TOP STORIESଅପରାଧଦୁର୍ନୀତିରାଜ୍ୟ

କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି

କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି

ମେ’ ୩୧ରେ ଚାକିରିରୁ ଅବସର ନେଇଥାଆନ୍ତେ

ଭୁବନେଶ୍ବର/ଅନୁଗୁଳ୩୧-୦୫-୨୦୨୫ (ଏସ .ଏମ ) : ୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି।ମେ’ ୩୧ରେ ଚାକିରିରୁ ଅବସର ନେଇଥାଆନ୍ତେ। ତା’ ପୂର୍ବରୁ ଗତକାଲି ମାଡ଼ିବସିଥିଲା ଭିଜିଲାନ୍ସ। ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ କଳା ସାମ୍ରାଜ୍ୟର ଆକାର ଦେଖି ଖୋଦ ଭିଜିଲାନ୍ସର ଆଖି ବି ଟେରା ହୋଇଯାଇଛି। କାରଣ ବାବୁଙ୍କ ଘରୁ ମିଳିଛି ନଗଦ ୨.୫୬ କୋଟି ଟଙ୍କା। ରାଜଧାନୀଠା‌ରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ସବୁଠି କଳା ସମ୍ପତ୍ତିର ପାହାଡ଼। ରୋଚକ ବିଷୟଟି ହେଉଛି, ଭିଜିଲାନ୍ସ ଟିମ୍‌ ଗତକାଲି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଘର ଯାଞ୍ଚ ପାଇଁ କଲିଂବେଲ୍‌ ବଜାଇବାବେଳେ ଘର ଲୋକ କବାଟ ନ ଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍‌ ଫିଙ୍ଗି ଚାଲିଥିଲେ। ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା। ନାକେଦମ୍‌ ହୋଇଥିଲେ ୧୦ରୁ ଅଧିକ କର୍ମଚାରୀ। ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା। ଭିଜିଲାନ୍ସର ୭ଟି ଟିମ୍‌ ଗତକାଲି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବରସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆସ୍ଥିତ ବାସଭବନ ଓ ଲୋକେଇପଶିସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ଆଦି ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା।

ଶୁକ୍ରବାର ଭୋରରୁ ଭିଜିଲାନ୍ସ ଟିମ୍‌ ଭୁବନେଶ୍ବର, ପୁରୀ ଓ ଅନୁଗୁଳର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବରରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌, ଅନୁଗୁଳରେ ୨ଟି ଦୁଇ ମହଲା କୋଠା, ପୁରୀ ପିପିଲି ଅଞ୍ଚଳରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଥିଲା। ଭୁବନେଶ୍ବର ଡୁମଡୁମା ଅଞ୍ଚଳରେ ଥିବ‌ା‌ ୧୫୩୦ ବର୍ଗଫୁଟରେ ନିର୍ମିତ ଦାମୀ ଫ୍ଲାଟ୍‌ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ଅନୁଗୁଳରେ ଥିବା ଦୁଇଟି କୋଠାର ମୂଲ୍ୟ ୨ କୋଟିରୁ ଅଧିକ ହେବ। ସେହିପରି ପିପିଲି ଶିଉଳା ଅଞ୍ଚଳରେ ୧୧୦୦ ବର୍ଗଫୁଟରେ ନିର୍ମିତ ଫ୍ଲାଟ୍‌ର ମୂଲ୍ୟ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବୋଲି ଆକଳନ କରାଯାଇଛି। ପୁରୀ ଓ ଅନୁଗୁଳର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ୍‌ ମଧ୍ୟ ଠାବ ହୋଇଛି। ଯେଉଁଥିରେ ପୁରୀରେ ୪ଟି ଓ ଅନୁଗୁଳରେ ୩ଟି ପ୍ଲଟ୍‌ ରହିଛି। ଏସବୁର ମୂଲ୍ୟ ୨.୫କୋଟିରୁ ଊର୍ଦ୍ଧ୍ବ ହେବ। ଏଥିସହିତ ବ୍ୟାଙ୍କଜମା, ବୀମା ଓ ବଣ୍ଡର ସନ୍ଧାନ ମିଳିଛି। ଯାହାର ମୂଲ୍ୟ ୧.୫କୋଟି ଟଙ୍କା ହେବ।

ଧରପଗଡ଼ ସମୟରେ ଭୁବନେଶ୍ବର ଡୁମଡୁମା ଘରୁ ନଗଦ ୧.୩୪ କୋଟି ଓ ଅନୁଗୁଳ ଘରୁ ୧.୨୨ କୋଟି ଟଙ୍କା ସହିତ ମୋଟ ୨,୫୬,୦୦୦,୦୦ ଟଙ୍କା ଜବତ କରାଯାଇଛି। ୧୧୪୧ ଗ୍ରାମ୍‌ ସୁନାଗହଣା, ୫୦୦ ଗ୍ରାମର ରୁପା, ବିଦେଶରୁ ଆମଦାନି କରାଯାଇଥିବା ୧୫ଟି ଦାମୀ ହାତଘଣ୍ଟା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ସହିତ ଗୋଟିଏ କାର ଠାବ କରାଯାଇଛି। ଏହାଛଡ଼ା ସେ ସେୟାର ବଜାରରେ ୨.୭ କୋଟିର ପୁଞ୍ଜିନିବେଶ ମଧ୍ୟ କରିଛନ୍ତି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ସମ୍ପତ୍ତି ପରିମାଣ ୧୫ କୋଟି ଟପିଯିବ। ତେବେ ଯାଞ୍ଚ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
ଅନ୍ୟପଟେ ମୁଖ୍ୟଯନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ? କେଉଁମାନେ ତାଙ୍କୁ ଟଙ୍କା ଦେଉଥିଲେ? ତାଙ୍କ ଚାକିରି ସମୟରେ ହୋଇଥିବା ସମସ୍ତ ବଡ଼ ବଡ଼ ପ୍ରକଳ୍ପ ଏବଂ କେଉଁଥିରେ ଦୁର୍ନୀତି ହୋଇଛି, ସମସ୍ତ ଦିଗକୁ ନେଇ‌ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା କହିଛନ୍ତି। ଗତକାଲିର ଚଢ଼ଉରେ ୮ ଜଣ ଡିଏସ୍‌ପି, ୧୨ ଜଣ ଇନ୍‌ସପେକ୍ଟର, ୬ ଜଣ ଏସ୍‌ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *