆଞ୍ଚଳିକ ଦଳଗୁଡ଼ିକ ୧୧୪୮.୪୯ କୋଟି ଟଙ୍କା (୩୪.୨୫%) ଖର୍ଚ୍ଚ କରିଛନ୍ତି। ୱାଇଏସ୍‌ଆର କଂଗ୍ରେସ ପାର୍ଟି ୩୨୫.୬୭ (୯.୭୧ପ୍ରତିଶତ) କୋଟି ଖର୍ଚ୍ଚ କରିଥିବା ବେଳେ ବିଜେଡି ୨୭୮.୦୩ କୋଟି ଟଙ୍କା (୮.୨୯ ପ୍ରତିଶତ) ଖର୍ଚ୍ଚ କରିଛି। ବିଜେଡି ପଛକୁ ତୃଣମୂଳ କଂଗ୍ରେସ ୧୪୭.୬୮ କୋଟି ଟଙ୍କା (୪.୪୦ ପ୍ରତିଶତ) ଖର୍ଚ୍ଚ କରିଛି।

ବିଜେଡିର ନିର୍ବାଚନ ବ୍ୟୟ ୨୭୮.୦୩ କୋଟି
ଡିଜିଟାଲ୍‌ ପ୍ରଚାର ଖର୍ଚ୍ଚରେ ବିଜେଡି ଶୀର୍ଷରେ

ଡିଜିଟାଲ୍‌ ପ୍ରଚାର ଖର୍ଚ୍ଚରେ ବିଜେଡି ସବା ଆଗରେ ରହି ସମସ୍ତଙ୍କୁ ଚମକାଇ ଦେଇଛି। ବିଜେଡି କେବଳ ଡିଜିଟାଲ୍‌ ପ୍ରଚାର ବାବଦରେ ୮୩.୦୩ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଜେଡି ପଛକୁ କଂଗ୍ରେସ ଡିଜିଟାଲ୍‌ ପ୍ରଚାର ପାଇଁ ୪୭.୬୯ କୋଟି ଖର୍ଚ୍ଚ କରିଥିବା ବେଳେ ବିଜେପି ମାତ୍ର ୧.୦୬ କୋଟି ଖର୍ଚ୍ଚ କରିଛି। ଡିଜିଟାଲ୍‌ ପ୍ରଚାର ପାଇଁ ବିଭିନ୍ନ ଦଳ ୧୩୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ବିଜ୍ଞାପନ ପ୍ରକାଶ ପାଇଁ ୨୮.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ ବିଜେପି ନିର୍ବାଚନ ପ୍ରଚାରରେ ସର୍ବାଧିକ ୯୮୩.୯୨ କୋଟି ଖର୍ଚ୍ଚ କରିଛି। ମୋଟ୍‌ ପାଣ୍ଠି ବାବଦରେ ଜାତୀୟ ଦଳଗୁଡ଼ିକ ୬୯୩୦.୨୪୬ କୋଟି ଟଙ୍କା (୯୩.୦୮%) ହାସଲ କରିଥିବା ବେଳେ ଆଞ୍ଚଳିକ ଦଳମାନେ ୫୧୫.୩୨ କୋଟି ଟଙ୍କା (୬.୯୨%) ପାଇଛନ୍ତି। ବିଜେପି ଚାନ୍ଦା ବାବଦରେ ୬,୨୬୮ କୋଟି ହାସଲ କରିଥିବା ବେଳେ କଂଗ୍ରେସ ୫୯୨.୪୮ କୋଟି ହାସଲ କରିଛି।

ସାଧାରଣ ନିର୍ବାଚନର ୯୦ ଦିନ ଭିତରେ ଏବଂ ରାଜ୍ୟ ନିର୍ବାଚନର ୭୫ ଦିନ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଥିବା ବାଧ୍ୟତାମୂଳକ ବ୍ୟୟ ବିବରଣୀ ଆଧାରରେ ଏହି ବିଶ୍ଲେଷଣ କରାଯାଇଛି। ତେବେ ଆ‌ମ୍‌ ଆଦମୀ ପାର୍ଟି ୧୬୮ ଦିନ ବିଳମ୍ବରେ ରିପୋର୍ଟ ଦାଖଲ କରିଥିବା ବେଳେ ବିଜେପି ୧୪୯ରୁ ୧୫୪ ଦିନ ବିଳମ୍ବରେ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି। ବିଭିନ୍ନ ରାଜନୈତିକ ଦଳ ମୋଟ୍‌ ନିର୍ବାଚନ ବ୍ୟୟରୁ ପ୍ରଚାର କାର୍ଯ୍ୟ‌ରେ ୨,୦୦୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଯାହା କି ସେମାନଙ୍କ ମୋଟ୍‌ ଘୋଷିତ ଖର୍ଚ୍ଚର ୫୩ ପ୍ରତିଶତ। ପ୍ରଚାର ଖର୍ଚ୍ଚ ପରେ ଯାତ୍ରା ଖର୍ଚ୍ଚ ସର୍ବାଧିକ ୭୯୫ କୋଟି ରହିଛି। ୩୨ଟି ରାଜନୈତିକ ଦଳର ମୋଟ୍‌ ପ୍ରଚାର ଖର୍ଚ୍ଚ ମଧ୍ୟରୁ ଜାତୀୟ ଦଳଗୁଡ଼ିକ ୧୫୧୧.୩୦୦୪ କୋଟି ଖର୍ଚ୍ଚ କରିଛନ୍ତି ଏବଂ ଆଞ୍ଚଳିକ ଦଳ ୪୯୬.୯୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *