TechnologyTOP STORIESରାଜନୀତିରାଜ୍ୟ

ଓଡ଼ିଶାରେ ଆରମ୍ଭ ହେଲା ‘ଅଙ୍କୁର’

ଓଡ଼ିଶାରେ ଆରମ୍ଭ ହେଲା ‘ଅଙ୍କୁର’

ସ୍ଥାୟୀ ଓ ଅଭିନବ ସହରାଞ୍ଚଳ ବିକାଶରେ ଭାଗୀଦାରି ହେବ

ଭୁବନେଶ୍ୱର ୨୯-୦୫-୨୦୨୫(ଏସ.ଏମ ) : ଡ଼ିଶାରେ ସହରାଞ୍ଚଳ ବିକାଶର ଭବିଷ୍ୟତକୁ ପୁନଃପରିଭାଷିତ କରିବା ଦିଗରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ଆଜି ‘ଅଙ୍କୁର’ (ଅଟଳ ନେଟ୍‌ୱର୍କ ଫର ନଲେଜ୍, ସହରୀକରଣ ଏବଂ ସଂସ୍କାର)ର ଶୁଭାରମ୍ଭ କରାଯାଇଛି। ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସହରାଞ୍ଚଳ ବିକାଶ ଇକୋସିଷ୍ଟମରେ କାର୍ଯ୍ୟରତ ୬ଟି ପ୍ରମୁଖ ଅନୁଷ୍ଠାନ ଓ ସଂଗଠନ ମଧ୍ୟରେ ଏ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ‘ଅଙ୍କୁର’ ସାରା ରାଜ୍ୟରେ ସହରାଞ୍ଚଳ ବିକାଶରେ ଏକ ସ୍ଥାୟୀ ଓ ଅଭିନବ ରଣନୈତିକ ପଦକ୍ଷେପର ଭିତ୍ତିଭୂମି ତିଆରିବ ବୋଲି କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ‘ଅଙ୍କୁର’ ଏକ ସାମୂହିକ ପ୍ରତିଶ୍ରୁତିକୁ ପ୍ରତିନିଧିତ୍ୱ କରେ, ଯାହା ଦକ୍ଷ, ଉନ୍ନତ ଓ ସର୍ବୋପରି ନାଗରିକ କୈନ୍ଦ୍ରିକ ସହର ନିର୍ମାଣ କରିବ। ଏହା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଏକ ଆନ୍ଦୋଳନ। ପ୍ରମୁଖ ସଚିବ ଉଷା ପାଢୀ କହିଛନ୍ତି, ‘ଅଙ୍କୁର’ର ଉତ୍ପତ୍ତି ଗୋଟିଏ ମୁହୂର୍ତ୍ତ ନୁହେଁ, ବରଂ ପ୍ରତିଫଳନ, ଆଲୋଚନା ଓ ସହଯୋଗର ଏକ ଶୃଙ୍ଖଳା ଥିଲା। ଯାହା ଓଡ଼ିଶାରେ ସହରୀକରଣର ଗତି ଓ ଜଟିଳତାକୁ ସହଜ କରିବାରେ ନୂଆ ଦିଗନ୍ତ ଆଣିଦେବ। ବିଗତ କିଛି ବର୍ଷ ଧରି, ଦେଶ ଓ ଦେଶ ବାହାରର ବିଶେଷଜ୍ଞ, ବିଭିନ୍ନ ସଂସ୍ଥା ସହିତ ଆଭ୍ୟନ୍ତରୀଣ ପରାମର୍ଶରେ, ଆମେ ଆମ ଲକ୍ଷ୍ୟ ପୂରଣର ଆଶା ରଖିଛୁ। ଆମ ଆଗରେ ଯେଉଁ ପ୍ରଶ୍ନ ତଥା ସମସ୍ୟା ଉଭା ହେଉଛି ‘ଅଙ୍କୁର’ ତାର ସମାଧାନର ବାଟ ବାହାର କରିବ। ଆଗାମୀ ଦଶନ୍ଧିରେ ସହରାଞ୍ଚଳ ବିକାଶରେ ଆମକୁ ଆହୁରି ଆଗକୁ ଯିବାରେ ସହଭାଗୀ ହେବ। ଯେହେତୁ ୨୦୩୬ ସୁଦ୍ଧା ଓଡ଼ିଶାର ସହରାଞ୍ଚଳ ଜନସଂଖ୍ୟା ତିନିଗୁଣ ବୃଦ୍ଧି ପାଇବାର ଆକଳନ କରାଯାଇଛି, ‘ଅଙ୍କୁର’ ଭବିଷ୍ୟତରେ ସହରଗୁଡ଼ିକରେ ସ୍ଥିର, ବାସଯୋଗ୍ୟ ପରିବେଶ ସୃଷ୍ଟି କରିବା ଦିଗରେ ଏକ ପ୍ଲାଟଫର୍ମ ଭାବରେ କଳ୍ପନା କରାଯାଇଛି। ଏହା କ୍ଷମତା ବୃଦ୍ଧି ସହ ଗବେଷଣା, କାର୍ଯ୍ୟକ୍ଷେତ୍ରରେ ନବସୃଜନ ଆଣିଦେବ। ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଅନୁପ୍ରାଣିତ ‘ଅଙ୍କୁର’ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇପାରିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *