ଓଡ଼ିଶା ବିକାଶକୁ ଅଗ୍ରାଧିକାର
ଓଡ଼ିଶା ବିକାଶକୁ ଅଗ୍ରାଧିକାର…
ଏନ୍ଡିଏ ସରକାରର ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଆଜି
ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୬-୨୦୨୫(ଏସ.ଏମ ) : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହେବ। ତୃତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିକାଶର ଗତିକୁ ଆଗେଇ ନେବାପାଇଁ ଏକାଧିକ ଯୋଜନା ଆରମ୍ଭ କରାଯାଇଛି। ଏହି କ୍ରମରେ ଓଡ଼ିଶାର ରେଳ ଓ ସଡ଼କ ଭିତ୍ତିଭୂମି ନିର୍ମାଣ, ନିବେଶ, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟସେବା, ଗରିବଙ୍କୁ ଆବାସ ଯୋଗାଣ ଆଦିକୁ ବିଶେଷ ପ୍ରାଥମିକତା ଦିଆଯାଇଛି। ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍ଡିଏ ସରକାରଙ୍କ ପ୍ରଥମ ୧୦୦ ଦିନ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତ କରି ଶୁଭାରମ୍ଭ କରିଥିଲେ। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲାଗି ଓଡ଼ିଶା ସରକାରଙ୍କ ଏହି ପ୍ରଗତିଶୀଳ ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।
ଏନ୍ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶାର ରେଳ ଓ ସଡ଼କ ଭିତ୍ତିଭୂମିର ନିର୍ମାଣକୁ ପ୍ରାଥମିକତା ଦିଆଯିବା ସହିତ ସ୍ବାସ୍ଥ୍ୟ ସଂପର୍କିତ ସୁବିଧା ଅନ୍ତର୍ଗତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶାକୁ ସାମିଲ କରାଯାଇଛି, ଯାହା ଓଡ଼ିଶାର ସ୍ବାସ୍ଥ୍ୟସେବାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ) ଏବଂ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଦିଲ୍ଲୀର ବିଜ୍ଞାନ ଭବନରେ ଜାନୁଆରି ୧୩ରେ ଏମ୍ଓୟୁ ସ୍ବାକ୍ଷରିତ ହେବାପରେ ଏହି ଯୋଜନାର ଶୁଭାରମ୍ଭ ଏପ୍ରିଲରେ ଓଡ଼ିଶାରେ ହୋଇଥିଲା। ଏଥି ସହିତ ଓଡ଼ିଶାରେ ତିନି ଆପରାଧିକ ନୂଆ ଆଇନର ସଫଳ କାର୍ଯ୍ୟକାରିତା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଦିଲ୍ଲୀରେ ଆଲୋଚନା କରିଥିଲେ। ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏନ୍ଡିଏ ସରକାରଙ୍କ ବିଭିନ୍ନ ଯୋଜନା, ଉପଲବ୍ଧି ଓ ଭବିଷ୍ୟତ ପ୍ରସ୍ତୁତି ସଂପର୍କରେ ଗଣମାଧ୍ୟମକୁ ସମ୍ବୋଧନ କରିବେ। ଏହାପରେ ଜୁନ ୧୦ ତାରିଖରୁ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ସରକାରଙ୍କ ରିପୋର୍ଟ କାର୍ଡକୁ ଜନତାଙ୍କ ନିକଟରେ ଉପସ୍ଥାପନ କରାଯିବ।