କଟକ ଅଗ୍ନିଶମ ଗାଡ଼ିକୁ ପାଣି ସମସ୍ୟା
କଟକ ଅଗ୍ନିଶମ ଗାଡ଼ିକୁ ପାଣି ସମସ୍ୟା
୧୫ ଭୂତଳ ପାଣି ଟାଙ୍କି ଯୋଜନା ଝୁଲିଛି, ୨୦୨୩ରୁ ଗଲାଣି ସର୍ଭେ ରିପୋର୍ଟ କଟକ ସହରର ଗଳିକନ୍ଦିରେ ଅଗ୍ନିକାଣ୍ଡ ଘଟିଲେ ନିଆଁ ଲିଭାଇବା କଷ୍ଟକର ହୋଇ ପଡ଼ୁଛି।
କଟକ/ଭୁବନେଶ୍ୱର ୧୪.୦୪.୨୦୨୫ (ଏସ .ଏମ ) : କଟକ ସହରର ଗଳିକନ୍ଦିରେ ଅଗ୍ନିକାଣ୍ଡ ଘଟିଲେ ନିଆଁ ଲିଭାଇବା କଷ୍ଟକର ହୋଇ ପଡ଼ୁଛି। ଅଗ୍ନିଶମ ବିଭାଗର ୩ ହଜାର ଲିଟରରୁ ବଡ଼ ଟାଙ୍କି ବିଶିଷ୍ଟ ଦମକଳ ଗାଡ଼ି ଯିବା ମୁସ୍କିଲ୍ ହୋଇପଡ଼ୁଛି। ଛୋଟ ଟାଙ୍କି ନିଆଁ ଲିଭାଇବାରେ ବ୍ୟବହୃତ ହେଉଛି। ଏହି ଟାଙ୍କି ଖାଲି ହେଲେ ପୁଣି ଆଉ ଏକ ଗାଡ଼ି ସେଠାରେ ପହଞ୍ଚିବା ଓ ଖାଲି ଟାଙ୍କି ଜଳଉତ୍ସ ନିକଟକୁ ଯାଇ ପାଣି ଭରିବାରେ ଜଟିଳ ସମସ୍ୟା ସୃଷ୍ଟି ହେଉଛି। କଟକ ଗଳିକନ୍ଦି ଅଞ୍ଚଳରେ ଭୂତଳ ପାଣି ଟାଙ୍କି ନିର୍ମାଣ ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ନିଜ ଅଞ୍ଚଳରେ କେଉଁଠାରେ ଭୂତଳ ପାଣି ଟାଙ୍କି ନିର୍ମାଣ କରାଯିବ ସେ ସଂକ୍ରାନ୍ତରେ ସ୍ଥାନ ଚିହ୍ନଟ କରିବାକୁ କୁହାଯାଇଥିଲା। ଏହି ଆଧାରରେ କଟକରେ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ଅଧିକାରୀଙ୍କ ପକ୍ଷରୁ ଚୌଧୁରୀ ବଜାର, ହାଇକୋର୍ଟ, ଦୋଳମୁଣ୍ଡାଇ, ବାଦାମବାଡ଼ି, ବକ୍ସିବଜାର, ମାଲଗୋଦାମ, ଛତ୍ରବଜାର, ମଙ୍ଗଳାବାଗ ଭଳି ୧୫ଟି ସ୍ଥାନ ଚିହ୍ନଟ କରାଯାଇଥିଲା। ଏଠାରେ ଅଗ୍ନିକାଣ୍ଡ ଘଟିଲେ ଅଣଓସାରିଆ ରାସ୍ତା ଯୋଗୁ ୩ ହଜାର ଲିଟର କ୍ଷମତାର ବଡ଼ ଗାଡ଼ି ଘଟଣାସ୍ଥଳକୁ ଯିବାରେ ସମସ୍ୟା ହେଉଛି ଓ ଦୂରରେ ରହି ଘଟଣାସ୍ଥଳକୁ ପାଇପ୍ ଲମ୍ବାଇ ନିଆଁ ଲିଭାଇବାକୁ ପଡ଼ୁଛି। ଅଗ୍ନିଶମ ଗାଡ଼ି ପରକୁ ପର ଟାଙ୍କି ବୋଝେଇ କରି ସେଠାରେ ପହଞ୍ଚିଲେ ଟ୍ରାଫିକ୍ ସମସ୍ୟା ବି ସୃଷ୍ଟି ହେଉଛି। ଅନ୍ୟପଟେ କଟକ ସହରରେ ପାଣିର ବଡ଼ ଉତ୍ସ ଭାବେ ନେତାଜୀ ଜନ୍ମସ୍ଥାନ ନିକଟ ପୋଖରୀ, ଚଣ୍ଡୀମନ୍ଦିର ପଛପଟ ପୋଖରୀ ରହିଛି। ଆବଶ୍ୟକ ସମୟରେ ସେଠାରେ ପହଞ୍ଚି ଟାଙ୍କିରେ ପାଣି ଭରିବା ଆହ୍ବାନପୂର୍ଣ୍ଣ ହେଉଛି। ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ସମେତ ଚାଉଳିଆଗଞ୍ଜ, ଅଭିନବ ବିଡ଼ାନାସୀ, ବାରଙ୍ଗ, ଚୌଦ୍ବାର, କଟକ ବଡ଼ଡାକ୍ତରଖାନା ଅଗ୍ନିଶମ କେନ୍ଦ୍ରରେ ସ୍ବତନ୍ତ୍ର ଭୂତଳ ପାଣି ମହଜୁଦର ବ୍ୟବସ୍ଥା ଥିବା ସତ୍ତ୍ବେ ଅଣଓସାରିଆ ରାସ୍ତା ଦେଇ ସେଠାରେ ପହଞ୍ଚି ପାଣି ଆଣିବା ସମ୍ଭବପର ହୋଇପାରୁନାହିଁ। ମହାନଦୀ ଓ କାଠଯୋଡ଼ି ବି ଅନେକ ସମୟରେ ଶୁଖିଲା ପଡ଼ୁଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଉପରୋକ୍ତ ସ୍ଥାନରେ ଭୂତଳ ପାଣି ଟାଙ୍କି ନିର୍ମାଣ ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା।କଟକ ପୌର ନିଗମ ପକ୍ଷରୁ ୨୪ ଘଣ୍ଟିଆ ଭୂତଳ ପାଣି ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଗୋଟିଏ ଟାଙ୍କିରେ ୨ ଲକ୍ଷରୁ ୫ ଲକ୍ଷ ଲିଟର ପର୍ଯ୍ୟନ୍ତ ପାଣି ମହଜୁଦ କରିବାର ଯୋଜନା ହୋଇଥିଲା। ୨୦୨୩ରେ ଏହି ଚିହ୍ନଟ ସ୍ଥାନ ସଂକ୍ରାନ୍ତ ତାଲିକା ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଅଗ୍ନିଶମ ଡିଜି ଓ ଜିଲ୍ଲା ପ୍ରଶାସନକୁ ପଠାଯାଇଥିଲା। ଏଯାଏଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ବର୍ତ୍ତମାନ କଟକ ବକ୍ସିବଜାର ଅଗ୍ନିଶମ କେନ୍ଦ୍ରରେ ୧୫ ହଜାର ଲିଟର ବିଶିଷ୍ଟ ଦମକଳ ଗାଡ଼ି ସମେତ ୩ ହଜାର ଲିଟର ବିଶିଷ୍ଟ ଦୁଇଟି ଗାଡ଼ି, ୫ ହଜାର ଲିଟର ବିଶିଷ୍ଟ ଗୋଟିଏ ଗାଡ଼ି ରହିଛି। କିନ୍ତୁ ସହର ଭିତରକୁ ଗାଡ଼ି ନେବା ଓ ଖାଲି ଟାଙ୍କିରେ ପୁଣି ପାଣି ଭର୍ତ୍ତି କରି ଆଣିବା ଆହ୍ବାନପୂର୍ଣ୍ଣ ରହୁଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।