ଓଡି୦୨ ବାର୍ ସିଲ୍ କଲା ଅବକାରୀ ବିଭାଗ: ଏସ୍ପିଙ୍କୁ ଠେଲାପେଲା, ମ୍ୟାନେଜର୍ ଗିରଫ
ଓଡି୦୨ ବାର୍ ସିଲ୍ କଲା ଅବକାରୀ ବିଭାଗ: ଏସ୍ପିଙ୍କୁ ଠେଲାପେଲା, ମ୍ୟାନେଜର୍ ଗିରଫ
ବାହାରୁ ପଡ଼ିଥିଲା ସଟର୍। ଭିତରେ ଚାଲିଥିଲା ଭାଲେଣ୍ଟାଇନ୍ ଡେ ସେଲିବ୍ରେସନ୍। ପ୍ରେମ ଆଳରେ ମଦନିଶାରେ ମତୁଆଲା ହୋଇ ରାତି ୨ଟା ପର୍ଯ୍ୟନ୍ତ ଛାତିଥରା ଡିଜେ ବଜାଇ ନାଚଗୀତରେ ମସ୍ଗୁଲ ଥିଲେ ଯୁବଗୋଷ୍ଠୀ।
ଭୁବନେଶ୍ୱର ୧୬-୦୨-୨୦୨୬(ଏସ .ଏମ ) : ବାହାରୁ ପଡ଼ିଥିଲା ସଟର୍। ଭିତରେ ଚାଲିଥିଲା ଭାଲେଣ୍ଟାଇନ୍ ଡେ ସେଲିବ୍ରେସନ୍। ପ୍ରେମ ଆଳରେ ମଦନିଶାରେ ମତୁଆଲା ହୋଇ ରାତି ୨ଟା ପର୍ଯ୍ୟନ୍ତ ଛାତିଥରା ଡିଜେ ବଜାଇ ନାଚଗୀତରେ ମସ୍ଗୁଲ ଥିଲେ ଯୁବଗୋଷ୍ଠୀ। ଖବର ପାଇ ଅବକାରୀ ଟିମ୍ ଚଢ଼ଉ ବେଳେ ଅବକାରୀ ଏସ୍ପିଙ୍କୁ ମଧ୍ୟ ବେଖାତିର୍ କରିଥିଲେ। ଏହା ସହର ଉପକଣ୍ଠର କୌଣସି ନିକାଞ୍ଚନ ଇଲାକା ନୁହେଁ, ଖାରବେଳନଗର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଜନପଥର ମାଡମ୍ୟୁଲେ ଓଡି୦୨ ବାର୍ରେ ଘଟିଥିଲା। ପୁଲିସ ବାର୍ ମ୍ୟାନେଜର ଅବିନାଶ ସାହୁଙ୍କୁ ଗିରଫ କରିବା ସହିତ ଅବକାରୀ ବିଭାଗ ବାର୍କୁ ସିଲ୍ କରିଛି। ଏହା ସହିତ ବାର୍ର ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଅବକାରୀ ବିଭାଗ ଚିଠି ଲେଖିଛି।
ସୂଚନା ଅନୁସାରେ, ବେଆଇନ ଭାବେ ମାଡମ୍ୟୁଲେ ଓଡି୦୨ ବାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ୍ୟପାନ ସହ ବିକଟ ଶବ୍ଦରେ ଡିଜେ ବଜାଇ ନାଚଗୀତ ଚାଲିଥିବା ସମ୍ପର୍କରେ ଅବକାରୀ ବିଭାଗ ସୂଚନା ପାଇଥିଲେ। ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଓ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପୁଲିସ୍ ସହଯୋଗରେ ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ବାର୍ ସମ୍ମୁଖରେ ପହଞ୍ଚିଲା ବେଳକୁ ବାର୍ ବାହାରେ ବହୁ ଚାରିଚକିଆ ଓ ଦୁଇଚକିଆ ଗାଡ଼ି ପାର୍କିଂ ହୋଇଥିଲା। କିନ୍ତୁ ବାର୍ର ସଟର୍ ଟାଣି ଦିଆଯାଇଥିଲା। କାନଫଟା ଡିଜେ ଶବ୍ଦ ଶୁଣି ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ବଳପୂର୍ବକ ବାର୍ ଭିତରକୁ ପ୍ରବେଶ କରିଥିଲେ।ଏହି ସମୟରେ କିଛି ଯୁବକ ଓ ବାର୍ ମ୍ୟାନେଜର ଅବିନାଶ ସାହୁ, ବାର୍ରେ ନିୟୋଜିତ ବାଉନ୍ସର୍ମାନେ ଅଧିକାରୀମାନଙ୍କୁ ବାଧା ଦେଇଥିଲେ। ଏହାସହିତ କର୍ମଚାରୀମାନେ ସେମାନଙ୍କର ଡ୍ରିଙ୍କ୍ସ୍ ଓ ଡିନର୍ ମଜାରେ ବାଧା ଦେଉଥିବା ଅଭିଯୋଗ ଆଣି ଅବକାରୀ ଓ ପୁଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା କରିଥିଲେ। ବହୁ ସମୟ ଧରି ଯୁକ୍ତିତର୍କ ଚାଲିବା ପରେ ଅବକାରୀ ବିଭାଗ ପକ୍ଷରୁ ବାର୍କୁ ଖାଲି କରାଯାଇଥିଲା। ଏହାସହିତ ବାର୍ ମ୍ୟାନେଜର ଅବିନାଶ ସାହୁକୁ ଅଟକ ରଖାଯାଇଥିଲା। ବେଆଇନ ଭାବେ ଚାଲିଥିବା ବାର୍କୁ ସିଲ୍ କରିଦିଆଯାଇଥିଲା। ରାତି ପ୍ରାୟ ୩ଟା ବେଳକୁ ଚଢ଼ଉ ସରିବା ପରେ ଅବକାରୀ ଟିମ୍ ଖାରବେଳନଗର ଥାନାକୁ ଯାଇ ଚଢ଼ଉ ସମୟରେ ସରକାରୀ ଅଧିକାରୀମାନଙ୍କୁ କାର୍ଯ୍ୟରେ ବାଧା ଦେବା, ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ପ୍ରଦର୍ଶନ ପାଇଁ ଏକ ଅଭିଯୋଗ ଦାଖଲ କରିଥିଲେ। ଅଭିଯୁକ୍ତ ବାର୍ ମ୍ୟାନେଜରଙ୍କୁ କୋର୍ଟଚାଲାଣ କରାଯାଇଛି।
